ନୂଆଦିଲ୍ଲୀ, ୧୧।୧: ଶନିବାର ଇସଲାମିକ୍ ଷ୍ଟେଟ୍ ସିରିୟାକୁ ଟାର୍ଗେଟ୍ କରିଛି ଆମେରିକା । ଆମେରିକା ସେନା ଏବଂ ଏହାର ସହଯୋଗୀମାନେ ସିରିୟାର ଆଇଏସଆଇଏସ ଠିକଣା ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛନ୍ତି । ଆମେରିକା କେନ୍ଦ୍ରୀୟ କମାଣ୍ଡ ସାମରିକ କାର୍ଯ୍ୟାନୁଷ୍ଠାନକୁ ନିଶ୍ଚିତ କରି ଏହାକୁ ଗତ ମାସରେ ହୋଇଥିବା ଘାତକ ଆକ୍ରମଣର ସିଧାସଳଖ ଜବାବ ବୋଲି କହିଛି, ଯେଉଁଥିରେ ୩ ଜଣ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଥିଲା । କେନ୍ଦ୍ରୀୟ କମାଣ୍ଡ ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶରେ ଆରମ୍ଭ ହୋଇଥିବା ‘ଅପରେସନ ହକ୍ଆଇ ଷ୍ଟ୍ରାଇକ୍’ର ଏକ ଅଂଶ ।
୨୦୨୫ ଡିସେମ୍ୱର ୧୩ରେ ଆମେରିକା ସିରିୟାର ପାଲମିରାରେ ଆଇଏସଆଇଏସ ଏବଂ ସିରିୟା ସେନା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଆୟୋୱାର ଦୁଇ ଆମେରିକୀୟ ସୈନିକ, ସାର୍ଜେଣ୍ଟ ଏଡଗାର ବ୍ରାଏନ୍ ଟୋରେସ୍ ଟୋଭାର ଏବଂ ସାର୍ଜେଣ୍ଟ ୱିଲିୟମ୍ ନାଥାନିଏଲ୍ ହାୱାର୍ଡ ସହିଦ ହୋଇଥିଲେ । ଜଣେ ନାଗରିକ ଆୟାଦ୍ ମନସୁର ସାକାତଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଆୟୋୱା ନ୍ୟାସନାଲ ଗାର୍ଡର ଅନ୍ୟ ୩ ଜଣ ସଦସ୍ୟ ଆହତ ହୋଇଥିଲେ । ଡିସେମ୍ୱର ୨୦୨୪ରେ ବସର ଅଲ-ଆସାଦଙ୍କ ଶାସନର ପତନ ପରେ ଏହା ସିରିୟାର ଆମେରିକୀୟ କର୍ମଚାରୀଙ୍କ ଉପରେ ପ୍ରଥମ ଘାତକ ଆକ୍ରମଣ ଥିଲା ।
ଆମେରିକାର ବଡ଼ ଚେତାବନୀ: ଆମେ ଖୋଜି ଖୋଜି ମାରିବୁ
ଶନିବାର ପ୍ରାୟ ୧୨ ଟା ୩୦ ସମୟରେ ହୋଇଥିବା ଆକ୍ରମଣ ପରେ ଜାରି ହୋଇଥିବା ଏକ ଦୃଢ଼ ବିବୃତ୍ତିରେ, ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ କହିଛି, ଆମର ବାର୍ତ୍ତା ସ୍ପଷ୍ଟ ଏବଂ ଦୃଢ଼ । ଯଦି ତୁମେ ଆମର ଯୋଦ୍ଧାମାନଙ୍କୁ କ୍ଷତି ପହଞ୍ଚାଇବ, ତେବେ ଆମେ ବି ତୁମକୁ ଖୋଜି ବାହାର କରିବୁ ଏବଂ ବିଶ୍ୱର ଯେ କୌଣସି ସ୍ଥାନରେ ଲୁଚିଥିଲେ ବି ଧ୍ୱଂସ କରିଦେବୁ । ତୁମେ ନ୍ୟାୟରୁ ରକ୍ଷା ପାଇବାକୁ ଯେତେ ଚେଷ୍ଟା କଲେ ବି ସଫଳ ହେବ ନାହିଁ । ସାମରିକ କମାଣ୍ଡ ଜୋର ଦେଇ କହିଛି ଯେ, ଏହି ଆକ୍ରମଣଗୁଡ଼ିକ ଭବିଷ୍ୟତରେ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଏବଂ ଏହି ଅଞ୍ଚଳରେ ଏହାର ସହଯୋଗୀ ବାହିନୀର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଅପରେସନ୍ ହକିଆଇ ଷ୍ଟ୍ରାଇକ୍:
ଏହି ଅଭିଯାନ ଡିସେମ୍ୱର ୧୯, ୨୦୨୫ରେ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ଆମେରିକୀୟ ସେନା କେନ୍ଦ୍ରୀୟ ସିରିଆରେ ପ୍ରାୟ ୭୦ଟି ଆଇଏସଆଇଏସ ଠିକଣାକୁ ଟାର୍ଗେଟ କରିଥିଲେ । ଶନିବାରର ଅଭିଯାନ ଏହି ସିରିଜ୍ର ପରବର୍ତ୍ତୀ ପର୍ଯ୍ୟାୟ । ଜୋର୍ଡାନ ଏବଂ ଅନ୍ୟାନ୍ୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହିତ ଆମେରିକା ମଧ୍ୟ ଏହି ଅଭିଯାନରେ ସାମିଲ ଅଛି ।
ISIS ପାଇଁ ଆଉ ଏକ ବଡ଼ ଝଟକା:
ଶନିବାର ବିମାନ ଆକ୍ରମଣର ମାତ୍ର ଗୋଟିଏ ଦିନ ପର୍ବରୁ, ସିରିୟା କର୍ତ୍ତୃପକ୍ଷ ଏକ ବଡ଼ ସଫଳତା ଦାବି କରିଛନ୍ତି । ଲେଭାଣ୍ଟ ଅଞ୍ଚଳରେ ଆଇଏସଆଇଏସର ସାମରିକ ଅଭିଯାନର ମୁଖ୍ୟ ନେତାଙ୍କୁ ଗିରଫ କରାଯାଇଥିବା ଘୋଷଣା କରିଛନ୍ତି । ତୀବ୍ର ବିମାନ ଆକ୍ରମଣ ସହିତ ନେତୃତ୍ୱଙ୍କ ଗିରଫଦାରୀ ସିରିଆରେ ଆଇଏସଆଇଏସର ମେରୁଦଣ୍ଡକୁ ପଙ୍ଗୁ କରିଦେଇଛି ।