ନୂଆଦିଲ୍ଲୀ,୦୮/୧୧: ଆମେରିକାରେ ରହିବା ପାଇଁ ଆବେଦନ  କରୁଥିବା ବିଦେଶୀ ନାଗରିକମାନଙ୍କୁ ଯଦି ମଧୁମେହ, ମେଦବହୁଳତା କିମ୍ବା  ହୃଦ୍‌ରୋଗ ଥାଏ ତେବେ ସେମାନଙ୍କୁ ମିଳି ନ ପାରେ ଭିସା । ଟ୍ରମ୍ପ ପ୍ରଶାସନ  ପକ୍ଷରୁ ଜାରି ନୂଆ ନିୟମାବଳୀରେ ଏହା ଉଲ୍ଲେଖ କରାଯାଇଛି । 

ରିପୋର୍ଟ ଅନୁସାରେ, ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମାକୁ  ବିଭିନ୍ନ ଦୂତାବାସ ଏବଂ କନ୍‌ସୁଲାର ଅଫିସ୍‌କୁ ପଠାଯାଇଛି । ଭିସା ମଞ୍ଜୁରୀ  କରିବା ସମୟରେ ଆବେଦକଙ୍କ ସ୍ୱାସ୍ଥ୍ୟକୁ ବିଚାରକୁ ନେବା ପାଇଁ ଭିସା  ଅଧିକାରୀମାନଙ୍କୁ ନିର୍ଦ୍ଦେଶ ରହିଛି । 

ମାର୍ଗଦର୍ଶିକାରେ କୁହାଯାଇଛି ଯେ, ଆବେଦନକାରୀଙ୍କ ସ୍ୱାସ୍ଥ୍ୟ ଏବଂ ବୟସ  ସରକାରୀ ପାଣ୍ଠି ଦ୍ୱାରା ଅନୁଦାନପ୍ରାପ୍ତ ଚିକିତ୍ସା ସେବା ଉପରେ ନିର୍ଭର କରିବାର  ସମ୍ଭାବନା ଥିଲେ ଉକ୍ତ ଆବେଦକଙ୍କୁ ‘ପବ୍ଲିକ୍‌ ଚାର୍ଜ’ ଭାବେ ବର୍ଗୀକରଣ କରାଯିବ । ଭିସା ଆବେଦନ କ୍ଷେତ୍ରରେ ହେଲ୍‌ଥ ସ୍କ୍ରିନିଂ ଗୁରୁତ୍ୱ ବହନ କରିଆସୁଛି  କିନ୍ତୁ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନର ନୂଆ ନିୟମ ଦ୍ୱାରା ଆବେଦନ  ଖାରଜ କରିବା ଲାଗି ସର୍କୁଲାର ଅଧିକାରୀମାନଙ୍କୁ ଅଧିକ କ୍ଷମତା ମିଳିବ । ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର କଡ଼ା ଭିସା ନୀତିର ଏହା ଅଂଶବିଶେଷ ।