• ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
  • କହିଲେ ‘ବଣମଲ୍ଲୀ’ଙ୍କୁ ଲୋକଲୋଚନକୁ ଆଣୁଛନ୍ତି ମୋଦି ସରକାର
  • ଏହି ପୁରସ୍କାର ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ କହିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ତୃଣମୂଳ ସ୍ତରର ଅସାଧାରଣ ପ୍ରତିଭାଙ୍କୁ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ପାଇଁ ମନୀତ କରି ମୋଦି ସରକାର, ସେମାନଙ୍କୁ ଜାତୀୟ ସ୍ୱୀକୃତି ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ କହିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ପୁରସ୍କାର ବିଜେତାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : ଚଳିତ ବର୍ଷ ଦେଶର ଏହି ବ୍ୟକ୍ତିତ୍ବମାନଙ୍କୁ ମିଳିବ ପଦ୍ମ ପୁରସ୍କାର, ଓଡ଼ିଶାରୁ ୪ ଜଣ ହେବେ ସମ୍ମାନୀତ

ଓଡ଼ିଶାର ଗାରିମା ଓ ପ୍ରତିଭାକୁ ନିରନ୍ତର ଭାବେ ବିଶ୍ୱ ଦରବାରରେ ପରିଚିତ କରାଉ ଥିବାରୁ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କହିଛନ୍ତି ଯେ, ମୋଦି ସରକାରରେ ଓଡ଼ିଆ ଲୋକମାନେ ସର୍ବଦା ଯଥୋଚିତ ସମ୍ମାନ ପାଇ ଆସୁଛନ୍ତି। ‘ପଦ୍ମ ପୁରସ୍କାର’ ମାଧ୍ୟମରେ ତୃଣମୂଳ ସ୍ତରର ‘ବଣମଲ୍ଲୀ’ଙ୍କୁ ଲୋକଲୋଚନକୁ ଆଣିବା ଆମ ସରକାରଙ୍କ ଏକ ପରମ୍ପରା ହୋଇଛି । ପଦ୍ମ ପୁରସ୍କାର ମାଧ୍ୟମରେ ବଣମଲ୍ଲିକୁ ଲୋକଲୋଚନକୁ ଆଣିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଚଳିତ ବର୍ଷ ଓଡ଼ିଶାରୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଚରଣ ହେମ୍ବ୍ରମ,  ମହେନ୍ଦ୍ର କୁମାର ମିଶ୍ର ଓ କଳା କ୍ଷେତ୍ରରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେବା ଗର୍ବ ଓ ଗୌରବର ବିଷୟ।

ଦେଶକୁ ସମୃଦ୍ଧ କରିବାରେ ଏହି ସାଧାରଣ ନାଗରିକଙ୍କ ଅସାଧାରଣ କାର୍ଯ୍ୟକୁ ଏହି ସ୍ୱୀକୃତି ଏକ ବଡ଼ ସମ୍ମାନ ବୋଲି ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଏହି ପୁରସ୍କାର ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।