ନୂଆଦିଲ୍ଲୀ, ୧୬।୭: ଆମେରିକା ସେନାରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଣିକି ୩୦ ବର୍ଷରୁ ଅଧିକ ବୟସ୍କ ସୈନିକମାନଙ୍କ ପାଇଁ ହର୍ମୋନ ଟେଷ୍ଟ ବାଧ୍ୟତାମୂଳକ କରାଯିବ । ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ବୁଧବାର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ୩୦ ବୟସ ପାର୍ କରିଥିବା ସୈନିକମାନଙ୍କୁ ବର୍ଷକୁ ଥରେ ନିଜର 'ଟେଷ୍ଟୋଷ୍ଟେରନ୍' ହର୍ମୋନ ପରୀକ୍ଷା କରିବାକୁ ପଡ଼ିବ । ଏବେ ପ୍ରଶ୍ନ ଉଠୁଛି ଏଭଳି ନିଷ୍ପତ୍ତି କାହିଁକି ନିଆଗଲା ? ଏହି ନିଷ୍ପତ୍ତି ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୈନିକମାନଙ୍କ ଶରୀରରେ ହର୍ମୋନର ଅଭାବକୁ ଦୂର କରିବା, ଯାହାଦ୍ୱାରା ସେମାନେ ନିଜର ପୂର୍ଣ୍ଣ ଶକ୍ତି ଓ ଦକ୍ଷତା ସହିତ ଦେଶର ସେବା କରିପାରିବେ ।
ବୟସ ବଢ଼ିବା ସହିତ ଶରୀରରେ ଟେଷ୍ଟୋଷ୍ଟେରନ୍ ସ୍ତର ପ୍ରାକୃତିକ ଭାବେ ହ୍ରାସ ପାଇଥାଏ ବୋଲି ବିଜ୍ଞାନ ପ୍ରମାଣ କରିଛି । ଏହାକୁ ସନ୍ତୁଳିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ପ୍ରତିରକ୍ଷା ସଚିବଙ୍କ କହିବା ଅନୁସାରେ, ଯେଉଁ ସୈନିକମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନର ମାତ୍ରା କମ୍ ଜଣାପଡ଼ିବ, ସେମାନଙ୍କୁ ଡାକ୍ତରୀ ଯାଞ୍ଚ ପରେ ଆବଶ୍ୟକ ସ୍ଥଳେ 'ଟେଷ୍ଟୋଷ୍ଟେରନ୍ ରିପ୍ଲେସମେଣ୍ଟ ଥେରାପି' ପ୍ରଦାନ କରାଯିବ । ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ କହିଛନ୍ତି, "ବୟସ ବଢ଼ିବା ସହ ଟେଷ୍ଟୋଷ୍ଟେରନ୍ ସ୍ତର କମିବା ସ୍ୱାଭାବିକ। ଏହି ଥେରାପି ଦ୍ୱାରା ସୈନିକମାନଙ୍କ ହର୍ମୋନ ସ୍ତର ଠିକ୍ ରହିବ ଏବଂ ସେମାନେ ଶତପ୍ରତିଶତ କ୍ଷମତା ସହ କାମ କରିପାରିବେ ।"
ଏହା ବି ପଢ଼ନ୍ତୁ... Iran-America War: ଇରାନକୁ ଧ୍ୱଂସ କରିବାକୁ ଆମେରିକାର ଚକ୍ରବ୍ୟୂହ, ପରମାଣୁ ଘାଟି ଉଡ଼ାଇବାକୁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ !
ପ୍ରତିବର୍ଷ ହେବ ମେଡିକାଲ ଟେଷ୍ଟ:
ନୂଆ ନିୟମ ଅନୁଯାୟୀ, ୩୦ ବର୍ଷ ବା ତା'ଠାରୁ ଅଧିକ ବୟସର ସମସ୍ତ ଆମେରିକୀୟ ସୈନିକଙ୍କର ପ୍ରତିବର୍ଷ ବାର୍ଷିକ ମେଡିକାଲ ଯାଞ୍ଚ କରାଯିବ । ଏଥିରେ ସେମାନଙ୍କ ଟେଷ୍ଟୋଷ୍ଟେରନ୍ ସ୍ତର ମପାଯିବ । ତେବେ ଏହି ଥେରାପି ବାଧ୍ୟତାମୂଳକ ନୁହେଁ; ସୈନିକମାନେ ନିଜ ଇଚ୍ଛା ଅନୁସାରେ ଏହି ଚିକିତ୍ସା ଗ୍ରହଣ କରିପାରିବେ । ଅପରପକ୍ଷରେ, ୩୦ ବର୍ଷରୁ କମ୍ ବୟସର ସୈନିକମାନେ ମଧ୍ୟ ଯଦି ଚାହିଁବେ, ତେବେ ଅନୁରୋଧ କରି ନିଜର ଏହି ହର୍ମୋନ ପରୀକ୍ଷା କରାଇପାରିବେ । ଆମେରିକା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟେଷ୍ଟୋଷ୍ଟେରନ୍ ଚିକିତ୍ସା ସହ ଜଡ଼ିତ ପୁରୁଣା କଠୋର ନିୟମକୁ କୋହଳ କରାଯିବା ପରେ ଏହି ନିଷ୍ପତ୍ତି ଆସିଛି । ମାତ୍ର ଏହାକୁ ନେଇ ଏବେ ଆମେରିକା ରାଜନୀତି ସରଗରମ ହୋଇଛି । ବିରୋଧୀ ଡେମୋକ୍ରାଟ୍ ଦଳର ନେତାମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ବିରୋଧୀ ନେତ୍ରୀ ସମର ଲି ଏବଂ ସିନେଟର ଟାମି ଡକୱର୍ଥ କହିଛନ୍ତି ଯେ, କିଛି ସମୟ ପୂର୍ବରୁ ସରକାର କିନ୍ନର ସୈନିକମାନଙ୍କ ହର୍ମୋନ ଚିକିତ୍ସା ଉପରେ ରୋକ୍ ଲଗାଇଥିଲେ । ଯଦି ସାଧାରଣ ସୈନିକମାନଙ୍କୁ ଶରୀରର ହର୍ମୋନ ବଦଳାଇବା ପାଇଁ ଅନୁମତି ଦିଆଯାଉଛି, ତେବେ ଏହା ମଧ୍ୟ ଏକ ପ୍ରକାରର 'ଜେଣ୍ଡର-ଆଫର୍ମିଂ କେୟାର' । ଏଭଳି ପରିସ୍ଥିତିରେ ଟ୍ରାନ୍ସଜେଣ୍ଡର ସୈନିକମାନଙ୍କ ପାଇଁ ଅଲଗା ନିୟମ କାହିଁକି ରଖାଯାଇଛି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।