ନୂଆଦିଲ୍ଲୀ,୨୮।୧: ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଏହା ପୂର୍ବରୁ ମଙ୍ଗଳବାର ପାରମ୍ପରିକ ହାଲୱା ସେରମୋନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ। ଏହା ଫେବୃଆରୀ ୧ ତାରିଖରେ ଲୋକସଭାରେ ଉପସ୍ଥାପିତ ହେବାକୁ ଥିବା ୨୦୨୬-୨୭ ସାଧାରଣ ବଜେଟ୍ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ। ହାଲୱା ସେରମୋନୀ ରାଇସିନା ହିଲ୍ସର ନର୍ଥ ବ୍ଲକରେ ଅନୁଷ୍ଠିତ ହୋଇଥିଲା। ଏହା ଅର୍ଥ ମନ୍ତ୍ରଣାଳୟର ପୂର୍ବତନ ଠିକଣା। ହାଲୱା ସମାରୋହ ହେଉଛି କେନ୍ଦ୍ର ସରକାରଙ୍କ ବଜେଟ୍ ପ୍ରସ୍ତୁତିରେ ସାମିଲ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ‘କ୍ୱାରାଣ୍ଟାଇନ୍’ କରିବାର ଏକ ପ୍ରକ୍ରିୟା, ଅର୍ଥାତ୍ ସେମାନେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥାନ୍ତି।
ସଂସଦରେ ବଜେଟ୍ ଉପସ୍ଥାପନ ନହେବା ପର୍ଯ୍ୟନ୍ତ ଏହି ଅଧିକାରୀ ଏବଂ କର୍ମଚାରୀମାନେ ନର୍ଥ ବ୍ଲକରେ ରହନ୍ତି, ଯେଉଁଠାରେ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖାଯାଏ। ଅର୍ଥମନ୍ତ୍ରୀ ଲୋକସଭାରେ ତାଙ୍କର ବଜେଟ୍ ଭାଷଣ ସମାପ୍ତ କରିବା ପରେ ହିଁ ସେମାନେ ବାହାରକୁ ଆସିଥାନ୍ତି। ଏହା ବଜେଟ୍ ପୂର୍ବରୁ ଅନୁଷ୍ଠିତ ଏକ ବାର୍ଷିକ ସମାରୋହ। ପାରମ୍ପରିକ ‘ହାଲୱା’ ପ୍ରସ୍ତୁତ କରାଯାଏ ଏବଂ ବଜେଟ୍ ପ୍ରସ୍ତୁତିରେ ସାମିଲ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପରିବେଷଣ କରାଯାଏ।
ହାଲୱାସେରମୋନୀ କାହାର ପ୍ରତୀକ ?
ହାଲୱା ସେରମୋନୀ ‘ବଜେଟ୍ ଛପାର ଆରମ୍ଭ’ର ପ୍ରତୀକ। ଏହା ପ୍ରତି ବର୍ଷ ବଜେଟ୍ର ପ୍ରାୟ ୮ରୁ ୧୦ ଦିନ ପୂର୍ବରୁ ଆୟୋଜିତ ହୁଏ। ଏଥର ଅର୍ଥମନ୍ତ୍ରୀ ଏହି ସ୍ବତନ୍ତ୍ର ଅବସରରେ ନିଜେ ଅଧିକାରୀ ଓ କର୍ମଚାରୀଙ୍କୁ ହାଲୱା ବାଣ୍ଟିଥିଲେ। ଏହି ହାଲୱା କେବଳ ଏକ ମିଠା ନୁହେଁ, ବଂର ସେହି ଲୋକଙ୍କ ସମର୍ପଣ ଓ କଠିନ ପରିଶ୍ରମର ସମ୍ମାନ,ଯେଉଁମାନେ ବଜେଟ୍ ତିଆରି କରିବାରେ ଦିନ ରାତି ଏକାଠି କରି ଦିଅନ୍ତି। ଏହି ପରମ୍ପରା ପରେ ବଜେଟ୍ ପ୍ରସ୍ତୁତ କରୁଥିବା ସବୁ ଅଧିକାରୀ ନର୍ଥବ୍ଲକରେ ରହିଥାନ୍ତି। କୌଣସି ବାହାର ଲୋକଙ୍କ ସଂସ୍ପର୍ଶରେ ଆସିନଥାନ୍ତି। ଏହାକୁ ‘ଲକ୍ ଇନ୍ ପିରିୟଡ’ ବୋଲି କୁହାଯାଏ।
ହାଲୱାସେରମୋନୀର ଗୁରୁତ୍ବ କ’ଣ ?
ହାଲୱା ସେରମୋନୀ ହେଉଛି ବଜେଟ୍ ପ୍ରସ୍ତୁତିର ଅନ୍ତିମ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ। ବଜେଟ୍ ଗୋପନୀୟତାକୁ ସୁନିଶ୍ଚିତ କରିବାର ଏକ ମଜବୁତ ପ୍ରଣାଳୀ। ହାଲୱା ବାଣ୍ଟିବା ପରେ ବଜେଟ୍ ତିଆରିରେ ସାମିଲ ଥିବା ଅଧିକାରୀଙ୍କ ପରିଶ୍ରମକୁ ସମ୍ମାନ ଦେବା।ଏହି ପରମ୍ପରା ଭାରତୀୟ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। କୌଣସି ପ୍ରକାର ଶୁଭକାର୍ଯ୍ୟ ଆରମ୍ଭ କରିବା ପରେ ମିଠା ବାଣ୍ଟି ଖୁସି ପ୍ରକାଶ କରିବା, ଏକତା କିମ୍ବା ନୂଆ ଆରମ୍ଭର ପ୍ରତୀକ ବୋଲି ମନେକରାଯାଏ।
ଲକ୍ ଇନ୍ ପିରିୟଡ୍ କ’ଣ ?
ବଜେଟ୍ ପ୍ରସ୍ତୁତ କରୁଥିବା ସବୁ ଅଧିକାରୀ ନର୍ଥବ୍ଲକରେ ରହିଥାନ୍ତି। କୌଣସି ବାହାର ଲୋକଙ୍କ ସଂସ୍ପର୍ଶରେ ଆସିନଥାନ୍ତି। ଏହାକୁ ‘ଲକ୍ ଇନ୍ ପିରିୟଡ’ ବୋଲି କୁହାଯାଏ। ସବୁ ଅଧିକାରୀ ‘ଲକ୍ ଇନ୍ ପିରିୟଡ’କୁ ଚାଲି ଯାଆନ୍ତି। ଏହି ସମୟରେ ତାଙ୍କ ଫୋନ୍କଲ୍ ଉପରେ ନଜର ରଖାଯାଏ। ସୁରକ୍ଷାର କଡ଼ା ବନ୍ଦୋବସ୍ତ କରାଯାଏ। ଯେପରିକି ସିସିଟିଭି କ୍ୟାମେରା ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋର ନଜରରେ ରହିଥାନ୍ତି। ଚଳିତ ବର୍ଷ ବଜେଟ ପାଇଁ ଏହି ଲକ୍-ଇନ୍ ପିରିୟଡ ୩୧ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ୧ ଫେବୃଆରୀରେ ଶେଷ ହୋଇଯିବ, ଯେତେବେଳେ ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଆଗତ କରିବେ। ଏହି ପ୍ରଥାର ଆରମ୍ଭ ୧୯୫୦ରୁ କରାଯାଇଛି। ସେତେବେଳେ ବଜେଟ୍ ଲିକ୍ ହେବା କାରଣରୁ ତତ୍କାଳୀନ ଅର୍ଥମନ୍ତ୍ରୀ ଜନ୍ ମଥାଇଙ୍କୁ ଇସ୍ତଫା ଦେବାକୁ ପଡିଥିଲା।