ୱାଶିଂଟନ,୦୭/୦୩: ଆମେରିକାର  ରାଷ୍ଟ୍ରପତି ଭାବେ ଜାନୁଆରୀ ୨୦ରେ ଦାୟିତ୍ୱ  ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନରେ  ଚଢ଼ଉ କରି ସେମାନଙ୍କୁ ଧରିବା ପରେ  ସାମରିକ ବିମାନରେ ନିଜ ନିଜ ଦେଶକୁ  ପଠାଇବା ଆରମ୍ଭ କରିଥିଲେ । ହେଲେ  ବର୍ତ୍ତମାନ ତା ଉପରେ ରୋକ୍‌ ଲଗାଇଛି  ଟ୍ରମ୍ପ ପ୍ରଶାସନ । କାରଣ ସାମରିକ  ବିମାନରେ ଅବୈଧ ପ୍ରବାସୀଙ୍କୁ ନିଜ  ନିଜ ଦେଶକୁ ପଠାଇବା ଫଳରେ  ବିପୁଳ ଅର୍ଥ ଖର୍ଚ୍ଚ ହେଉଛି । ତେଣୁ  ପ୍ରଶାସନିକ ସ୍ତରରେ ଖର୍ଚ୍ଚ କାଟ୍‌ର  ନିଷ୍ପତ୍ତି ନେଇଥିବା ଟ୍ରମ୍ପ ଅବୈଧ ପ୍ରବାସୀଙ୍କ  ଦେଶାନ୍ତରଣ ପାଇଁ ବିପୁଳ ଖର୍ଚ୍ଚ ହେଉଥିବାରୁ  ତାକୁ ବର୍ତ୍ତମାନ ବନ୍ଦ କରିଦେଇଛନ୍ତି। 

ସୂଚନା ଅନୁସାରେ ଟ୍ରମ୍ପ କ୍ଷମତାକୁ  ଆସିବାର ଗୋଟିଏ ମାସ ଭିତରେ ପ୍ରାୟ  ୩୭,୬୬୦ ଜଣ ଅବୈଧ ପ୍ରବାସୀଙ୍କୁ  ନିଜ ଦେଶକୁ ପଠାଇଛନ୍ତି । ସାମରିକ  ପରିବହନ ବିମାନ ସି-୧୭ ଓ ସି-୧୩୦  ଯୋଗେ ସେମାନଙ୍କୁ ନିଜ ନିଜ ଦେଶକୁ  ଏବଂ କିଛି ଅବୈଧ ପ୍ରବାସୀ ବିଶେଷକରି  ଅପରାଧୀଙ୍କୁ ଗୁଆନ୍ତନାମୋ ବେ’ କାରାଗାରକୁ  ପଠାଯାଇଛି । ଏହି ମାସକ ଭିତରେ ୩୦  ଥର ସି-୧୭ ସାମରିକ ପରିବହନ ବିମାନ  ଉଡାଣ କରିଥିଲା ବେଳେ ୧୨ରୁ ଅଧିକ ଥର  ସି-୧୩୦ ବିମାନ ଉଡାଣ କରିଛି । ଭାରତ  ସମେତ ପେରୁ, ଗୁଏଟମାଳା, ଇକ୍ୱେଡର,  ହଣ୍ଡୁରାସ, ପାନାମା ଓ ଗୁଆନ୍ତାମୋ ବେ’କୁ  ଏସବୁ ବିମାନ ଉଡାଣ କରିଥିବା ଫ୍ଲାଇଟ୍‌  ଡାଟା ରେକର୍ଡରୁ ଜଣାପଡିଛି । ତେବେ ସାମରିକ ବିମାନ କମ୍‌ ଯାତ୍ରୀଙ୍କୁ ନେବା ସହ  ଅଧିକ ରୁଟ୍‌ ଦେଇ ଚଳାଚଳ କରିଥାଏ ।  ଯାହାଫଳରେ ବେସାମରିକ ବିମାନ ଯାତ୍ରୀ ପରିବହନ ଅପେକ୍ଷା ଏଥିରେ ଅଧିକ ଅର୍ଥ  ଖର୍ଚ୍ଚ କରିବାକୁ ପଡୁଛି । 

ୱାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ରିପୋର୍ଟ ଅନୁସାରେ  ପ୍ରତିଥର ବିମାନ ଯାତ୍ରା ଲାଗି ଅତିକମ୍‌ରେ ୩  ନିୟୁତ ଡଲାର (ପ୍ରାୟ ୩୦ ଲକ୍ଷ ଟଙ୍କା) ଖର୍ଚ୍ଚ  ହେଉଛି । କେତେକ ବିମାନ ଗୁଆନ୍ତନାମୋ ବେ  କାରାଗାରକୁ ୧୨ ଜଣ ଅବୈଧ ପ୍ରବାସୀଙ୍କୁ  ନେଇଯାଇଛି । ଏଥିରେ ପ୍ରତି ବ୍ୟକ୍ତିଙ୍କ  ପିଛା ୨୦ ହଜାର ଡଲାର ଖର୍ଚ୍ଚ କରିବାକୁ  ପଡିଛି । ସେହିଭଳି ୩ଟି ବିମାନ ଭାରତ  ଆସିଛି । ସେଥିରେ ଆମେରିକା ୩୩୨ ଜଣ  ଅବୈଧ ପ୍ରବାସୀଙ୍କୁ ଭାରତ ପଠାଇଛି । ପ୍ରତି  ପ୍ରବାସୀ ଭାରତୀୟଙ୍କ ପିଛା ୨୭,୧୦୮ ଟଙ୍କା  ଖର୍ଚ୍ଚ ହୋଇଛି । 

ଆମେରିକାର ଇମିଗ୍ରେସନ  ଆଣ୍ଡ କଷ୍ଟମ ଏନଫୋର୍ସମେଣ୍ଟ (ଆଇସିଇ)  ବିମାନ ଯାତ୍ରା ପାଇଁ ଘଣ୍ଟାକୁ ୮,୫୦୦ ଡଲାର  ଖର୍ଚ୍ଚ ହେଉଥିଲା ବେଳେ ଅନ୍ତର୍ଜାତୀୟ  ଉଡାଣ କ୍ଷେତ୍ରରେ ତାହା ୧୭,୦୦୦ ଡଲାର  ହୋଇଥାଏ । କିନ୍ତୁ ସାମରିକ ପରିବହନ  ବିମାନ ଯୋଗୁ ଘଣ୍ଟାକୁ ୨୮,୫୦୦ ଡଲାର ଖର୍ଚ୍ଚ  ହେଉଛି । ମେକ୍ସିକୋ ସମେତ କିଛି ଲାଟିନ  ଆମେରିକୀୟ ଦେଶ ନିଜ ବାୟୁସୀମାରେ  ଆମେରିକାର ସାମରିକ ବିମାନ ଉଡାଣକୁ  ଅନୁମତି ଦେଇନଥାନ୍ତି । ତେଣୁ ସେଣ୍ଟ୍ରାଲ ଓ  ସାଉଥ୍‌ ଆମେରିକାରୁ ବାହାରକୁ ଯାଉଥିବା  ବିମାନ ଉଡାଣ ଲାଗି ଅଧିକ ସମୟ  ନେଉଥିବାରୁ ଖର୍ଚ୍ଚ ମଧ୍ୟ ଅଧିକ ପଡୁଛି ।