ଅମୃତସର ୦୯/୧୨: ଦେଶର ଚାଷୀ ଓ ଶ୍ରମିକଙ୍କ  ଅବସ୍ଥା ଭଲ ନାହିଁ । ଅର୍ଥନୀତି ମଜଭୁତ କରିବାକୁ ହେଲେ ଗାଁ,  ଗରିବ, ଚାଷୀ, ଶ୍ରମିକ, କୃଷି ଓ ଜଙ୍ଗଲ କ୍ଷେତ୍ରର ସମୃଦ୍ଧ କରାଯିବା  ଆବଶ୍ୟକ । ଜଙ୍ଗଲ ଆଧାରିତ ଶିଳ୍ପାୟନକୁ ଅଗ୍ରାଧିକାର ଦିଆଯିବା  ଉଚିତ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ  ନୀତିନ ଗଡକରୀ କହିଛନ୍ତି । 

ଅମୃତସରରେ ଆୟୋଜିତ  ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି  ଦେଶର ବିକାଶରେ କୃଷିକ୍ଷେତ୍ର  ଓ ଏହା ସହ ଜଡିତ କ୍ଷେତ୍ରର  ଅବଦାନ ରହିଛି ୧୨ରୁ ୧୪% ।  ୨୨ରୁ ୨୪% ଅଭିବୃଦ୍ଧି ନିର୍ମାଣ  ଏବଂ ୫୨ରୁ ୫୪% ଅଭିବୃଦ୍ଧି  ସେବା କ୍ଷେତ୍ରରୁ ଆସିଥାଏ । ଗାନ୍ଧିଜୀ ସ୍ୱାଧୀନତା ଆନ୍ଦୋଳନ  ଆରମ୍ଭ କରିବା ବେଳେ ଦେଶର ୯୦% ଲୋକ ଗାଁରେ ବସବାସ  କରୁଥିଲେ । ବର୍ତ୍ତମାନ ଗାଁରୁ ୩୦% ଲୋକ ସହରରେ ରହୁଛନ୍ତି । ଭଲ ଘର ଓ ସୁବିଧା ନଥିବାରୁ ସେମାନେ ସହରକୁ ଚାଲି ଆସୁଛନ୍ତି ।  କିନ୍ତୁ ସହରକୁ ଆସିବା ପରେ ଝୁମ୍ପୁଡି ଘରେ ରହୁଛନ୍ତି । ଗଡକରୀ  ଆହୁରି କହିଛନ୍ତି କୃଷିକ୍ଷେତ୍ରରେ ନୂଆ ଜ୍ଞାନକୌଶଳର ଉପଯୋଗ  ହେଉଛି । ଯଦି ଗାଁର ବିକାଶ କରିବାକୁ ଚାହୁଁଛେ ତେବେ ଚାଷୀଙ୍କୁ  ପ୍ରାଥମିକତା ଦେବାକୁ ହେବ । ଏହା ଅବଶ୍ୟ କଠିନ, କିନ୍ତୁ ଅସମ୍ଭବ  ନୁହେଁ । ଚାଷୀ ବର୍ତ୍ତମାନ କେବଳ ଅନ୍ନଦାତା ହୋଇ ରହିନାହାନ୍ତି,  ସେମାନେ ଶକ୍ତିଦାତା ଓ ଇନ୍ଧନଦାତା ମଧ୍ୟ ହୋଇଗଲେଣି।