ନୂଆଦିଲ୍ଲୀ ୨୦/୦୪: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ନୌସେନା ଓମାନ ଉପସାଗରରେ ଇରାନୀ ମାଲବାହୀ ଜାହାଜ ‘ତୌସ୍କା’କୁ ଅଟକାଇ ନିଜ କବ୍ଜାକୁ ନେଇଛି। ଯାହାପରେ ଇରାନ ଏହି କାର୍ଯ୍ୟକୁ ‘ସଶସ୍ତ୍ର ଡକାୟତି’ ବୋଲି କହିଛି ଏବଂ ଆମେରିକାକୁ ଏହାର ପରିଣାମ ଭୋଗିବାକୁ ଚେତାବନୀ ଦେଇଛି।

ଟ୍ରମ୍ପଙ୍କ ଅନୁଯାୟୀ, ଆମେରିକାର ଗାଇଡେଡ୍ ମିସାଇଲ୍ ବିଧ୍ୱଂସକ 'USS Spruance' ଇରାନୀ ଜାହାଜକୁ ଅଟକିବାକୁ ଚେତାବନୀ ଦେଇଥିଲା। ଯେତେବେଳେ ଇରାନୀ କର୍ମଚାରୀମାନେ ଏହି ଚେତାବନୀକୁ ଅଣଦେଖା କରି ହର୍ମୁଜ୍ ପ୍ରଣାଳୀ ନିକଟରେ ଆମେରିକାର ଅବରୋଧକୁ ଉଲ୍ଲଂଘନ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଆମେରିକୀୟ ନୌସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଜାହାଜକୁ ଅଟକାଇବା ପାଇଁ ଏହାର ଇଞ୍ଜିନ୍ ରୁମରେ ଆଟାକ୍ କରାଯାଇଥିଲା, ଯାହା ପରେ ଜାହାଜ ଅଟକିଥିଲା।

ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ ‘ତୌସ୍କା’ ପ୍ରାୟ ୯୦୦ ଫୁଟ ଲମ୍ବା ଏବଂ ଏକ ବିମାନ ବାହକ ଜାହାଜ ସହିତ ସମାନ। ତାଙ୍କ ଟ୍ରୁଥ୍ ସୋସିଆଲ୍ ପୋଷ୍ଟରେ, ଟ୍ରମ୍ପ ଲେଖିଛନ୍ତି, ‘ତୌସ୍କା’ ପୂର୍ବରୁ ଏହାର ଅବୈଧ କାର୍ଯ୍ୟକଳାପ ଯୋଗୁଁ ନଜରରେ ଥିଲା। ଏବେ ଏହା ସମ୍ପୂର୍ଣ୍ଣ ଭାବରେ ଆମର ନିୟନ୍ତ୍ରଣରେ ଅଛି ଏବଂ ଆମେ ଏଥିରେ କ'ଣ ଅଛି ତାହା ତଦନ୍ତ କରୁଛୁ!"

ଆହୁରି ପଢ଼ନ୍ତୁ...ଇରାନ ସହ ଶାନ୍ତି ଆଲୋଚନା ପାଇଁ ଦ୍ବିତୀୟ ଥର ପାକିସ୍ତାନ ଯିବାକୁ ପ୍ରସ୍ତୁତ ହେଉଛି ଆମେରିକା,ଏଥର ଜେଡି ଭାନ୍ସଙ୍କ ସ୍ଥାନରେ କିଏ ?

ତେବେ ଏହି ଘଟଣା ପରେ, ଇରାନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଇରାନର ସାମରିକ କମାଣ୍ଡ ସେଣ୍ଟରର ଜଣେ ମୁଖପାତ୍ର ଖାତମ ଅଲ-ଆନବିୟା କହିଛନ୍ତି ଯେ ଇସଲାମିକ୍ ଗଣରାଜ୍ୟର ସେନା ଖୁବ୍ ଶୀଘ୍ର ଏହି ସଶସ୍ତ୍ର ଡକାୟତିର କଡ଼ା ଜବାବ ଦେବ। ଏଥିସହିତ ସେ ସିଧାସଳଖ ଆମେରିକୀୟ ସେନାକୁ ପରିଣାମ ବିଷୟରେ ଚେତାବନୀ ଦେଇଛନ୍ତି।