ନୂଆଦିଲ୍ଲୀ,୨୫/୦୧: ୨୦୨୬ ମସିହାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ଯୋଗ୍ୟ ବ୍ୟକ୍ତିତ୍ବ ମାନଙ୍କ ତାଲିକା ପ୍ରକାଶ ପାଇଛି। ୨୦୨୬ ମସିହାରେ ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବୀରମାନଙ୍କ ଏକ ପ୍ରାରମ୍ଭିକ ତାଲିକା ନିମ୍ନରେ ପ୍ରଦାନ କରାଯାଇଛି। ରବିବାର ସନ୍ଧ୍ୟାରେ (୨୫ ଜାନୁଆରୀ, ୨୦୨୬) କେନ୍ଦ୍ର ସରକାର ୫ଜଣଙ୍କୁ ପଦ୍ବ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣ ପଦ୍ମ ପୁରସ୍କାର ପାଇବାକୁ ଥିବା ବ୍ୟକ୍ତିଙ୍କ ସରକାରୀ ତାଲିକା ପ୍ରକାଶ କରିଛନ୍ତି ।
ଦିବଂଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ ପାଇଁ ଘୋଷଣା ହୋଇଥିବା ବେଳେ ଝାଡ଼ଖଣ୍ଡ ରାଜ୍ୟ ଗଠନ ଆନ୍ଦୋଳନର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ଭୂଷଣ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ସେହିପରି ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ମଧ୍ୟ ପଦ୍ମ ଭୂଷଣ ପ୍ରଦାନ ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
ନିର୍ବାଚନୀ ରାଜ୍ୟ କେରଳରୁ ୮ ଜଣ, ତାମିଲନାଡୁରୁ ୧୩ ଜଣ, ବଙ୍ଗଳାରୁ ୧୧ ଜଣ ଏବଂ ଆସାମରୁ ୫ ଜଣ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହା ବ୍ୟତୀତ, ଉତ୍ତର ପ୍ରଦେଶରୁ ୧୧ ଜଣ ଏବଂ ମହାରାଷ୍ଟ୍ରରୁ ୧୬ ଜଣ ପଦ୍ମ ପୁରସ୍କାର ପାଇଛନ୍ତି। ସେହିପରି ଓଡ଼ିଶାରୁ ୪ଜଣଙ୍କୁ ପଦ୍ମ ସମ୍ନାନରେ ସମ୍ମାନୀତ କରାଯାଇଛି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ, ଶ୍ରୀ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, କଳା କ୍ଷେତ୍ରରେ ଶରତ କୁମାର ପାତ୍ର ଏବଂ ସିମାଞ୍ଚଳ ପାତ୍ରଙ୍କୁ ପଦ୍ମ ପୂରସ୍କାରରେ ସମ୍ମାନୀତ କରାଯିବ।
ପଦ୍ମ ପୁରସ୍କାର ପାଇଁ ମନୋନୀତ ଓଡ଼ିଆ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଟ୍ୱିଟ୍ କରି କହିଛନ୍ତି - ୨୦୨୬ ମସିହା ପାଇଁ ଓଡ଼ିଶାରୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଚରଣ ହେମ୍ବ୍ରମ ଓ ମହେନ୍ଦ୍ର କୁମାର ମିଶ୍ର ଏବଂ କଳା କ୍ଷେତ୍ରରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେବା, ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। ଆପଣମାନଙ୍କର ଏହି ଉପଲବ୍ଧି ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ନୂତନ ପରିଚୟ ପ୍ରଦାନ କରିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।
୨୦୨୬ ମସିହା ପାଇଁ ଓଡ଼ିଶାରୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଶ୍ରୀ ଚରଣ ହେମ୍ବ୍ରମ ଓ ଶ୍ରୀ ମହେନ୍ଦ୍ର କୁମାର ମିଶ୍ର ଏବଂ କଳା କ୍ଷେତ୍ରରେ ଶ୍ରୀ ଶରତ କୁମାର ପାତ୍ର ଓ ଶ୍ରୀ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେବା ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ…
— Mohan Charan Majhi (@MohanMOdisha) January 25, 2026
ଏହାସହ ପଦ୍ମ ପୁରସ୍କାର ପାଇଁ ମନୋନୀତ ଓଡ଼ିଆ ପ୍ରତିଭାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ତୃଣମୂଳ ସ୍ତରର ଅସାଧାରଣ ପ୍ରତିଭାଙ୍କୁ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ପାଇଁ ମନୋନୀତ କରି ମୋଦି ସରକାର ସେମାନଙ୍କୁ ଜାତୀୟ ସ୍ୱୀକୃତି ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ କହିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ପୁରସ୍କାର ବିଜେତାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି।
ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରେ ପଦ୍ମ ପୁରସ୍କାର ତିନୋଟି ବର୍ଗରେ ପ୍ରଦାନ କରାଯାଏ: ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ। ଏହି ପୁରସ୍କାରଗୁଡ଼ିକ କଳା, ସାମାଜିକ କାର୍ଯ୍ୟ, ସାଧାରଣ ପ୍ରଶାସନ, ବିଜ୍ଞାନ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଏବଂ ନାଗରିକ ସେବା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଏ। ପଦ୍ମ ବିଭୂଷଣ ଅସାଧାରଣ ଏବଂ ପ୍ରତିଷ୍ଠିତ ସେବା ପାଇଁ, ପଦ୍ମ ଭୂଷଣ ଉଚ୍ଚ ସ୍ତରର ପ୍ରତିଷ୍ଠିତ ସେବା ପାଇଁ ଦିଆଯାଉଥିବା ବେଳେ ପଦ୍ମଶ୍ରୀ ଯେକୌଣସି କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ପ୍ରଦାନ କରାଯାଏ।