ନୂଆଦିଲ୍ଲୀ,୦୩/୧୨: ଭାରତୀୟ  ଅଲିମ୍ପିକ୍‌ ସଂଘ (ଆଇଓଏ) ପକ୍ଷରୁ  ୩୮ତମ  ଜାତୀୟ କ୍ରୀଡ଼ା ପାଇଁ  କ୍ରୀଡ଼ାସୂଚୀ ଘୋଷଣା  କରାଯାଇଛି। ଏଥର ଉତ୍ତରାଖଣ୍ଡ ଏହି ମର୍ଯ୍ୟାଦାଜନକ କ୍ରୀଡ଼ା ଆୟୋଜନ କରିବ । ଆସନ୍ତା ବର୍ଷ ଜାନୁଆରୀ ୨୮ରୁ  କ୍ରୀଡ଼ା ଆରମ୍ଭ ହୋଇ ଫେବ୍ରୁଆରୀ ୧୪ ତାରିଖରେ ଶେଷ  ହେବ । ଦେଶର ବିଭିନ୍ନ ରାଜ୍ୟର ଜଣାଶୁଣା ଆଥଲେଟଙ୍କ  ସମେତ ଯୁବ ପ୍ରତିଭାବାନ ଆଥଲେଟ୍‌ ଏହି କ୍ରୀଡ଼ାରେ  ନିଜ ଦକ୍ଷତା ପ୍ରତିପାଦିତ କରିବେ । ଆଗାମୀ କ୍ରୀଡ଼ା ପ୍ରତିଯୋଗିତାରେ ମୋଟ ୩୬ଟି  କ୍ରୀଡ଼ା ଇଭେଣ୍ଟରେ ୧୦୦୦ରୁ ଊଦ୍ଧ୍ୱର୍ ଆଥଲେଟ୍‌ ଭାଗ  ନେବେ । ନିକଟରେ ଆଇଓସି ବୈଠକରେ ୩୨ଟି କ୍ରୀଡ଼ା  ଇଭେଣ୍ଟ ସମେତ ୪ଟି ପ୍ରଦର୍ଶନୀ କ୍ରୀଡ଼ା ଇଭେଣ୍ଟକୁ  ଅନୁମତି ମିଳିଥିଲା । 

ଆଇଓସି ସଭାପତି ପିଟି ଉଷା  କହିଛନ୍ତି ଯେ, ୩୮ତମ ଜାତୀୟ କ୍ରୀଡ଼ା ଉତ୍ତରାଖଣ୍ଡରେ  ଆୟୋଜିତ ହେବ । ଏଥର ନୂଆ କରି କିଛି ପ୍ରଦର୍ଶନୀ  କ୍ରୀଡ଼ା ଇଭେଣ୍ଟ ଯଥା କଲାରିପୟାଟୁ, ଯୋଗାସନ, ମଲ୍ଲଖମ୍ବ  ଏବଂ ରାଫ୍ଟିଂ ରିଫ୍ଲେକ୍ଟ୍‌ସ କ୍ରୀଡ଼ା ଅନୁଷ୍ଠିତ ହେବ । କ୍ରୀଡ଼ା ଆୟୋଜନ ପାଇଁ ଉତ୍ତରାଖଣ୍ଡ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ  ଯୋଗାଇ ଦେଇଛି । କ୍ରୀଡ଼ା ଆୟୋଜନକୁ ସଫଳ କରିବା  ପାଇଁ ଆୟୋଜକ କମିଟି ପକ୍ଷରୁ ସମସ୍ତ ବନ୍ଦୋବସ୍ତ  କରାଯାଇଛି ।’ 

ସୂଚନାଯୋଗ୍ୟ, ଗତ ବର୍ଷ ଗୋଆରେ  ଜାତୀୟ କ୍ରୀଡ଼ା ଆୟୋଜିତ ହୋଇଥିଲା । ଏଥିରେ ୪୩ଟି  କ୍ରୀଡ଼ା ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା । ମହାରାଷ୍ଟ୍ର  ସର୍ବାଧିକ ୨୨୮ (୮୦ ସ୍ୱର୍ଣ୍ଣ, ୬୯ରୌପ୍ୟ, ୭୯ବ୍ରୋଞ୍ଜ)  ପଦକ ସହ ଦଳଗତ ଚାମ୍ପିଅନ୍‌ ହୋଇଥିଲା । ଓଡ଼ିଶା  ମୋଟ ୫୮ଟି (୧୦ସ୍ୱର୍ଣ୍ଣ, ୧୮ରୌପ୍ୟ, ୩୦ବ୍ରୋଞ୍ଜ)  ପଦକ ସହ ତାଲିକାରେ ୧୬ତମ ସ୍ଥାନରେ ରହିଥିଲା।