ଭୁବନେଶ୍ୱର ୦୯/୦୭: ଉପରାଷ୍ଟ୍ରପତି ଦିନିକିଆ ଗସ୍ତରେ ଗୁରୁବାର ଉପରାଷ୍ଟ୍ରପତି ସି ପି ରାଧାକୃଷ୍ଣନ୍ ଭୁବନେଶ୍ୱର ଆସୁଛନ୍ତି । ଉପ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ୍ ପୁଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି । ଏହାସହ ସହର ଭିତରେ ଓ ବାହାରେ ଟ୍ରାଫିକ୍ କଟକଣା କରାଯାଇଛି ।
ଉପରାଷ୍ଟ୍ରପତି ପୂର୍ବାହ୍ନ ସାଢ଼େ ୧୦ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ । ବିମାନବନ୍ଦର କାର୍ଗୋ ଗେଟ୍ ପାଶ୍ୱର୍ରୁ ୧୦ଟା ୪୫ ମିନିଟ୍ରେ ତାଙ୍କ କାରକେଡ୍ ବାହାରିବ । ସେ ଏୟାର୍ପୋର୍ଟ ଛକରୁ କ୍ୟାପିଟାଲ୍ ହସ୍ପିଟାଲ୍ ଛକ, ଏଜି ଛକ, ଲୋକଭବନ ଛକ, ଗୋପବନ୍ଧୁ ଛକରୁ ବାମପାଶ୍ୱର୍ ପଟ ରାସ୍ତା ଦେଇ ଓୟୁଏଟିରେ ପହଞ୍ଚିବେ । ସେଠାରେ ଦେଢ଼ ଘଣ୍ଟା ଧରି କାର୍ଯ୍ୟକ୍ରମରେ ରହିବେ । ମଧ୍ୟାହ୍ନ ସାଢ଼େ ୧୨ଟାରେ ଉପରାଷ୍ଟ୍ରପତି ଓୟୁଏଟି ଛକରୁ ଗୋପବନ୍ଧୁ ଗୋଲେଇ ଦେଇ ଲୋକଭବନ ଅଭିମୁଖେ ଯାତ୍ରା କରିବେ । ଏହି ରାସ୍ତାଟିରେ ୧୨ଟା ୪୦ମିନିଟ୍ ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଲାଗୁ ରହିବ ।
ଅପରାହ୍ଣ ପ୍ରାୟ ୧ଟା ୪୦ମିନିଟ୍ ରେ ଉପରାଷ୍ଟ୍ରପତି ଜଟଣୀ ନାଇଜର୍ ଅଭିମୁଖେ ବାହାରିବେ । ଉପରାଷ୍ଟ୍ରପତିଙ୍କ କାରକେଡ୍ ଲୋକଭବନ ଛକରୁ ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ୍ ଛକ, ଶାସ୍ତ୍ରୀନଗର ଛକ, ବେହେରା ସାହି ଛକ, ଜୟଦେବବିହାର ଛକ ଦେଇ ୧୬ ନମ୍ବର ଜାତୀୟ ରାଜପଥକୁ ଛୁଇଁବ । ଏନ୍ଏଚ୍ ରେ କାରକେଡ୍ଟି ଖୋର୍ଦ୍ଧା ବାଇପାସ୍ ସର୍ଭିସ୍ ରୋଡ୍, କାର୍ମେଲ୍ ସ୍କୁଲ୍ ଛକ, ଖୋଲାଦ୍ୱାର ଛକ, ପଦନପୁର ଛକ ଦେଇ ନାଇଜର୍ ପହଞ୍ଚିବ ।
ଅଧିକ ପଢ଼ନ୍ତୁ :- Vice President : ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି
ଅପରାହ୍ଣ ୧ଟା ୪୦ମିନିଟ୍ରୁ ୨ଟା ୩୦ମିନିଟ୍ ମଧ୍ୟରେ ଏହି ରୁଟ୍ରେ ଟ୍ରାଫିକ କଟକଣା ଲାଗୁ ହେବ । ଅପରାହ୍ଣ ୩ଟା ୫୫ମିନିଟ୍ରେ ଉପରାଷ୍ଟ୍ରପତି ନାଇଜ୍ରୁ ବାହାରି ବିମାନବନ୍ଦର ଅଭିମୁଖେ ଫେରିବେ । ପଦନପୁର ଛକରୁ ଉପରାଷ୍ଟ୍ରପତିଙ୍କ କାରକେଡ୍ ସମାନ ରୁଟ୍ ଦେଇ ଫେରିବ । ସେଠାରୁ ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲ୍ ଛକ ଦେଇ ବିମାନବନ୍ଦରକୁ ଯିବେ । ସନ୍ଧ୍ୟା ୫ଟା ୨୫ ମିନିଟ୍ ଯାଏ ଏହି ରୁଟ୍ ବନ୍ଦ ରହିବ । ଉପରୋକ୍ତ ରୁଟ୍ରେ ନିର୍ଦ୍ଧାରିତ ସମୟରେ ଯାତାୟତ ନ କରି ବିକଳ୍ପ ରାସ୍ତାରେ ଯିବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି ।