ମୁମ୍ବାଇ,୨୮/୦୪; ବଲିଉଡର ବର୍ଷୀୟାନ ଅଭିନେତା ଭରତ କପୁରଙ୍କର ପରଲୋକ ହୋଇଛି । ୮୦ ବର୍ଷ ବୟସରେ ହୃତଘାତରେ ତାଙ୍କର ଦେହାନ୍ତ ହୋଇଛି । ୪ ଦିନ ଧରି ଅସୁସ୍ଥ ଥିଲେ ଭେଟେରାନ ଅଭିନେତା ଭରତ କପୁର । ରିପୋର୍ଟ ଅନୁଯାୟୀ, ତାଙ୍କୁ ମୁମ୍ବାଇର ସିଅନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏକାଧିକ ଅଙ୍ଗ ଅଚଳ ହୋଇଯାଇଥିଲା । ସୋମବାର ଅପରାହ୍ନରେ ତାଙ୍କ ବିୟୋଗ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ଏହି ଦୁଃଖଦ ଖବରକୁ ନିଶ୍ଚିତ କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଦିବଂଗତ ଅଭିନେତାଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, "ଏହି କିମ୍ବଦନ୍ତୀ ମଞ୍ଚ ଏବଂ ଚଳଚ୍ଚିତ୍ର ଅଭିନେତାଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । "

​​​​​​​ଭରତ କପୁର ହିନ୍ଦୀ ଚଳଚ୍ଚିତ୍ରରେ ଏକ ପରିଚିତ ନାମ ଥିଲେ । ବିଶେଷ କରି ୧୯୭୦,୧୯୮୦ ଏବଂ ୧୯୯୦ ଦଶକରେ ସେ ବେଶ୍ ସକ୍ରିୟ ରହିଥିଲେ । ସହାୟକ ଅଭିନେତା ଓ ଖଳ ଅଭିନେତା ଭାବେ ଫିଲ୍ମ ଜଗତରେ ସେ ନିଜର ଛାପ ଛାଡ଼ିଯାଇଛନ୍ତି । ବିଶେଷ କରି ପୁଲିସ୍ ଅଫିସର ଏବଂ ଓକିଲ ଚରିତ୍ରରେ ତାଙ୍କର ଅଭିନୟ ଦେଖିବାକୁ ମିଳିଥିଲା । ତାଙ୍କ ଫିଲ୍ମ ତାଲିକାରେ "ବରସାତ" (୧୯୯୫), "ସାଜନ ଚଲେ ସସୁରାଲ" (୧୯୯୬), ଏବଂ "ମୀନାକ୍ଷୀ: ଏ ଟେଲ ଅଫ୍ ଥ୍ରୀ ସିଟିଜ୍" (୨୦୦୪) ମଧ୍ୟ ଅନ୍ତର୍ଭୁକ୍ତ। ଭାରତ କପୁର "କ୍ୟାମ୍ପସ୍," "ପରମ୍ପରା," "ରାହତ୍," "ସାନ୍ସ," "ଅମାନତ୍," "ଭାଗ୍ୟବିଧାତା," "ତାରା," "ଚୁନୌତି," ଏବଂ "କହାଣୀ ଚନ୍ଦ୍ରକାନ୍ତ" ସମେତ ଅନେକ ଟେଲିଭିଜନ ଶୋ'ରେ ମଧ୍ୟ ଅଭିନୟ କରିଛନ୍ତି । ଭାରତ କପୁର ବିଭିନ୍ନ ପ୍ରକାରର ଭୂମିକାରେ ଅଭିନୟ କରି ଚଳଚ୍ଚିତ୍ର ଶିଳ୍ପରେ ନିଜକୁ ସ୍ୱତନ୍ତ୍ର କରିଛନ୍ତି । ସେ ଅନେକ ଚଳଚ୍ଚିତ୍ରରେ ଖଳନାୟକ, ସହାୟକ ଚରିତ୍ର ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭୂମିକାରେ ଅଭିନୟ କରିଛନ୍ତି ।

​​​​​​​

ଏହା ବି ପଢନ୍ତୁ...ଓଡ଼ିଆ ଚଳଚ୍ଚିତ୍ର ଦିବସ: ଆନ୍ତରିକତା ନାହିଁ, ଇତିହାସ ହେବାକୁ ବସିଲାଣି ସିନେମା ହଲ୍    

ଭରତ କପୁରଙ୍କ ପରଲୋକରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି । ବହୁ କଳାକାର ସୋସିଆଲ ମିଡି଼ଆ ଏକ୍ସରେ ଶୋକ ପ୍ରକାର କରିଛନ୍ତି ।