ନୂଆଦିଲ୍ଲୀ,୦୧/୦୪; ଭୟଙ୍କର ବିମାନ ଦୁର୍ଘଟଣା । କ୍ରିମିଆରେ ଏକ ରୁଷୀୟ ସାମରିକ ବିମାନ An-26 ଦୁର୍ଘଟଣାଗ୍ରସ୍ତ ହୋଇଛି । ରିପୋର୍ଟ ଅନୁଯାୟୀ ବିମାନ ଦୁର୍ଘଟଣା ହୋଇ ଏକ ପାହାଡ଼ ଉପରେ ଖସି ପଡିଛି । ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରାରମ୍ଭିକ ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି କିନ୍ତୁ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଘଟଣା ବାବଦରେ ସୂଚନା ଦେଇଛି । ୨୩ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ବିମାନରେ ଥିଲେ । ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଘଟଣାରେ କୌଣସି ବ୍ୟକ୍ତି ବଞ୍ଚି ରହିଥିବାର ରିପୋର୍ଟ ମିଳିନାହିଁ, ଯାହା ରୁଷରେ ଶୋକର ଛାୟା ଖେଳାଇ ଦେଇଛି । ବିମାନଟି ୟୁକ୍ରେନରୁ ରୁଷ ଦ୍ୱାରା ଜବତ କରାଯାଇଥିଲା । ଏହା ସେହି ବିମାନ ଥିଲା ଯାହାକୁ ୨୦୧୪ ମସିହାରେ ରୁଷ ୟୁକ୍ରେନରୁ ଜବତ କରିଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ବିମାନରେ "ବାହ୍ୟ ପ୍ରଭାବର କୌଣସି ସଙ୍କେତ" ମିଳିନାହିଁ, ଅର୍ଥାତ୍ ଏହାକୁ ୟୁକ୍ରେନ ଗୁଳି କରି ଖସାଇ ଦିଆଯାଇନାହିଁ ।
ଏହା ବି ପଢନ୍ତୁ...ବିଶ୍ୱରେ ଠପ୍ ହୋଇପାରେ ଇଣ୍ଟରନେଟ୍, ହୋର୍ମୁଜରେ ବିଛା ଯାଇଥିବା କେବଲ ନଷ୍ଟ ହେବା ଆଶଙ୍କା
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ରଣନୈତିକ କଳା ସାଗର ଉପଦ୍ୱୀପ ଉପରେ ଏକ "ନିୟମିତ ଉଡ଼ାଣ" ସମୟରେ ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୬ଟାରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଟିଏଏସଏସ ସମାଚାର ଏଜେନ୍ସି ଏକ ସୂତ୍ରକୁ ଉଦ୍ଧାର କରି କହିଛି ଯେ, ବିମାନଟି ଏକ ପାହାଡ଼ରେ ଖସି ପଡ଼ିଛି । ପ୍ରାଥମିକ ତଥ୍ୟ ସୂଚିତ କରୁଛି ଯେ ବିମାନଟି କୌଣସି ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇଥାଇପାରେ ।