ନୂଆଦିଲ୍ଲୀ, ୧୬।୭: ଇରାନ ବିରୋଧରେ ଆମେରିକା ଏବେ ଏକ ବଡ଼ ଧରଣର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ସାମରିକ ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ଗମ୍ଭୀରତାର ସହ ବିଚାର କରୁଛନ୍ତି । 'ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍'ର ରିପୋର୍ଟ ଅନୁସାରେ, ନିଜର ବରିଷ୍ଠ ପରାମର୍ଶଦାତାମାନଙ୍କ ସହ ଦୀର୍ଘ ଆଲୋଚନା ପରେ ଟ୍ରମ୍ପ ଏହି ଦିଗରେ ନିଜର ଆଗ୍ରହ ପ୍ରକାଶ କରିଛନ୍ତି । ଏଥିରେ ହୋର୍ମୁଜ ପ୍ରଣାଳୀ ନିକଟରେ ଥିବା ଇରାନର ଦ୍ୱୀପଗୁଡ଼ିକ ଉପରେ ସ୍ଥଳସେନା ପଠାଇ କବ୍‌ଜା କରିବା ଭଳି ଏକ ବଡ଼ ରଣନୀତି ମଧ୍ୟ ସାମିଲ ରହିଛି ।

ରିପୋର୍ଟ ମୁତାବକ, ଟ୍ରମ୍ପ ପ୍ରଶାସନ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ପରିସର ବଢ଼ାଇବାକୁ ଯୋଜନା କରୁଛି । ଏଥିପାଇଁ ମୁଖ୍ୟତଃ ତିନୋଟି ବଡ଼ ବିକଳ୍ପ ଉପରେ ଚର୍ଚ୍ଚା ଚାଲିଛି । ଇରାନର ସାମରିକ ଠିକଣା ଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ୍‌କୁ ଆହୁରି ଜୋରଦାର କରାଯିବ । ହୋର୍ମୁଜ ପ୍ରଣାଳୀ ଏବଂ ଖର୍ଗ ଦ୍ୱୀପ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆମେରିକୀୟ ସ୍ଥଳସେନା ପଠାଇ ସେଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନିଆଯିବ । ଇରାନର ଏକ ଅତି ସୁରକ୍ଷିତ ତଥା ଦୁର୍ଗ ସଦୃଶ ଗୁପ୍ତ ପରମାଣୁ କେନ୍ଦ୍ର ଉପରେ ଭୀଷଣ ବୋମାମାଡ଼ କରି ତାକୁ ଧ୍ୱଂସ କରାଯିବ ।

ଏହା ବି ପଢ଼ନ୍ତୁ... Iran-US War: ଟ୍ରମ୍ପଙ୍କ ଧମକ ପରେ ହୋର୍ମୁଜ ଧୂଆଁ ଧୂଆଁ...ଇରାନ୍କୁ ଦୋହଲାଇ ଦେଲା ଆମେରିକା

ସିଚୁଏସନ ରୁମ୍‌ରେ ହାଇ-ଲେଭଲ୍ ମିଟିଂ:

ଆମେରିକା ସମୟ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସର 'ସିଚୁଏସନ ରୁମ୍'ରେ ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ । ଏହି ବୈଠକରେ ଇରାନର ମୁଖ୍ୟ ତେଲ ରପ୍ତାନି କେନ୍ଦ୍ର 'ଖର୍ଗ ଦ୍ୱୀପ' ଏବଂ ହୋର୍ମୁଜ ଆଖପାଖ ଅଞ୍ଚଳରେ ଆମେରିକୀୟ ସୈନିକଙ୍କ ଦ୍ୱାରା କବ୍‌ଜା କରାଯିବାର ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହା ସହିତ ଇରାନର ପରମାଣୁ କାର୍ଯ୍ୟକଳାପ ସହ ଜଡ଼ିତ ଏବଂ ପାହାଡ଼ ଭିତରେ ସୁଡ଼ଙ୍ଗ କରି ନିର୍ମିତ ହୋଇଥିବା ଅତି ଗୁପ୍ତ ସାମରିକ ଘାଟି 'ପିକାକ୍ସ ମାଉଣ୍ଟେନ' ଉପରେ ବୋମାମାଡ଼ କରିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି । ଆମେରିକା ଏପର୍ଯ୍ୟନ୍ତ ଏହି ସ୍ଥାନକୁ କେବେ ବି ଟାର୍ଗେଟ୍ କରିନାହିଁ । ଇରାନର ଏନର୍ଜି ସାଇଟ୍ସ ଏବଂ ଅନ୍ୟାନ୍ୟ ସମ୍ୱେଦନଶୀଳ ସ୍ଥାନଗୁଡ଼ିକ ଉପରେ ବିମାନ ଆକ୍ରମଣ ବୃଦ୍ଧି କରିବାର ବିକଳ୍ପ ମଧ୍ୟ ଆମେରିକା ପାଖରେ ରହିଛି । ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ, ତଥାପି ଏହି ସମଗ୍ର ଘଟଣାକ୍ରମରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆମେରିକା ଇରାନ ପ୍ରସଙ୍ଗରେ ନିଜର ସାମରିକ ରଣନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି । ସାରା ବିଶ୍ୱର ନଜର ଏବେ ଟ୍ରମ୍ପଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ।