ନୂଆଦିଲ୍ଲୀ : ଦେଶରେ ପରିବହନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନର ଶୁଭାରମ୍ଭ। କେନ୍ଦ୍ର ସହଯୋଗ ମନ୍ତ୍ରୀ ଅମିତ ଶାହ ଗୁରୁବାର ‘ଭାରତ ଟ୍ୟାକ୍ସି’ ଆପ୍ ସେବାକୁ ଅଫିସିଆଲି ଭାବେ ଉନ୍ମୋଚନ କରିଛନ୍ତି। ଏହା ଭାରତର ପ୍ରଥମ ସହଯୋଗୀ କ୍ଷେତ୍ର ଦ୍ୱାରା ପରିଚାଳିତ ରାଇଡ-ହେଲିଂ ପ୍ଲାଟଫର୍ମ , ଯାହାର ଉଦ୍ଦେଶ୍ୟ ସାରା ଦେଶରେ ଟ୍ୟାକ୍ସି ଡ୍ରାଇଭରଙ୍କ ପାଇଁ ସହଯୋଗୀ ପାର୍ଟନରସିପ୍କୁ ଦୃଢ କରିବା ଏବଂ ତାଙ୍କୁ ଆର୍ଥିକ ରୂପେ ସୁଦୃଢ କରିବା। ଏହି ଆପ୍ ସେବା ଓଲା ଓ ଉବର ଭଳି ପ୍ରାଇଭେଟ୍ ଜିଆଣ୍ଟଙ୍କୁ କଡ଼ା ଟକ୍କର ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ଦୁଇ ମାସର ସଫଳ ପାଇଲଟ ପ୍ରୋଜେକ୍ଟ ପରେ ବର୍ତ୍ତମାନ ଏହି ସେବାକୁ ଦିଲ୍ଲୀ –ଏନସିଆର ଓ ଗୁଜରାଟରେ ଆରମ୍ଭ କରାଯାଇଛି।

ଆହୁରି ମଧ୍ୟ ପଢନ୍ତୁ : ୧୦ ଲକ୍ଷ ଡଲାରର ଗ୍ଲୋବାଲ ଟିଚର ପ୍ରାଇଜ୍ ଜିତିଲେ ଭାରତୀୟ ଶିକ୍ଷୟିତ୍ରୀ, ଶହ ଶହ ଶିକ୍ଷାକେନ୍ଦ୍ର ଖୋଲି ଗରିବ ପିଲାଙ୍କୁ ପଢାଉଛନ୍ତି

ଦୁଇ ବର୍ଷ ଭିତରେ ସାରା ଦେଶରେ ଆରମ୍ଭ ହେବ ସେବା –

ଆପ୍ ଲଞ୍ଚ ବେଳେ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କେନ୍ଦ୍ର ମନ୍ତ୍ରୀ କହିଛନ୍ତି – ଆଜି ୮ ଲକ୍ଷ ସାରଥୀ(ଡ୍ରାଇଭର) ପ୍ରତିନିଧିଙ୍କ ଉପସ୍ଥିତିରେ ସହଯୋଗୀ ଟ୍ୟାକ୍ସି ସେବା (କୋଅପରେଟିଭ୍ ଟାକ୍ସି ସର୍ଭିସ) ଆରମ୍ଭ ହେଉଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ କାଶ୍ମୀର ଠାରୁ କନ୍ୟାକୁମାରୀ ଓ ଦ୍ୱାରକାରୁ କାମାକ୍ଷା ଯାଏ ପୂରା ଦେଶରେ ଏହି ପ୍ଲାଟଫର୍ମ ଆମର ଟ୍ୟାକ୍ସି ସାରଥୀଙ୍କ କଲ୍ୟାଣର ସବୁଠୁ ବଡ଼ ମାଧ୍ୟମ ସାବ୍ୟସ୍ତ ହେବ। ଶାହ କହିଛନ୍ତି ଯେ, ମହିଳା ,ସଶକ୍ତିକରଣକୁ ବୃଦ୍ଧି ଦେବା ପାଇଁ ଏହି ପ୍ଲାଟଫର୍ମରେ ‘ବାଇକ୍ ଦିଦି’ର ସୁବିଧା ମଧ୍ୟ ମିଳିବ। ଏହା ଏକ ଏମିତି ପ୍ରୟାସ ,ଯାହା ଅନୁସାରେ ଏବେ ସୁଦ୍ଧା ୧୫୦ରୁ ଅଧିକ ମହିଳା ଡ୍ରାଇଭର ଭାରତ ଟ୍ୟାକ୍ସି ସହ ଯୋଡ଼ି ହୋଇ ସାରିଛନ୍ତି।

‘ଭାରତ ଟ୍ୟାକ୍ସି’ ସେବାର ୫ ପ୍ରମୁଖ ବିଶେଷତ୍ୱ -

କେନ୍ଦ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଏହି ପ୍ଲାଟଫର୍ମ ଏକ ମଜବୁତ୍ ସ୍ୱଦେଶୀ ଓ ସହଯୋଗୀ ବିକଳ୍ପ ପ୍ରଦାନ କରିଥାଏ। ଏହାର ପ୍ରମୁଖ ବିଶେଷତ୍ୱର କଥା ଯଦି କହିବା ତ ଏହା (୧) ଜିରୋ କମିଶନ ମଡେଲ ଉପରେ ଆଧାରିତ , ଯେଉଁଥିରେ ଡ୍ରାଇଭରଙ୍କ ଠାରୁ କୌଣସି କମିଶନ ନିଆଯିବ ନାହିଁ, ଯେଉଁଥିରେ ତାଙ୍କର ଆୟରେ ବୃଦ୍ଧି ହେବ। ଏହାସହ ଏହି ଆପ୍ ମାଧ୍ୟମରେ ଟ୍ୟାକ୍ସି ବୁକ୍ କରିବାରେ ଯାତ୍ରୀଙ୍କୁ (୨) ‘ସର୍ଜ ପ୍ରାଇଜିଂ’ରେ ମୁକ୍ତି ମିଳିବ, ଅର୍ଥାତ୍ ପିକ୍ ଆୱାର୍ସ ବେଳେ ଗ୍ରାହକଙ୍କ ଠାରୁ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯିବ ନାହିଁ।

ଶାହ କହିଛନ୍ତି ଯେ, ଏହି ପ୍ଲାଟଫର୍ମ ମାଧ୍ୟମରେ ହେବାକୁ ଥିବା (୩) ପୂରା ଲାଭ ସିଧା ସାରଥୀ (ଡ୍ରାଇଭର)ଙ୍କ ମଧ୍ୟରେ ବଣ୍ଟା ଯିବ। ଏହାସହ ( ୪) ଏହି ଆପ୍ ସହ ଜଡ଼ିତ ସାରଥୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ବୀମା ଓ ରିଟାୟରମେଣ୍ଟ ସେଭିଂର ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି। ଏମିତି କି ( ୫) ଡ୍ରାଇଭରଙ୍କ ଉପରେ କୌଣସି ପ୍ରକାରର ‘ଏକ୍ସକ୍ଲୁସିଭିଟି କ୍ଲଜ୍’ ମଧ୍ୟ ହେବ ନାହିଁ, ଅର୍ଥାତ୍ ସେ ଅନ୍ୟ ପ୍ଲାଟଫର୍ମରେ ମଧ୍ୟ କାମ କରିବା ପାଇଁ ସ୍ୱାଧୀନତା ପାଇବେ।