ନୂଆଦିଲ୍ଲୀ,୦୮/୦୭; ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା ବଢିଛି । ହୋର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଇରାନର ଆକ୍ରମଣ ପରେ ପ୍ରତିଶୋଧ ନେଇଛି ଆମେରିକା । ଇରାନର ୮୦ରୁ ଅଧିକ ଲକ୍ଷ୍ୟସ୍ଥଳରେ ଆକ୍ରମଣ କରିଛି ଆମେରିକା । ଇରାନୀ ସାମରିକ ଘାଟି ଉପରେ ଏକ ବଡ଼ ଏୟାରଷ୍ଟ୍ରାଇକ୍ କରିଛି । ମାତ୍ର ୮ ସେକେଣ୍ଡରେ ବ୍ୟାକ୍ ଟୁ ବ୍ୟାକ୍ ବିସ୍ଫୋରଣ ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରବର୍ତ୍ତୀ ସମୟରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ କିଛି ସେକେଣ୍ଡ ମଧ୍ୟରେ ଅନେକ ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି । ଇରାନ ଏହାକୁ ଅସ୍ତ୍ରବିରତି ଉଲ୍ଲଂଘନ ବୋଲି କହି କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି ।
ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମା, ଟ୍ରୁଥ ସୋସିଆଲରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ପ୍ରାୟ ୮ ସେକେଣ୍ଡରେ କ୍ରମାଗତ ୫ଟି ଜୋରଦାର ବିସ୍ଫୋରଣ ଘଟିଥିବା ଦେଖିବାକୁ ମିଳିଛି । ତଥାପି ଟ୍ରମ୍ପ ଏହା ସ୍ପଷ୍ଟ କରିନାହାନ୍ତି ଯେ, ଭିଡିଓଟି ଇରାନର କି ନାହିଁ । ଯହି ଇରାନର ତେବେ ଏହା କେଉଁ ଅଞ୍ଚଳର ବୋଲି ସ୍ପଷ୍ଟ ହୋଇନାହିଁ । ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ଅନୁଯାୟୀ, ହୋର୍ମୁଜ ପ୍ରଣାଳୀରେ ପରିବହନ କରୁଥିବା ୩ଟି ଜାହାଜ ଉପରେ ଆକ୍ରମଣର ଜବାବରେ ଏହି ସଦ୍ୟତମ ଆକ୍ରମଣ ହୋଇଛି । ଆମେରିକା ଦାବି କରିଛି ଯେ, ଇରାନ ଏହି ଜାହାଜଗୁଡିକୁ ଟାର୍ଗେଟ କରି ଆନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ଏବଂ ଯୁଦ୍ଧବିରତି ଚୁକ୍ତିନାମା ଉଲ୍ଲଂଘନ କରିଛି । ଏହି ଆକ୍ରମଣଗୁଡିକ ଇରାନର ଏୟାର ଡିଫେନ୍ସ ସିଷ୍ଟମ, କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର, ଉପକୂଳ ରାଡାର, ଜାହାଜ ବିରୋଧୀ ମିସାଇଲ ଏବଂ ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସର ୬୦ରୁ ଅଧିକ ସ୍ପିଡବୋଟକୁ ଟାର୍ଗେଟ କରିଥିଲା । ଆମେରିକୀୟ ସେନା କହିଛି, ଏହି ଆକ୍ରମଣ ଇରାନର ସାମୁଦ୍ରିକ ଆକ୍ରମଣ କ୍ଷମତାକୁ ଦୁର୍ବଳ କରିବା ପାଇ କରାଯାଇଛି ।
ଏହା ବି ପଢନ୍ତୁ...China Flood: ଚୀନ୍ରେ ‘ମାୟସକ୍’ ତାଣ୍ଡବ; ବର୍ଷା-ବନ୍ୟା-ଭୂସ୍ଖଳନ ହାହାକାର, ୨୦ ମୃତ, ଆତଙ୍କ ଖେଳାଇଲେ ସାପ
ସେପଟେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ 'ଖୋଲା ସାମରିକ ଆକ୍ରମଣ' ବୋଲି କହି ନିନ୍ଦା କରିଛି ଇରାନ । ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାକର କାଲିବାଫ କହିଛନ୍ତି ଯେ, ଆମେରିକା ଗତ ମାସରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରିଛି। ଇରାନର ମିଳିତ ସାମରିକ ମୁଖ୍ୟ ଖାତମ ଅଲ-ଆନବିୟା ଚେତାବନୀ ଦେଇଛି ଯେ, ଏହି ଆକ୍ରମଣର ଉଚିତ୍ ଜବାବ ଦିଆଯିବ । ଇରାନର ବିଭିନ୍ନ ସ୍ଥାନରେ ହୋଇଥିବା ଧ୍ୱଂସାବଶେଷକୁ ସୋସିଆଲ ମିଡିଆରେ ଆହୁରି ଭିଡିଓ ଦେଖାଯାଇଛି। ବନ୍ଦର ଆବାସରୁ ଜାସ୍କ ଦ୍ୱୀପ ଏବଂ ହରମୁଜଗାନ ପ୍ରଦେଶ ପର୍ଯ୍ୟନ୍ତ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିବା ଜଣାପଡିଚି । ଇରାନୀ ଗଣମାଧ୍ୟମ ଅନୁଯାୟୀ, ବନ୍ଦର ଆବାସ, କ୍ୱେଶମ୍ ଦ୍ୱୀପ ଏବଂ ସିରିକ୍ ଅଞ୍ଚଳରେ ଅନେକ ବିସ୍ଫୋରଣ ଶୁଣାଯାଇଛି। ଏହି ସଦ୍ୟତମ ସାମରିକ କାର୍ଯ୍ୟାନୁଷ୍ଠାନ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଆଲୋନଚାକୁ ପ୍ରଭାବିତ କରିପାରେ ।