ୱାଶିଂଟନ ଡିସି,୧୬/୧୧: ଗାଜା ପଟ୍ଟିକୁ ଦୁଇ ଭାଗରେ ବିଭକ୍ତ କରିଦେବା ପାଇଁ ପ୍ରସ୍ତୁତି ଚଳାଇଛି ଆମେରିକା । ଏଥିଲାଗି ଏହା ଦୀର୍ଘମିଆଦୀ ଯୋଜନା ବନାଉଛି । ଗୋଟିଏ ଭାଗ ଅନ୍ତର୍ଜାତୀୟ ବାହିନୀ (ଆଇଏସ୍ଏଫ୍) ଓ ଇସ୍ରାଏଲୀ ସେନାର ନିୟନ୍ତ୍ରଣରେ ରହିବ । ଏହାକୁ ଗ୍ରୀନ୍ ଜୋନ୍ କୁହାଯିବ । ପାଲେଷ୍ଟିନୀୟ ଜନତା ରହୁଥିବା ଅପର ଭାଗକୁ ସେମିତି ଭଗ୍ନାବସ୍ଥାରେ ଛାଡ଼ି ଦିଆଯିବ । ଏହାକୁ ରେଡ୍ ଜୋନ୍ ନାମ ଦିଆଯିବ । ପ୍ରାୟ ସମସ୍ତ ପାଲେଷ୍ଟିନୀୟ ରେଡ୍ ଜୋନ୍ର ବିସ୍ଥାପିତ ହୋଇଯାଇଛନ୍ତି । ଦ ଗାର୍ଡିଆନ୍ର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି ।
ଏହି ରିପୋର୍ଟକୁ ଆମେରିକୀୟ ସେନାର ଗୁଇନ୍ଦା ଦସ୍ତାବିଜ ଓ ଅଧିକାରୀଙ୍କ ବ୍ୟକ୍ତିଗତ ବୟାନ ଆଧାରରେ ପ୍ରସ୍ତୁତ କରାଯାଇଛି । ଯୋଜନାକୁ ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗାଜାର ପୂର୍ବ ଭାଗରେ ଗ୍ରୀନ୍ ଜୋନ୍ ନିର୍ମାଣ ହେବ । ଏଠାରେ ଇସ୍ରାଏଲୀ ସୈନ୍ୟଙ୍କ ସହ ବିଦେଶୀ ସୈନ୍ୟ ବି ମୁତୟନ ହେବେ । ଏହି ଅଂଶକୁ ପୁନର୍ବାର ବିକଶିତ କରାଯିବ । ଆମେରିକା ଏଠାରେ ମୁତୟନ ହେବାକୁ ଥିବା ଅନ୍ତର୍ଜାତୀୟ ସୁରକ୍ଷା ବଳଗୁଡ଼ିକୁ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ମଞ୍ଜୁରି ପ୍ରଦାନ ଲାଗି ଉଦ୍ୟମ ଚଳାଇଛି । ଏଠାରେ ମୋଟ ୨୦ ହଜାର ସୈନ୍ୟ ମୁତୟନ କରିବା ନେଇ ପ୍ରସ୍ତାବ ରହିଛି । ଅନ୍ୟପକ୍ଷରେ ଗାଜାର ପଶ୍ଚିମ ଭାଗ ଇସ୍ରାଏଲ୍ର ଆକ୍ରମଣ ଯୋଗୁ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଛି । ଏହାକୁ ଭଗ୍ନାବସ୍ଥାରେ ହିଁ ଛାଡ଼ି ଦିଆଯିବ । ଏହି ଯୋଜନା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ମଧ୍ୟରେ ବି ଆଲୋଚନା ଚାଲିଥିବା ଜଣାପଡ଼ିଛି ।