ୱାଶିଂଟନ୍‌,୦୫/୧୧: ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶାସନରେ ଆମେରିକା ଏହାର ସହଯୋଗୀ ରାଷ୍ଟ୍ର ୟୁକ୍ରେନ୍‌କୁ ରୁଷ୍‌ ବିରୋଧରେ  ବେଶ୍‌ ସମର୍ଥନ ଏବଂ ସହାୟତା ଯୋଗାଇଛି । ଗତ  ସେପ୍ଟେମ୍ବରରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର  ଜେଲେନ୍‌ସ୍କି ବାଇଡେନ୍‌ଙ୍କୁ ଭେଟି ଅଧିକ ସହାୟତା  ଲୋଡ଼ିଥିବାବେଳେ ପାଖରେ ଛିଡ଼ା ହୋଇଥିଲେ ଉପରାଷ୍ଟ୍ରପତି ତଥା ଚଳିତ ନିର୍ବାଚନରେ ରାଷ୍ଟ୍ରପତି  ପ୍ରାର୍ଥୀ ହୋଇଥିବା କମଳା ହାରିସ୍‌ । ଏହି ସମୟରେ ଜେଲେନ୍‌ସ୍କି ରୁଷ୍‌ ବିରୋଧରେ ୟୁକ୍ରେନ୍‌ର ବିଜୟ ଯୋଜନା ରଖିଥିଲେ । ଏହାର ଦିନକ ପରେ ଜେଲେନ୍‌ସ୍କି ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିଥିଲେ । ଏହି ଅବସରରେ ଟ୍ରମ୍ପ୍‌ ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା କଥା କହିଥିଲେ । ଯୁଦ୍ଧ ଯୋଗୁ ଉଭୟ ୟୁକ୍ରେନ୍‌ ଏବଂ ରୁଷ୍‌ କଠିନ ପରିସ୍ଥିତି ଦେଇ  ଗତି କରୁଥିବା ଟ୍ରମ୍ପ୍‌ ଉଠାଇଥିଲେ । ତେଣୁ ଚଳିତ  ନିର୍ବାଚନରେ କିଏ ରାଷ୍ଟ୍ରପତି ନିର୍ବାଚନ ଜିତୁଛନ୍ତି ତାହା  ୟୁକ୍ରେନ୍‌-ରୁଷ୍‌ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । 

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଡେମୋକ୍ରାଟିକ୍‌  ପାର୍ଟି ୟୁକ୍ରେନ୍‌ ସାର୍ବଭୌମତ୍ୱର ସୁରକ୍ଷାକୁ ବେଶ୍‌  ସମର୍ଥନ କରେ । ହାରିସ୍‌ ମଧ୍ୟ ଆରମ୍ଭରୁ ୟୁକ୍ରେନ୍‌  ସମ୍ବନ୍ଧିତ ମାମଲାର ନିଷ୍ପତ୍ତିରେ ସାମିଲ ଅଛନ୍ତି । ସମସ୍ତ  ବୈଠକରେ ସାମିଲ ହେବା ସହ ହାରିସ୍‌ ଜେଲେନ୍‌ସ୍କିଙ୍କୁ  ରୁଷ୍‌ ଆକ୍ରମଣ ବାବଦରେ ଗୁଇନ୍ଦା ସୂଚନା ମଧ୍ୟ ପ୍ରଦାନ  କରିଥିଲେ । ଏପରିସ୍ଥଳେ ଯଦି ହାରିସ୍‌ ରାଷ୍ଟ୍ରପତି  ନିର୍ବାଚିତ ହୁଅନ୍ତି ତେବେ ୟୁକ୍ରେନ୍‌ ପାଇଁ ସବୁକିଛି  ପୂର୍ବ ପରି ଚାଲିବ ଏବଂ ରୁଷ୍‌ ବିରୋଧରେ ଲଢ଼ିବା ପାଇଁ ସମାନ୍ତରାଳ ଭାବେ ଆର୍ଥିକ ଏବଂ ସାମରିକ  ସହଯୋଗ ପାଇପାରିବ । ଆଗକୁ ୟୁକ୍ରେନ୍‌କୁ ଅଧିକ  ସହାୟତା ଲୋଡ଼ା ହୋଇପାରେ । ୟୁକ୍ରେନ୍‌କୁ ସହାୟତା  ପ୍ରଦାନ ପାଇଁ ଉଭୟ ଶାସକ ଏବଂ ବିରୋଧୀ ସହମତ ହୋଇଥିଲେ ହେଁ ଏବେ ପୂର୍ବଭଳି ୟୁକ୍ରେନ୍‌କୁ ମାତ୍ରାଧିକ  ଆର୍ଥିକ ସହାୟତା ଦେବାକୁ ରିପବ୍ଲିକାନ ଦଳର  ଅନେକ ସାଂସଦ ବିରୋଧ କରୁଛନ୍ତି। ଏହି ଅର୍ଥକୁ  ସେମାନେ ଆମେରିକାବାସୀଙ୍କ ପାଇଁ ଖର୍ଚ୍ଚ କରିବାକୁ  ଦାବି ଉଠାଉଛନ୍ତି । ବହୁ ସଂଖ୍ୟାରେ ଆମେରିକାବାସୀ  ମଧ୍ୟ ଏହି ବିଚାରକୁ ସମର୍ଥନ କରନ୍ତି । 

ଅନ୍ୟପକ୍ଷରେ ଟ୍ରମ୍ପ୍‌ ଯଥାଶୀଘ୍ର ୟୁକ୍ରେନ୍‌ ଯୁଦ୍ଧ  ବନ୍ଦ କରିବାକୁ ଚାହାନ୍ତି । ୟୁକ୍ରେନ୍‌ ରୁଷ୍‌ ସହ  ବୁଝାମଣା କରି ଯୁଦ୍ଧ ବନ୍ଦ ନକଲେ ଆମେରିକା ୟୁକ୍ରେନ୍‌କୁ ସହାୟତା ଦେବା ବନ୍ଦ କରିଦେବ ବୋଲି  ମଧ୍ୟ ପୂର୍ବରୁ ଟ୍ରମ୍ପ୍‌ କଠୋରବାଣୀ ଶୁଣାଇ ସାରିଛନ୍ତି ।  ଏଥିସହ ରୁଷ୍‌କୁ ମଧ୍ୟ ତୁରନ୍ତ ଯୁଦ୍ଧବିରତି ପାଇଁ ଟ୍ରମ୍ପ୍‌  କହିବେ । ରୁଷ୍‌ ଯୁଦ୍ଧ ରୋକିବାଲାଗି ବୁଝାମଣା ନ କଲେ ଆମେରିକା ୟୁକ୍ରେନ୍‌କୁ ଅଧିକ ସହାୟତା  ଯୋଗାଇବ ବୋଲି ମଧ୍ୟ ଟ୍ରମ୍ପ୍‌ କହିଛନ୍ତି । ତେଣୁ  ଟ୍ରମ୍ପ୍‌ ଜିତିଲେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ରୋକିବାରେ ସେ  ସଫଳ ହେବେ କି ନାହିଁ ଏବଂ ଏଥିଲାଗି ଏହି ଦୁଇ ଦେଶ କି ପ୍ରକାର ବୁଝାମଣା କରିବେ ତାହା ଉପରେ  ସଭିଁଙ୍କ ନଜର ରହିବ । 

ଟ୍ରମ୍ପ୍‌ ମଧ୍ୟ କେତେବେଳେ  କେଉଁ ନିଷ୍ପତ୍ତି ନେଇଯିବେ ତାହା ଆକଳନ କରିବା  କଷ୍ଟକର । ତେଣୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌  ଟ୍ରମ୍ପ୍‌ଙ୍କୁ ଚିଡ଼ାଇବା ଭଳି ପଦକ୍ଷେପ ନେବାରୁ ବିରତ  ରହିପାରନ୍ତି ।୨୦୧୮ରେ ଟ୍ରମ୍ପ ନିଜର ପ୍ରଥମ  ରାଷ୍ଟ୍ରପତି କାର୍ଯ୍ୟକାଳରେ ଆମେରିକାକୁ ନାଟୋରୁ  ବାହାର କରିବା ଲାଗି ମଧ୍ୟ ଧମକ ଦେଇଥିଲେ । ତେଣୁ ଟ୍ରମ୍ପ୍‌ ରାଷ୍ଟ୍ରପତି ହେଲେ ଆମେରିକାର  ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ।