ନୂଆଦିଲ୍ଲୀ: ରୁଷ ବିରୁଦ୍ଧରେ ୟୁକ୍ରେନ ଏକ ଗମ୍ଭୀର ଅଭିଯୋଗ ଲଗାଇଛି । ୟୁକ୍ରେନର ସର୍ବୋଚ୍ଚ ପବ୍ଲିକ ପ୍ରସିକ୍ୟୁଟର ବୁଧବାର ଦିନ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ରୁଷ ଜାଣିଶୁଣି ଡ୍ରୋନ ଏବଂ କ୍ଷେପଣାସ୍ତ୍ର ବିମାନ ମାର୍ଗ ଦେଇ ପଠାଉଛି ଯାହା ବିପଜ୍ଜନକ ଭାବରେ ବନ୍ଦ ହୋଇଥିବା ଚେର୍ନୋବିଲ୍ ପରମାଣୁ କେନ୍ଦ୍ର ନିକଟ ଦେଇ ଯାଉଛି। ଏହି ଅଭିଯୋଗ ଏକ ଭୟଙ୍କର ପରମାଣୁ ଦୁର୍ଘଟଣାର ବିପଦକୁ ବୃଦ୍ଧି କରିଛି କାରଣ ଦେଶ ବିପର୍ଯ୍ୟୟର ୪୦ ତମ ବାର୍ଷିକୀ ପାଳନ କରିବାକୁ ପ୍ରସ୍ତୁତ ହେଉଛି । 

ଚେର୍ନୋବିଲ୍ ପ୍ଲାଣ୍ଟ ନିକଟରେ ଡ୍ରୋନ୍ ଉଡ଼ିଥିଲା…

ପବ୍ଲିକ ପ୍ରସିକ୍ୟୁଟର ଜେନେରାଲ ରୁସଲାନ କ୍ରାଭଚେଙ୍କୋ ଦାବି କରିଛନ୍ତି ଯେ, ଜୁଲାଇ ୨୦୨୪ରେ, ଯେତେବେଳେ ରୁଷ ୟୁକ୍ରେନ୍ ଉପରେ ଏକ ବଡ଼ ଡ୍ରୋନ୍ ଆକ୍ରମଣ କରିଥିଲା, ଏହା ପରେ ରାଡାର ଏହି ଭଳି ୯୨ଟି ଡ୍ରୋନକୁ ଚିହ୍ନିତ କରିଥିଲା, ଯାହା ଚେର୍ନୋବିଲ୍ ପ୍ଲାଣ୍ଟର ରେଡିଏସନ୍ କଣ୍ଟେନମେଣ୍ଟ ସିଲ୍ଡର ୫ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଉଡାଣ ଭରିଥିଲା। କଣ୍ଟେନମେଣ୍ଟ ସିଲ୍ଡକୁ ରିଏକ୍ଟର ନମ୍ବର ୪ ରୁ ରେଡିଏସନ ଲିକେଜ ରୋକିବା ପାଇଁ ଲଗାଯାଇଥିଲା, ଯାହା ୨୬ ଏପ୍ରିଲ୍, ୧୯୮୬ରେ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା।

କ୍ରାଭଚେଙ୍କୋ ଜୋର ଦେଇ କହିଛନ୍ତି ଯେ ଏପରି ଉଡ଼ାଣର ପ୍ରକୃତ ସଂଖ୍ୟା ବହୁତ ଅଧିକ ହୋଇପାରେ, କାରଣ ଗୋଟିଏ ରାଡାର ଟ୍ରାକର୍ ଏକାଧିକ ଡ୍ରୋନ୍ ଚିହ୍ନଟ କରିପାରିବ, ଏବଂ କିଛି ସମ୍ପୂର୍ଣ୍ଣ ଭାବରେ ଚିହ୍ନଟ ହୋଇନପାରେ।

ୟୁକ୍ରେନୀୟ ପବ୍ଲିକ୍ ପ୍ରସିକ୍ୟୁଟର ଅଭିଯୋଗ କ’ଣ…

ସିଧାସଳଖ ମସ୍କୋକୁ ଦୋଷ ଦେଇ କ୍ରାଭଚେଙ୍କୋ କହିଛନ୍ତି କି,"ଏପରି ଉଡ଼ାଣକୁ କୌଣସି ସାମରିକ କାରଣ ଦ୍ୱାରା ଯଥାର୍ଥ କରାଯାଇ ପାରିବ ନାହିଁ। ଏହା ସ୍ପଷ୍ଟ ଯେ ପରମାଣୁ ସ୍ଥାନ ଉପରେ ଏହି ଉଡ଼ାଣ ଗୁଡ଼ିକ କେବଳ ଭୟଭୀତ କରିବା ଏବଂ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଉଛି।"

ଏହି ଚେତାବନୀ ଏପରି ସମୟରେ ଆସିଛି, ଯେତେବେଳେ ଏହି ସ୍ଥାନର ପରିସ୍ଥିତି ପୂର୍ବରୁ ବହୁତ ଚିନ୍ତାଜନକ। ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୦୨୫ ରେ,ଏକ ଡ୍ରୋନ୍ ରିଆକ୍ଟର ୪ ଉପରେ ଥିବା "ନ୍ୟୁ ସେଫ୍ କନଫାଇନମେଣ୍ଟ" ଗଠନ ଉପରେ ଆକ୍ରମଣ କରିଥିଲା, ଏହାର ବାହ୍ୟ ଏବଂ ଭିତର ସ୍ତର ଉଭୟ ଭାଙ୍ଗି ଦେଇଥିଲା ଏବଂ ପ୍ରାୟ ଛଅ ମିଟର ବ୍ୟାସ ବିଶିଷ୍ଟ ଏକ ଗାତ ସୃଷ୍ଟି କରିଥିଲା ।

ରୁଷ କହିଛି ଯେ ଆମର କୌଣସି ହାତ ନାହିଁ…

ୟୁକ୍ରେନୀୟ ଓକିଲ ମାନେ ଅନୁମାନ କରିଥିଲେ ଯେ ଆକ୍ରମଣ ସମ୍ଭବତଃ ଜାଣିଶୁଣି କରାଯାଇଥିଲା, କାରଣ ଡ୍ରୋନ୍ ସୁରକ୍ଷା ଢାଲକୁ ଯେଉଁ ତୀକ୍ଷ୍ଣ କୋଣରେ ଆଘାତ କରିଥିଲା ତାହା ଏହା ସୂଚାଇ ଦେଉଛି। ରୁଷ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରି ଏହାକୁ ୟୁକ୍ରେନର "ଉତ୍ତେଜକ କାର୍ଯ୍ୟ" ବୋଲି କହିଛି ।

ଏହା ସହ ପଢନ୍ତୁ : ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ମାଗିଲେ ନ୍ୟୁକ୍ଲିୟର କୋଡ୍, କ’ଣ ହେବାକୁ ଯାଉଛି କି କିଛି ବଡ ଅଘଟଣ ?