ଭୁବନେଶ୍ୱର,୧୧/୦୯:  ଉତ୍କଳ  ବିଶ୍ୱବିଦ୍ୟାଳୟ ଛାତ୍ରବାସରୁ ଅଣଛାତ୍ର ହଟିବା ପରେ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ଜବରଦଖଲ ମୁକ୍ତ କରାଯିବ । ଆଜି ଭଡ଼ାଟିଆ ମୁକ୍ତ ହେବ କ୍ୟାମ୍ପସ।​​​​​​​ କ୍ୱାର୍ଟର୍ସରୁ ଜବରଦଖଲକାରୀଙ୍କୁ ଖାଲି କରାଯିବ। ଏଥିପାଇଁ କ୍ୟାମ୍ପସରେ ବ୍ୟାପକ ପୁଲିସ ମୁତୟନ କରାଯିବ ।

ସୂଚନା ମୁତାବକ, ବାଣୀବିହାର  କ୍ୟାମ୍ପସରେ ପାଖାପାଖି ୫୦ଟି କ୍ୱାର୍ଟର୍ସକୁ  ଭଡ଼ାସୂତ୍ରରେ ଲଗାଯାଇଛି । ଡି/ଏଫ୍‌ ଟାଇପ୍‌ର  ୪ଟି, ଏନ୍‌/ଏଫ ଟାଇପ୍‌ର ୨୦ଟି, ଇ/ଏଫ୍‌  ଟାଇପ୍‌ର କିଛି କ୍ୱାର୍ଟର୍ସ ରହିଛି । ଏସବୁ କ୍ୱାର୍ଟର୍ସ  ବିଶ୍ୱବିଦ୍ୟାଳୟ ଅଧିକାରୀ ଓ କର୍ମଚାରୀଙ୍କୁ  ଆଲର୍ଟ କରାଯାଇଥିଲା । କିନ୍ତୁ ସେମାନେ ଏଥିରୁ  ମାସିକିଆ ଭଡ଼ା ପକେଟ୍‌ରେ ପୁରାଉଥିଲେ । ଆଉ  କ୍ୟାମ୍ପସ ବାହାରେ ନିଜସ୍ୱ ଘରେ ରହୁଥିଲେ । ଅଧିକାରୀ ଓ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ଏହି କାରସାଦି ଦୀର୍ଘ ବର୍ଷ ଧରି ଚାଲିଥିଲା ।  

ଜୋନ୍‌-୫ ଏସିପି ବିଶ୍ୱରଞ୍ଜନ ସେନାପତି  କହିଛନ୍ତି, ଗୁରୁବାର କ୍ୱାର୍ଟର୍ସ ଖାଲି କରିବାର କଣ୍ଟ ପୁରୁଛି । କ୍ୱାର୍ଟର୍ସରୁ ଜବରଦଖଲକାରୀଙ୍କୁ  ଖାଲି କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ  ଅବଗତ କରାଇଛନ୍ତି । ଆଇନ୍‌ଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ଆମେ ପୁଲିସ  ଫୋର୍ସ ଯୋଗାଇଦେବୁ । ଯଦି କେହି ଘରୁ ଆସବାବପତ୍ର ଖାଲି କରିନଥିବେ, ତେବେ  ପୁଲିସ ସହାୟତାରେ ସେସବୁ ହଟାଯିବ। ଏହାସହ ଛାତ୍ର ସଂଗଠନ କିମ୍ବା ଅଣଛାତ୍ରମାନେ ବିଶୃଙ୍ଖଳା ସୃଷ୍ଟି କରିବା ଆଶଙ୍କା ଅଛି । ସେଥିପାଇଁ କ୍ୟାମ୍ପସରେ ବ୍ୟାପକ ପୁଲିସ ମୁତୟନ କରାଯିବ ।

ଗତକାଲି ଛାତ୍ର ସଂଗଠନ କୂଳପତି ଅଫିସ  ଘେରିଥିବା ସତ୍ତେ୍ୱ ଆଜି ପୁଣି ଶତାଧିକ ଛାତ୍ର  ଅଫିସକୁ ଘେରିଥିଲେ । ସମାନ ଦାବିରେ  ସେମାନେ ୨ ଘଣ୍ଟା ଧରି ଅଫିସ ସାମ୍ନାରେ ଧାରଣା ଦେଇଥିଲେ । ଶିକ୍ଷାନୁଷ୍ଠାନରୁ ଜବରଦଖଲ  ହଟାଇ ଶୈକ୍ଷିକ ବାତାବରଣ ଫେରାଇ ଆଣିବା  ଜିଦ୍‌ରେ ଅଟଳ ରହିଲେ । ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା  କରିବା ପରେ ଆନ୍ଦୋଳନରୁ ହଟିଥିଲେ ଛାତ୍ର । ତେବେ କ୍ୟାମ୍ପସରେ ଥିବା ବସ୍ତିକୁ ହଟାଇବା ପାଇଁ ଅଧିକ ସମୟ ଦିଆଯାଇଛି ।