ନୂଆଦିଲ୍ଲୀ : ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଓମାନର ମଧ୍ୟସ୍ଥତାରେ ତେହରାନ ଓ ୱାଂଶିଟନ ମଧ୍ୟରେ, ଶୁକ୍ରବାର ମସ୍କଟରେ ଅନେକ ସ୍ତରୀୟ ଆଲୋଚନା ଶେଷ ହେବା କ୍ଷଣି, ଆମେରିକା ତୁରନ୍ତ ଇରାନର ତୈଳ ରପ୍ତାନୀ ଉପରେ କଟକଣା ଘୋଷଣା କରି ଦେଇଛି। ଏହି ସବୁ କଟକଣାର ଉଦ୍ଦେଶ୍ୟ ଇରାନର ତୈଳ ରପ୍ତାନୀକୁ ଆହୁରି ସୀମିତ କରିବା କୁହାଯାଇଛି। ଏହି ଘଟଣା ତେହେରାନକୁ ଆଶ୍ଚର୍ଯ୍ୟ କରିଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଇରାନ ତୈଳର ହେଉଥିବା ଆୟର ବ୍ୟବହାର ଦୁନିଆର ଅଲଗା ଅଲଗା ଭାଗରେ ଅସ୍ଥିରତା ପ୍ରସାର କରିବା ଏବଂ ନିଜ ଦେଶ ଭିତରେ ଦମନ ବଢାଇବାକୁ କରିଥାଏ।
ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଟମି ପିଗାଟ୍ କହିଛନ୍ତି – ରାଷ୍ଟ୍ରପତି ଟ୍ରମ୍ପ ଇରାନର ଅବୈଧ ତୈଳ ଓ ପେଟ୍ରୋକେମିକାଲ ରପ୍ତାନୀକୁ ରୋକିବା ପାଇଁ ନିଜର ସର୍ବାଧିକ ଚାପ ନୀତି ଉପରେ ଦୃଢ ରହିଛନ୍ତି। ଆମେ ଯେଉଁ ୧୪ଟି ଜାହାଜକୁ ଟାର୍ଗେଟ୍ କରିଛୁ, ଏହା ଉପରେ ଇରାନୀ ତେଲ ପରିବହନ କରିବାର ଅଭିଯୋଗ ରହିଛି। ଏଥିରେ ତୁର୍କୀ, ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସର ପତାକା ଉଡ଼ାଉ ଥିବା ଜାହାଜ ସାମିଲ ଥିବାର କୁହାଯାଉଛି। ଏହା ବ୍ୟତୀତ ଆମେରିକା ୧୫ଟି କମ୍ପାନୀ ଓ ୨ ବ୍ୟକ୍ତିଙ୍କ ଉପରେ ମଧ୍ୟ କଟକଣା ଲଗାଇବାକୁ ଘୋଷଣା କରିଛି। ଏହିସବୁ ଜାହାଜ ଓ ସଂସ୍ଥା ସହ ଜଡ଼ିତ କୌଣସି ବି ନେଣ ଦେଣ ଏବେ ଆମେରିକୀୟ ପରିସରରେ ବେଆଇନ ମନେକରାଯିବ।
ଟ୍ରମ୍ପ ଯୁଗର ଦୃଢ ନୀତି ଜାରି –
ଆମେରିକା ପ୍ରଥମେ ମଧ୍ୟ ଇରାନ ଉପରେ ଏହିପରି ପ୍ରତିବନ୍ଧକ ଲଗାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ହିଁ ୱାଶିଂଟନର ନୀତି ରହିଛି ଯେ, ବିଶ୍ୱର କୌଣସି ବି ଦେଶ ଇରାନ ଠାରୁ ତୈଳ କ୍ରୟ ନକରନ୍ତୁ। ଏହି କଟକଣାର ଉଦ୍ଦେଶ୍ୟ ଇରାନର ଅର୍ଥବ୍ୟବସ୍ଥା ଉପରେ ଚାପ ପ୍ରୟୋଗ କରି ତାକୁ ନିଜର ପରମାଣୁ କାର୍ଯ୍ୟକ୍ରମ ଓ କ୍ଷେତ୍ରୀୟ କାର୍ଯ୍ୟକଳାପ ଉପରେ ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ କରିବା।
ମଜାଦାର କଥା ଏହା ଯେ, କଟକଣାର ଘୋଷଣା ଏମିତି ସମୟରେ ହୋଇଛି ,ଯେବେ ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚୀ କହିଛନ୍ତି ଯେ, ଓମାନରେ ଆମେରିକାର ବରିଷ୍ଠ ପ୍ରତିନିଧିଙ୍କ ସହ ପରମାଣୁ କାର୍ଯ୍ୟକ୍ରମ ଉପରେ ହୋଇଥିବା ଅପ୍ରତ୍ୟକ୍ଷ କଥାବାର୍ତ୍ତାର ମାହୋଲ ସକରାତ୍ମକ ରହିଛି। ହେଲେ ଆମେରିକା କଥାବାର୍ତ୍ତା ସତ୍ତ୍ୱେ ଚାପର ନୀତିରେ କୌଣସି ଢିଲା ଦେଇ ନାହିଁ।