ନୂଆଦିଲ୍ଲୀ,୨୪।୯:  ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ, ଏଥର, ଏକ ଭିନ୍ନ ଘଟଣା ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ପାଲେଷ୍ଟାଇନ ସମର୍ଥନରେ କହୁଥିବା  ନେତାଙ୍କର ହଠାତ୍ ମାଇକ୍ ବନ୍ଦ ହୋଇଯାଇଥିଲା। ଜଣେ ନୁହେଁ, ଦୁଇ ଜଣ ନୁହେଁ, ଚାରି ଜଣ ନେତା ଏହି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏହାପରେ ବୈଠକରେ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ‘ମୋସାଦ’ର ନାମକୁ ନେଇ ଚର୍ଚ୍ଚା ହୋଇଥିଲା।

ଇଣ୍ଡୋନେସିଆ ରାଷ୍ଟ୍ରପତି ଯେତେବେଳେ ଗାଜାରେ ଶାନ୍ତି ସେନା ମୁତୟନ କରିବା କଥା କହିଥିଲା ସେତେବେଳେ ତାଙ୍କ ମାଇକ୍ ଅଫ୍ ହୋଇଯାଇଥିଲା। ଠିକ୍ ସେଭଳି    ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା। ଯେତେବେଳେ ସେ ହମାସକୁ ଆତଙ୍କବାଦୀ ଭାବରେ ମାନ୍ୟତା ନ ଦେବା ଏବଂ ପାଲେଷ୍ଟାଇନକୁ ସମର୍ଥନ କରିବା ବିଷୟରେ କହିଲେ, ତାଙ୍କ କଥା ଆଉ ଶୁଣାଯାଇନଥିଲା। କେବଳ ସେତିକି ନୁହେଁ  ଯେତେବେଳେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପାଲେଷ୍ଟାଇନ ଏବଂ ଦୁଇ-ରାଷ୍ଟ୍ର ସମାଧାନ ଉପରେ କହିଥିଲେ, ତାଙ୍କର ଭାଷଣ ପ୍ରଥମେ ସୁରୁଖୁରୁରେ ଚାଲିଥିଲା, କିନ୍ତୁ ସେ ପାଲେଷ୍ଟାଇନକୁ ମାନ୍ୟତା ଦେବା ପ୍ରସଙ୍ଗ ଉଠାଇବା ମାତ୍ରେ ତାଙ୍କର ମାଇକ୍ ବନ୍ଦ ହୋଇଗଲା। ହଲ୍ କିଛି ମିନିଟ୍ ପାଇଁ ନୀରବ ହୋଇଗଲା। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା। ସେ ପାଲେଷ୍ଟାଇନ ପ୍ରସଙ୍ଗ ଉଠାଇବା ମାତ୍ରେ ତାଙ୍କର ମାଇକ୍ ମଧ୍ୟ ବନ୍ଦ ହୋଇଗଲା।

ଏବେ ପ୍ରଶ୍ନ ହେଉଛି, ପ୍ରତ୍ୟେକ ଥର ପାଲେଷ୍ଟାଇନକୁ ସମର୍ଥନ କରାଯିବା ସମୟରେ ମାଇକ୍ କାହିଁକି ବନ୍ଦ ହେଇ ଯାଉଥିଲା? ଜାତିସଂଘ ଦାବି କରିଥିବା ପରି ଏହା କେବଳ ଏକ ବୈଷୟିକ ତ୍ରୁଟି ଥିଲା କି ଏହା ପଛରେ କୌଣସି ଗୁଇନ୍ଦା ହସ୍ତକ୍ଷେପ ଥିଲା? ଅନେକ ଦେଶର ନେତାମାନେ ବିଶ୍ୱାସ କରନ୍ତି ଯେ ଏହା ଏକ ସଂଯୋଗ ନୁହେଁ। ଇସ୍ରାଏଲ ଅନ୍ତର୍ଜାତୀୟ ସ୍ତରରେ ପାଲେଷ୍ଟାଇନ ପ୍ରତି ବଢ଼ୁଥିବା ସମର୍ଥନକୁ ସହ୍ୟ କରିପାରୁ ନଥିବାରୁ, ଏହାର ଗୁଇନ୍ଦା ସଂସ୍ଥା ‘ମୋସାଦ’ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ବର୍ତ୍ତମାନ ପାଇଁ, ଜାତିସଂଘ ଏହାକୁ ଏକ କେବଳ ବୈଷୟିକ ତ୍ରୁଟି ବୋଲି କହିଛି, କିନ୍ତୁ ବାରମ୍ବାର ଏପରି ହେବା ସନ୍ଦେହ ସୃଷ୍ଟି କରୁଛି ଯେ, ପ୍ରକୃତରେ ଏହା କେବଳ ଏକ "ବୈଷୟିକ ତ୍ରୁଟି" ଥିଲା ନା ଆଉ କିଛି ?