ନୂଆଦିଲ୍ଲୀ,୦୮/୦୭; ଚୀନ୍ରେ ଗତ ୨୪ ଘଣ୍ଟାରେ ଝଡ଼ବର୍ଷା, ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ତାଣ୍ଡବ ରଚିଛି । ଏଥିଯୋଗୁ ଅନ୍ୟୁନ ୨୦ ଜଣଙ୍କ ମୃତ୍ୟୁ ଘଟିଛି । ୩୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଜରୁରିକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ, ବିପର୍ଯ୍ୟୟ ମୁକାବିଲା ଏବଂ ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରିବା ଲାଗି ସବୁପ୍ରକାର ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଅନୁସାରେ, ମଙ୍ଗଳବାର ଉତ୍ତର ପଶ୍ଚିମ ଚୀନ୍ର ଗାନ୍ସୁ ପ୍ରଦେଶର ଏକ ସହରରେ ଭୂସ୍ଖଳନ ଯୋଗୁ ୩୩ ଜଣ ମାଟି ତଳେ ପୋତି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ସେହିଠାରେ ହିଁ ମୃତ୍ୟୁ ଘଟିଥିଲା । ୨୧ ଜଣଙ୍କୁ ବାହାର କରାଯାଇଥିଲା । ଅନ୍ୟମାନେ ନିଖୋଜ ଥିବାବେଳେ ସେମାନଙ୍କ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।
ପୂର୍ବ ହୁବେଇ ପ୍ରଦେଶରେ ସୋମବାର ରାତିରେ ଝଡ଼ବର୍ଷା, ବଜ୍ରପାତ ଏବଂ ତୀବ୍ରଗତିରେ ପବନ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ନିଖୋଜ ଅଛନ୍ତି । ଏଠାରେ ୨୨ଟି କୋଠା ସମ୍ପୂର୍ଣ୍ଣ ଭାବେ ଭୁସୁଡ଼ି ପଡ଼ିଛି । ଅନ୍ୟୁନ ୪,୮୫୫ଟି ଘର କ୍ଷତିଗ୍ରସ୍ତ ହୋଇଛି । ଲିଉଲାନ୍ ରିଜର୍ଭରରେ ଥିବା ଡ୍ୟାମ୍ କାନ୍ଥର କେତେକ ଅଂଶ ଭାଙ୍ଗିଯାଇଛି । ଟାଇଫୁନ୍ ମେସାକ୍ ପ୍ରଭାବରେ ଗୁଆଙ୍ଗସିରେ ରେକର୍ଡ ବର୍ଷା ହୋଇଛି । ଏଥିଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ୮ ଜଣ ନିଖୋଜ ଅଛନ୍ତି । ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଏଠାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ପ୍ରଭାବିତଙ୍କ ନିକଟରେ ପହଞ୍ଚିବାକୁ ଜିନ୍ପିଙ୍ଗ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛି ମାସ ହେଲା ଚୀନ୍ରେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବର୍ଷା, ବନ୍ୟା, ଭୂସ୍ଖଳନ ଭଳି ବିପର୍ଯ୍ୟୟ ଦେଖିବାକୁ ମିଳୁଛି ।
ଏହା ବି ପଢନ୍ତୁ...Weather update : କମିଲା ବର୍ଷା, ଟଳିଲା ବନ୍ୟା ଭୟ... ସବୁ ନଦୀରେ କମିଲା ଜଳସ୍ତର, ଆଜି ପାଇଁ ୨ ଜିଲ୍ଲାକୁ ୟେଲୋ ଆଲର୍ଟ
ବନ୍ୟା ଯୋଗୁ ସାପମାନେ ଆତଙ୍କ ଖେଳାଇଛନ୍ତି । କାରଣ ବନ୍ୟାଜଳ ପ୍ରବାହରେ ଏକ ଫାର୍ମ ଭାଙ୍ଗି ପଡ଼ିବା ପରେ ପ୍ରାୟ ୯୦୦ ସାପ ବାହାରକୁ ଚାଲି ଆସିଛନ୍ତି । ହାଙ୍ଗଝୌରେ ଝଡ଼ ଏବଂ ବନ୍ୟା ଯୋଗୁଁ ଏକ ଫାର୍ମ ଭାଙ୍ଗି ପଡ଼ିବାରୁ ସମସ୍ତ ସାପ ବାହାରକୁ ବାହାରି ଆସିଥିଲେ । ହଂକଂ ସ୍ଥିତ ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଲୋକମାନେ ଅଣ୍ଟାଏ ପାଣିରେ ଠିଆ ହୋଇ ସାପ ଧରିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି ।