ନୂଆଦିଲ୍ଲୀ, ୧।୪: ପଶ୍ଚିମ ଏସିଆର ଅଶାନ୍ତ ବାତାବରଣ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଇରାନ ସହ ଜାରି ରହିଥିବା ସଂଘର୍ଷକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପଙ୍କ କହିବା ଅନୁଯାୟୀ, ଇରାନ ବିରୋଧରେ ଆମେରିକାର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର ଅର୍ଥାତ୍ ଆଗାମୀ ୨ ରୁ ୩ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ଶେଷ ହୋଇପାରେ । ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି ଯେ, ଗତ ମାସ ଶେଷରେ ଇସ୍ରାଏଲ ସହିତ ମିଶି ଆମେରିକା ଯେଉଁ ହାୱାଇ ଆକ୍ରମଣ ଆରମ୍ଭ କରିଥିଲା, ତାହାର ମୁଖ୍ୟ ଲକ୍ଷ୍ୟ ହାସଲ ହୋଇସାରିଛି । ସେ କହିଛନ୍ତି, "ଆମେ ଇରାନର ପରମାଣୁ ଅସ୍ତ୍ର ତିଆରି କରିବାର କ୍ଷମତାକୁ ପ୍ରାୟ ନଷ୍ଟ କରିଦେଇଛୁ । ଆମେରିକାର ମୁଖ୍ୟ ଟାର୍ଗେଟ୍ ପୂରା ହୋଇଛି ଏବଂ ଏବେ କେବଳ କାମ ଶେଷ କରିବାର ବାକି ରହିଛି ।"
ଏହା ବି ପଢ଼ନ୍ତୁ... An-26 ମିଲିଟାରୀ ପ୍ଲେନ୍ କ୍ରାସ୍; ପାହାଡ଼ ଉପରେ ଖସିଲା ବିମାନ, ୨୯ ମୃତ୍ୟୁ
ଟ୍ରମ୍ପଙ୍କ ଦାବି ଅନୁଯାୟୀ, ଆମେରିକା ବର୍ତ୍ତମାନ ଇରାନର ଆକାଶ ମାର୍ଗକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛି । ଏଥିସହିତ ଇରାନର ଅନେକ ଶୀର୍ଷ ସୈନ୍ୟ ଅଧିକାରୀ ଓ ରାଜନୈତିକ ନେତାଙ୍କ ମୃତ୍ୟୁ ପରେ ସେଠାରେ ଶାସନରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି । ନୂତନ ନେତାମାନେ ପୂର୍ବ ନେତୃତ୍ୱ ଅପେକ୍ଷା କମ୍ କଠୋରପନ୍ଥୀ ବୋଲି ଟ୍ରମ୍ପ ମତ ଦେଇଛନ୍ତି ।
ବିନା କୌଣସି ସର୍ତ୍ତ ବା ଡିଲ୍ରେ ଫେରିବ ସେନା:
ସାଧାରଣତଃ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେଲେ କୌଣସି ନା କୌଣସି ଚୁକ୍ତି ହୋଇଥାଏ, କିନ୍ତୁ ଟ୍ରମ୍ପ ଏଠାରେ ଏକ ଭିନ୍ନ ରଣନୀତି ଆପଣେଇଛନ୍ତି । ସେ କହିଛନ୍ତି ଯେ, ଇରାନ ସହ କୌଣସି ଚୁକ୍ତି ବା 'ଡିଲ୍' କରିବା ଆମେରିକା ପାଇଁ ଅପ୍ରାସଙ୍ଗିକ । ଟ୍ରମ୍ପ କହିଛନ୍ତି, "ଯେତେବେଳେ ଆମେ ଅନୁଭବ କରିବୁ ଯେ ଇରାନ ବହୁତ ପଛକୁ ଅର୍ଥାତ୍ ପାଷାଣ ଯୁଗକୁ ଚାଲିଗଲେଣି ଏବଂ ଆଉ ପରମାଣୁ ଅସ୍ତ୍ର ନିର୍ମାଣ କରିବା ଅବସ୍ଥାରେ ନାହାନ୍ତି, ସେତେବେଳେ ଆମେ ସେଠାରୁ ଚାଲିଆସିବୁ ।"
ତେଲ ଦର ହ୍ରାସ ନେଇ ଆଶା:
ଗତ ଫେବୃଆରୀ ୨୮ରୁ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ୱ ବଜାରରେ ତେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଏହି ପ୍ରସଙ୍ଗରେ ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ, ଆମେରିକୀୟ ସେନା ପ୍ରତ୍ୟାହାର ହେବା ମାତ୍ରେ ତେଲ ଦର ସ୍ୱାଭାବିକ ଅବସ୍ଥାକୁ ଫେରିବ । ଉଲ୍ଲେଖଯୋଗ୍ୟ ଯେ, ଇରାନ ଏହି ଯୁଦ୍ଧ ସମୟରେ ହୋର୍ମୁଜ ମଧ୍ୟକୁ ବନ୍ଦ କରିଦେଇଥିଲା, ଯାହା ଫଳରେ ତେଲ ଟ୍ୟାଙ୍କର ଯାତାୟାତ ବନ୍ଦ ହୋଇଯାଇଥିଲା । ଟ୍ରମ୍ପଙ୍କ ଏହି ବୟାନ ପରେ ବିଶ୍ୱ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଯଦି ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଯୁଦ୍ଧ ଶେଷ ହୁଏ, ତେବେ ଏହା ବିଶ୍ୱ ଅର୍ଥନୀତି ପାଇଁ ଏକ ବଡ଼ ଆଶ୍ୱସ୍ତି ହେବ ।