ବାରାଣସୀ,୧୮/୦୪: ବାରାଣସୀରେ ଜଣେ ୧୯ ବର୍ଷୀୟା  ଛାତ୍ରୀଙ୍କୁ ହୋଇଥିବା ଗଣଦୁଷ୍କର୍ମ  ଘଟଣାର ତଦନ୍ତ କରିବା ଲାଗି ପୁଲିସ  ପକ୍ଷରୁ ଏସ୍‌ଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ  ଦଳ) ଗଠନ କରାଯାଇଛି । ଡିସିପି  (ଅପରାଧ) ପ୍ରମୋଦ କୁମାର ଏହାର  ନେତୃତ୍ୱ ନେବେ । ୩୦ ଦିନ ଭିତରେ ତଦନ୍ତ କରି ଏସ୍‌ଆଇଟି ରିପୋର୍ଟ  ଦେବ । ଏହି ସୂଚନା ଦେଇଛନ୍ତି  ପୁଲିସ କମିଶନର ମୋହିତ ଅଗ୍ରୱାଲ ।  

ସେ କହିଛନ୍ତି ପ୍ରାଥମିକ ମେଡିକାଲ ରିପୋର୍ଟରୁ ଛାତ୍ରୀଙ୍କ ଆଭନ୍ତରୀଣ  ଅଙ୍ଗରେ କୌଣସି ପ୍ରକାର ଆଘାତ  ନାହିଁ । ଦ୍ୱିତୀୟ ରିପୋର୍ଟ ମିଳିବା ପରେ ଘଟଣା ସ୍ପଷ୍ଟ ହେବ । କିନ୍ତୁ ପ୍ରମାଣ ନ  ମିଳିବା ପର୍ଯ୍ୟନ୍ତ ବର୍ତ୍ତମାନ ଆଉ କାହାକୁ  ଗିରଫ କରାଯିବ ନାହିଁ । ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୪ ଜଣଙ୍କୁ ଗିରଫ  କରାଯାଇଛି । ଏଥିରେ ୨୩ ଜଣ ସମ୍ପୃକ୍ତ  ଥିବା ଅଭିଯୋଗ ହୋଇଛି । ସେ କହିଛନ୍ତି  ପୁଲିସ ଛାତ୍ରୀଙ୍କୁ ତାଙ୍କ ସହପାଠୀଙ୍କ ଘରୁ  ଉଦ୍ଧାର କରିଥିଲା । କିନ୍ତୁ ଛାତ୍ରୀ ଜଣକ  ୫ ଦିନ ଧରି ନିଖୋଜ ଥିଲେ ମଧ୍ୟ  ତାଙ୍କ ପରିବାର ପୁଲିସରେ ଅଭିଯୋଗ କରିନଥିଲେ । ତାଛଡା ଯୁବତୀ ଯେଉଁ  ସମୟରେ ଅଭିଯୁକ୍ତଙ୍କ କବ୍‌ଜାରେ  ଥିଲେ ବୋଲି ଦର୍ଶାଇଛନ୍ତି ସେହି  ସମୟରେ ସେ ନିଜେ ମୋବାଇଲରେ  ମେସେଜ୍‌ କରି ଉକ୍ତ କାଫେକୁ  ଯାଉଥିବା କଥା ଜଣାଉଛନ୍ତି । ଏସବୁ  ଦିଗକୁ ନେଇ ତଦନ୍ତ ମଧ୍ୟ କରାଯିବ ।  ସେପଟେ ଗିରଫ ଅଭିଯୁକ୍ତଙ୍କ ପରିବାର  ଲୋକେ ଆଜି କମିଶନରଙ୍କୁ ଭେଟି  କିଛି ପ୍ରମାଣ ଦେବା ସହ ଏହା ଏକ  ମିଥ୍ୟା ମାମଲା ବୋଲି ଦାବି କରିଛନ୍ତି।