କେନ୍ଦ୍ରାପଡ଼ା,୧୭/୦୩:  ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପାଇଁ ଗହୀରମଥାକୁ ନୋ ଫିସିଂ ଜୋନ୍‌ ଘୋଷଣା କରାଯାଇଛି । ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏ କଟକଣା ସମୟରେ ସମୁଦ୍ରରେ ମାଛ ଧରିବା ପାଇଁ ବାରଣ କରାଯାଇଛି । ତା’ ପରେ ମଧ୍ୟ ଟ୍ରଲର୍‌ଗୁଡ଼ିକ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାର ନିଷିଦ୍ଧାଞ୍ଚଳରେ ପଶି ମାଛ ଧରୁଛନ୍ତି । ଫଳରେ ଟ୍ରଲର୍‌ ମାଡ଼ରେ ଅକାଳରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହେଉଛି । ବନ ବିଭାଗ ତରଫରୁ ଚଳିତ ବର୍ଷ ସୁଦ୍ଧା ପ୍ରାୟ ୬୦୦ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଅଧିକ କଇଁଛ ଜୀବନ ହରାଇଥିବା ଅଭିଯୋଗ ହେଉଛି । ପାଖରେ ଗହୀରମଥା ରେଂଜ୍‌ ଅଫିସ ଥିଲେ ମଧ୍ୟ ଅଲିଭ୍‌ରିଡ୍‌ଲେଙ୍କ ଅକାଳ ମୃତ୍ୟୁକୁ ରୋକାଯିବା ନେଇ ପଦକ୍ଷେପ ନିଆଯିବା ଭିନ୍ନ କଥା ମୃତ୍ୟୁ ପରେ ମରଶରୀରକୁ ପୋତିବାକୁ ମଧ୍ୟ ଆଗ୍ରହ ଦେଖାଉନଥିବା ଅଭିଯୋଗ ହେଉଛି।

ନିକଟରେ ଗହୀରମଥା ବେଳାଭୂମିରେ ପଡ଼ିଥିବା ଶତାଧିକ କଇଁଛଙ୍କ ମୃତଶରୀର ମିଳିବା ଉଦ୍‌ବେଗର ବିଷୟ ପାଲଟିଛି । ତା’ଠାରୁ ବଡ଼ ଚିନ୍ତାର ବିଷୟ ବନ ବିଭାଗ କର୍ମଚାରୀ ଏହାକୁ ରୋକିବା ପାଇଁ ଉଦ୍ୟମ କରିବା ବଦଳରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ସେମାନେ ବେଳାଭୂମିରେ ପଡ଼ିଥିବା ମୃତ କଇଁଛଙ୍କ ଦେହରେ ଭଙ୍ଗା କାଠ ଚେୟାର ଗୋଡ଼ ଘୋଡ଼ାଇ ଦେଇଥିଲେ । ପୁଣି କଇଁଛଙ୍କ ମୃତଦେହକୁ କୁକୁର, ବିଲୁଆ ଝୁଣି ଖାଉଥିବା ଦେଖାଯାଇଥିଲା । ବନ ବିଭାଗ କ’ଣ ପାଇଁ କଇଁଛ ମୃତଦେହ ଲୁଚାଇବାକୁ ଚେଷ୍ଟା କରୁଛି, ତାହା ଅବୁଝା ରହିଯାଇଛି । ୧୯୯୭ ମସିହାରୁ ଅଲିଭ୍‌ରିଡ୍‌ଲେ କଇଁଛମାନଙ୍କର ଅନ୍ତୁଡ଼ିଶାଳ କୁହାଯାଉଥିବା ଗହୀରମଥା ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ମିଳିଛି । ଧାମରା ମୁହାଣରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ପ୍ରାୟ ୭୦ କିଲୋମିଟର ବ୍ୟାପୀ ଉପକୂଳ ଅଞ୍ଚଳ ଗହୀରମଥାର ସାମୁଦ୍ରିକ ଅଭୟାରଣ୍ୟ ପରିସରରେ ଆସୁଛି । ଅଣ୍ଡାଦାନ ସମୟରେ କୂଳରୁ ୨୦ କିଲୋମିଟର ସମୁଦ୍ର ଭିତରେ କଇଁଛମାନଙ୍କୁ ସୁରକ୍ଷା ଦେବାକୁ ମାଛଧରା ଉପରେ କଟକଣା ଲାଗିଥାଏ । 

କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ପରଠାରୁ ନାସୀ ଦ୍ୱୀପଠାରୁ ଅଳ୍ପ ଦୂରରେ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟିରୁ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ସମୟରେ ବନ ବିଭାଗ ପକ୍ଷରୁ ସୁରକ୍ଷା କଡ଼ାକଡ଼ି କରିବାକୁ ବ୍ୟବସ୍ଥା କରାଯାଇଛି । ତା’ ସତ୍ତେ୍ୱ ମା’ ଅଲିଭ୍‌ରିଡ୍‌ଲେ କଇଁଛଙ୍କର ଅକାଳରେ ମୃତ୍ୟୁ ହେଉଛି । କଟକଣା ମାନୁନାହାନ୍ତି ମାଛ ମାଫିଆ । ଲୁଚାଛପାରେ ଗହୀରମଥାରେ ଟ୍ରଲର ଓ ବଡ଼ ବଡ଼ ବୋଟ୍‌ ଜରିଆରେ ମାଛ ଧରାଯାଉଥିବାରୁ ଜାଲ ଫାଶରେ ପଡ଼ି କଇଁଛଙ୍କର ମୃତ୍ୟୁ ହେଉଛି । ବାଲୁକା ଶଯ୍ୟା ପ୍ରଦୂଷଣ, ଶିକାରୀମାନଙ୍କ ଦୌରାତ୍ମ୍ୟ ଓ ଚିଲମାନଙ୍କ ଯୋଗୁଁ ଅନେକ ମା’ କଇଁଛମାନଙ୍କର ମୃତଦେହ ବାଲୁକା ଶଯ୍ୟାରେ ପଡ଼ିରହିଥିବା ଦେଖିବାକୁ ମିଳୁଛି । ପ୍ରଦୂଷିତ ସମୁଦ୍ର ପାଣି ହେଉ ଅବା ବା ସମୁଦ୍ରରେ ପ୍ଲାଷ୍ଟିକ୍‌ ବସ୍ତୁ ଭାସିବା ମଧ୍ୟ ଅନ୍ୟତମ କାରଣ ବୋଲି ପରିବେଶବିତ୍‌ଙ୍କ ମତ । 

ଆହୁରି ପଢନ୍ତୁ-ଆଇଗିଣିଆ ଛକରେ ବସ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ ମାମଲା: ଫେରାର ଚାଳକକୁ ବାନ୍ଧିଲା ପୁଲିସ​​​​​​​

ଖାଲି ସେତିକି ନୁହେଁ, ବାଲୁକା ଶଯ୍ୟା ଅଞ୍ଚଳର ଅବକ୍ଷୟ କିମ୍ବା ବର୍ଜ୍ୟବସ୍ତୁ ସମୁଦ୍ର ପାଣିରେ ମିଶିବା ପାଇଁ କଇଁଛମାନଙ୍କର ମୃତଦେହ ପଡ଼ିରହୁଛି ବୋଲି ଆଶଙ୍କା ଉପୁଜିଛି । ରାଜନଗର ଡିଏଫ୍‌ଓ ଭରଦ୍ୱାଜ ଗାଓଁକରଙ୍କୁ ପଚାରିବାରୁ କହିଛନ୍ତି କି ନଭେମ୍ବରରୁ ଏବେ ସୁଦ୍ଧା ମୋଟ୍‌ ୫୮୪ଟି ଅଲିଭ୍‌ରିଡ୍‌ଲେଙ୍କ ମୃତଶରୀର ମିଳିଛି । କଇଁଛଙ୍କ ମୃତ୍ୟୁର କାରଣ ବେଆଇନ ମାଛଧରା ପ୍ରମୁଖ କାରଣ ନୁହେଁ । ଦୀର୍ଘ ସମୟ ଧରି ସମୁଦ୍ରରେ ଯାତ୍ରା, ସ୍ଥାନୀୟ ଜଳବାୟୁ ସହ ଖାପ ଖୁଆଇ ନପାରିବା ଯୋଗୁଁ ବହୁ ଅଲିଭ୍‌ରିଡ୍‌ଲେଙ୍କ ମୃତ୍ୟୁ ଘଟୁଛି । କଇଁଛ ମୃତ୍ୟୁକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ନିଷିଦ୍ଧାଞ୍ଚଳରେ କଟକଣା କଡ଼ାକଡ଼ି କରାଯାଇଛି । ଯେଉଁମାନେ କଟକଣା ଖିଲାପ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନତଃ ପଦକ୍ଷେପ ନିଆଯାଉଛି । ଚଳିତ ବର୍ଷ ଏବେ ସୁଦ୍ଧା ୪୦୯ କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇସାରିଲେଣି ।