ବ୍ରହ୍ମପୁର,୦୧/୧୨: ସରକାର ଡାଳେ ଡାଳେ ଗଲେ ଗାଡ଼ି ଚାଳକ ପତରେ ପତରେ ଯାଉଛନ୍ତି । ବେଆଇନ କାମ ରୋକିବାକୁ ସରକାର ଯେତେ କଠୋର ନିୟମ କଲେ ମଧ୍ୟ ଲୋକ ଉକ୍ତ ଆଇନକୁ ଫାଙ୍କିବାକୁ ବିକଳ୍ପ ବାଟ ତିଆରି କରୁଛନ୍ତି । ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀ ଜରିମାନାରୁ ବର୍ତ୍ତିବାକୁ ନୂଆ ଫନ୍ଦି କରୁଥିବା ଦେଖିବାକୁ ମିଳିଛି । ଖାସକରି ବାଇକ୍ ଚାଳକ ଏ ଫନ୍ଦି ଆପଣାଉଛନ୍ତି । ପୁଲିସ୍, ଟ୍ରାଫିକ୍ ପୁଲିସର କ୍ୟାମେରାରୁ ବଞ୍ଚିବାକୁ ଗାଡ଼ିର ପଛପଟ ନମ୍ବର ପ୍ଲେଟ୍କୁ ଯେନତେନ ପ୍ରକାରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ।

ସରକାର ପରିବହନ ଆଇନକୁ ଶକ୍ତ କରିଛନ୍ତି । ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଠୋର ଅର୍ଥ ଓ ଅନ୍ୟାନ୍ୟ ଦଣ୍ଡବିଧାନ ଧାର୍ଯ୍ୟ କରିଛନ୍ତି । ଅମାନିଆଙ୍କୁ ଅଙ୍କୁଶ ଲଗାଇବାକୁ ଏଚ୍ଏସ୍ଆର୍‌ପି (ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍) ବାଧ୍ୟତାମୂଳକ କରିଛନ୍ତି । ଟ୍ରାଫିକ୍ ପୁଲିସ୍ ଦୂରରୁ ଫଟୋ ଉଠାଇ ମେଲ୍ କିମ୍ବା ମେସେଜ୍ ଆକାରରେ ଜରିମାନା ଚାଲାଣ ପଠାଇ ଦେଉଛନ୍ତି । ବଜାରରୁ ଘେରାଏ ବୁଲି ଘରେ ପହଞ୍ଚିବା ବେଳେକୁ ୫ ହଜାର କି ୧୦ ହଜାରର ଜରିମାନା ମେସେଜ୍ ମୋବାଇଲ୍ରେ ପହଞ୍ଚି ଯାଉଛି । ଜରିମାନା ହଟାଇବାକୁ ଯେତେ ଅନୁରୋଧ କଲେ ବି କିଛି କାମ ଦେଉନି । ପୁଲିସ ଓ ଟ୍ରାଫିକ୍ ପୁଲିସ୍‌ର ଲୁଚାଣିଆ ଜରିମାନାରୁ ବର୍ତ୍ତିବାକୁ ବାଇକ୍ ଚାଳକ ନୂଆ ତରିକା ଆପଣାଉଛନ୍ତି । ମଟର ସାଇକଲ୍‌ର ପଛପଟ ନମ୍ବର ପ୍ଲେଟ୍‌କୁ  ଲୁଚାଇବାକୁ ଉଦ୍ୟମ କରୁଛନ୍ତି । ସମ୍ପୂର୍ଣ୍ଣ ନମ୍ବର ପ୍ଲେଟ୍ ହେଉ କି କେତୋଟି ନମ୍ବରକୁ ଘୋଡ଼ାଇ ରଖୁଛନ୍ତି । ଏଥିପାଇଁ କିଏ ଠାକୁରଙ୍କ ପୂଜା ବସ୍ତ୍ରରେ ନମ୍ବର ପ୍ଲେଟ୍ ଢାଙ୍କି ରଖୁଛି ତ ଆଉ କିଏ ନମ୍ବରକୁ ସ୍କ୍ରାଚ୍ କରିଦେଉଛି । ଆଉ କେହି କେହି ପଛପଟ ନମ୍ବର ପ୍ଲେଟ୍କୁ ସମ୍ପୂର୍ଣ୍ଣ ହଟାଇ ସହରରେ ଘୂରି ବୁଲୁଛନ୍ତି । ଏହାଦ୍ୱାରା ପୁଲିସ ବାଇକ୍ ନମ୍ବର ପ୍ଲେଟ୍ର ଫଟୋ ଉଠାଉଛନ୍ତି ସତ, ହେଲେ ଏହାର ଜରିମାନା ଧାର୍ଯ୍ୟ କରିବାରେ ବିଫଳ ହେଉଛନ୍ତି । କାରଣ ନମ୍ବର ଅସମ୍ପୂର୍ଣ୍ଣ ଥିବାରୁ ଗାଡ଼ି ଚାଳକଙ୍କ ସମ୍ପୂର୍ଣ୍ଣ ବିବରଣୀ ମିଳିପାରେନି ବୋଲି କୁହାଯାଉଛି । ବହୁ ସଂଖ୍ୟାରେ ବାଇକ୍ ଚାଳକ ଉପରୋକ୍ତ ଫନ୍ଦି କରି ଜରିମାନା ଫାଙ୍କିବାରେ ସଫଳ ହେଉଛନ୍ତି । ଏ ବାବଦରେ ଟ୍ରାଫିକ୍ ଆଇଆଇସିଙ୍କ ପ୍ରତିକ୍ରିୟା ମିଳିପାରିନି ।