ନୂଆଦିଲ୍ଲୀ,୧୬/୧୨: ଭାରତରୁ ଚୋରି ହୋଇଯାଇଥିବା ପ୍ରାୟ ୧୦ ନିୟୁତ ଡଲାର (ପ୍ରାୟ ୮୫  କୋଟି ଟଙ୍କା) ମୂଲ୍ୟର ୧୪୦୦ ପ୍ରାଚୀନ କଳାକୃତି  ଆମେରିକା ଫେରାଇଛି । ବୁଧବାର ଆୟୋଜିତ ଏକ  ସ୍ୱତନ୍ତ୍ର ସମାରୋହରେ ନ୍ୟୁୟର୍କସ୍ଥିତ ଭାରତୀୟ କନସଲ  ଜେନେରାଲ ମନିଷ କୁଲହାରୀଙ୍କୁ ହୋମଲାଣ୍ଡ ସିକ୍ୟୁରିଟି  ଇନ୍‌ଭେଷ୍ଟିଗେସନର ଗ୍ରୁପ୍‌ ସୁପରଭାଇଜର ଆଲୋକଜାଣ୍ଡ୍ରା  ଡିଆର୍ମସ ଏସବୁ କଳାକୃତି ହସ୍ତାନ୍ତର କରିଥିଲେ । 

ପ୍ରାଚୀନ କଳାକୃତିର ଚୋରା ବ୍ୟବସାୟୀ ସୁଭାଷ କପୁର ଓ ନାନ୍ସି  ୱେନର ଏବଂ ତାଙ୍କ ଦ୍ୱାରା ପରିଚାଳିତ ନେଟୱାର୍କ ଠାରୁ  ବିଭିନ୍ନ ସମୟରେ କିଛି କଳାକୃତି ଜବତ କରାଯାଇଥିଲା ।  ତା’ଛଡା ଆଉ କିଛି କଳାକୃତିକୁ ସେମାନେ ବିକ୍ରି  କରିଥିବା ବ୍ୟକ୍ତିମାନେ ଦାନ କରିଦେଇଥିଲେ । ଭାରତକୁ  ଫେରିଥିବା ପ୍ରାଚୀନ କଳାକୃତି ମଧ୍ୟରେ ରହିଛି ଏକ  ପଥର ନିର୍ମିତ ନର୍ତ୍ତକୀ । ଯାହାକି ଅଶୀ ଦଶକରେ  ମଧ୍ୟପ୍ରଦେଶର ଏକ ମନ୍ଦିରରୁ ଚୋରି ହୋଇଯାଇଥିଲା । ଚୋରା ଚାଲଣକାରୀମାନେ ଏହାକୁ ଯେଭଳି ସହଜରେ  ନେଇପାରିବେ ସେଥିପାଇଁ ଦୁଇଖଣ୍ଡ କରିଦେଇଥିଲେ ।  ଏହାକୁ ପ୍ରଥମେ ଲଣ୍ଡନକୁ ନିଆଯାଇଥିଲା । ସେଠାରୁ  ୧୯୯୨ରେ ସୁଭାଷ କପୁରଙ୍କ ପରାମର୍ଶରେ ନ୍ୟୁୟର୍କ ଅଣାଯାଇଥିଲା । ଠିକ୍‌ ଭାବେ ଯୋଡାଯିବା ପରେ ତାକୁ  ସୁଭାଷ କପୁର ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରିଥିଲେ । ୨୦୨୩ରେ ତାକୁ ହୋମଲାଣ୍ଡ ସିକ୍ୟୁରିଟି ପକ୍ଷରୁ ଜବତ କରାଯାଇଥିଲା । ସେହିଭଳି ଆଉ ଏକ ମୂର୍ତ୍ତି ହେଉଛି  ତାନେସାର ଦେବୀ ମା’ଙ୍କର । ରାଜସ୍ଥାନର ଏକ ମନ୍ଦିରରୁ  ଏହା ଷାଠିଏ ଦଶକରେ ଲୁଟ୍‌ ହୋଇଥିଲା । 

୧୯୬୮ରେ  ଡୋରିସ୍‌ ୱେନର ମ୍ୟାନହାଟ୍ଟନ ଠାରେ ଥିବା ତାଙ୍କ  ଗ୍ୟାଲେରିରେ ରଖିଥିଲେ । ପରେ ତାହା ଦୁଇଜଣଙ୍କ  ହାତକୁ ଯାଇଥିଲା ଏବଂ ଶେଷରେ ୨୦୨୨ରେ ତାକୁ ଜବତ  କରାଯାଇଥିଲା । ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ହେଲା  ହୋମଲାଣ୍ଡ ସିକ୍ୟୁରିଟି ଓ ଜିଲ୍ଲା ସରକାରୀ ଆଣ୍ଟିକ୍ୟୁଟିଜ୍‌  ଟ୍ରାଫିକିଂ ୟୁନିଟ୍‌ ପକ୍ଷରୁ ସୁଭାଷ କପୁରଙ୍କ ଗତିବିଧି ଉପରେ  ତଦନ୍ତ କରାଯିବା ପରେ ଏସବୁ କଳାକୃତି ମିଳିଥିଲା । ୨୦୧୨ରେ ସୁଭାଷ କପୁରଙ୍କ ବିରୋଧରେ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣିଙ୍କ  କାର୍ଯ୍ୟାଳୟ ପକ୍ଷରୁ ଗିରଫ ପରୱାନା ଜାରି କରାଯାଇଥିଲା ।