ନୂଆଦିଲ୍ଲୀ, ୮।୭: ବାରବିକ୍ୟୁ ଏବଂ ଗ୍ରିଲ୍ଡ ଫୁଡ୍... ନାଁ ଶୁଣିଲେ ପାଟିରୁ ଲାଳ ଚାଲିଆସେ । ଆଜିକାଲି ପାର୍ଟି ହେଉ କିମ୍ବା ପିକନିକ୍, ସବୁଠି ଗ୍ରିଲ୍ଡ ଚିକେନ୍ କିମ୍ବା ପନିରର ଚାହିଦା ବେଶ୍ ଅଧିକ । କିନ୍ତୁ, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣଙ୍କ ଜିଭର ଏହି ସ୍ୱାଦ କେତେବେଳେ ଯେ ଆପଣଙ୍କ ପାଇଁ ବଡ଼ ବିପତ୍ତି ସାଜିପାରେ, ତାହା ହୁଏତ ଆପଣ କଳ୍ପନା ବି କରିନଥିବେ । ଗ୍ରିଲ୍ ସଫା କରିବା ପାଇଁ ବ୍ୟବହାର କରାଯାଉଥିବା 'ମେଟାଲ୍ ୱାୟାର ବ୍ରଶ୍' ଆପଣଙ୍କୁ ପହଞ୍ଚାଇ ପାରେ ହସ୍ପିଟାଲର ଆଇସିୟୁ ପର୍ଯ୍ୟନ୍ତ । ଯେଉଁ ଖାଦ୍ୟ ପାଟିକୁ ସୁଆଦ ଲାଗୁଛି ସେହି ସ୍ୱାଦ ପାଲଟୁଛି ବିଷ ! ଗ୍ରିଲ୍ରେ ଜମି ରହିଥିବା ପୋଡ଼ା ମାଂସ ବା ଚର୍ବିକୁ ସଫା କରିବା ପାଇଁ ଆମେ ସାଧାରଣତଃ ଲୁହା କିମ୍ବା ଷ୍ଟିଲ୍ ତାରରେ ତିଆରି ବ୍ରଶ୍ ବ୍ୟବହାର କରିଥାଉ । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସଫା କରିବା ସମୟରେ ଏହି ବ୍ରଶ୍ରୁ ଅତି ପତଳା ଏବଂ ମୁନିଆ ତାର ଭାଙ୍ଗି ଗ୍ରିଲ୍ରେ ରହିଯାଏ । ଆଉ ଯେତେବେଳେ ଆମେ ସେଥିରେ ପୁଣିଥରେ ଖାଦ୍ୟ ପ୍ରସ୍ତୁତ କରୁ, ସେହି ତାରଟି ଖାଦ୍ୟ ସହିତ ମିଶି ଆମ ପେଟ ଭିତରକୁ ଚାଲିଯାଇଥାଏ ।
ଏହି ବିଷୟରେ ଥାଣେର କିମ୍ସ ହସ୍ପିଟାଲର ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡକ୍ଟର ସୁଜିତ ନାୟାର କହିଛନ୍ତି, ଏହି ମେଟାଲ୍ ତାରଗୁଡ଼ିକ ଏତେ ଛୋଟ ଏବଂ ଧାରୁଆ ଯେ ଏହା ଖାଦ୍ୟନଳୀ, ପେଟ କିମ୍ବା ଶରୀର ଭିତରର ଗ୍ରନ୍ଥିରେ ଫସିଯାଇପାରେ । ଗମ୍ଭୀର ପରିସ୍ଥିତିରେ ଏହା ପେଟ ଭିତରେ କଣା ମଧ୍ୟ କରିଦେଇପାରେ, ଯାହାଫଳରେ ସଂକ୍ରମଣ କିମ୍ବା ଆଭ୍ୟନ୍ତରୀଣ କ୍ଷତ ସୃଷ୍ଟି ହୁଏ । ଏହାକୁ ବାହାର କରିବା ପାଇଁ ଏଣ୍ଡୋସ୍କୋପି କିମ୍ବା ସର୍ଜରୀର ସାହାରା ନେବାକୁ ପଡ଼ିଥାଏ । ଯଦି ଆପଣ ଗ୍ରିଲ୍ଡ ଖାଦ୍ୟ ଖାଇବା ପରେ କିଛି ସମସ୍ୟା ଅନୁଭବ କରୁଛନ୍ତି, ତେବେ ଏହାକୁ ଜମାରୁ ହାଲକା ଭାବେ ନିଅନ୍ତୁ ନାହିଁ । ତଣ୍ଟିରେ ଅଚାନକ ପ୍ରବଳ ଯନ୍ତ୍ରଣା ହେବା କିମ୍ବା କିଛି ଗିଳିବାରେ କଷ୍ଟ ହେବା । ବାରମ୍ବାର କାଶ ହେବା ଏବଂ ଛାତିରେ ଅସହଜ ଅନୁଭବ ହେବା । ପେଟରେ କ୍ରମାଗତ ଭାବେ ଯନ୍ତ୍ରଣା ହେବା । ପରିସ୍ଥିତି ଜଟିଳ ହେଲେ ଜ୍ୱର ହେବା, ବାନ୍ତି ହେବା କିମ୍ବା ଛେପରେ ରକ୍ତ ପଡ଼ିବା । ଏଭଳି କିଛି ଲକ୍ଷଣ ଦେଖାଯାଏ, ସତର୍କ ରୁହନ୍ତୁ ।
ଏହା ବି ପଢ଼ନ୍ତୁ... Ultrasound mechanostimulation : ଓରାଲ କ୍ୟାନସର ସେଲ୍ସକୁ ମାରି ଦିଏ ଅଲ୍ଟ୍ରାସାଉଣ୍ଡ, ନୂଆ ରିସର୍ଚ୍ଚରେ ଖୁଲାସା
ତେବେ ମେଟାଲ୍ ବ୍ରଶ୍ ବଦଳରେ କ’ଣ ବ୍ୟବହାର କରିବେ ? ଗ୍ରିଲ୍ ସଫା କରିବା ପାଇଁ ସବୁଠାରୁ ସୁରକ୍ଷିତ ପଥର ଗ୍ରିଲ୍ ଷ୍ଟୋନ୍ । ଗ୍ରିଲ୍ ଥଣ୍ଡା ହେବା ପରେ ନାୟଲନ୍ ବ୍ରିସଲ୍ ଥିବା ବ୍ରଶ୍ ବ୍ୟବହାର କରନ୍ତୁ । କାଠ ସ୍କ୍ରେପର୍ ମଧ୍ୟ ଏକ ଭଲ ବିକଳ୍ପ । ଗ୍ରିଲ୍ ସଫା କରିବାକୁ ଆପଣ ଆଲୁମିନିୟମ୍ ଫଏଲ୍ ର ବ୍ୟବହାର କରିପାରିବେ । "ସାବଧାନତା ହିଁ ସୁରକ୍ଷାର ଶ୍ରେଷ୍ଠ ଉପାୟ ।" ଆପଣ ଯେଉଁ ପଦ୍ଧତିରେ ବି ଗ୍ରିଲ୍ ସଫା କରନ୍ତୁ ନାଁ କାହିଁକି, ଖାଦ୍ୟ ରାନ୍ଧିବା ପୂର୍ବରୁ ଗ୍ରିଲ୍ କୁ ଏକ ଓଦା କପଡ଼ା କିମ୍ବା ପେପର ଟାୱେଲ୍ ରେ ଭଲ ଭାବରେ ପୋଛି ଦିଅନ୍ତୁ । ଯଦି ଆପଣଙ୍କ ମେଟାଲ୍ ବ୍ରଶ୍ ଟି ପୁରୁଣା ହୋଇଯାଇଛି, ତେବେ ତାକୁ ତୁରନ୍ତ ବଦଳାଇ ଦିଅନ୍ତୁ । ନଚେତ୍ ସାମାନ୍ୟ ସ୍ୱାଦର ମଜା ଆପଣଙ୍କ ପାଲଟିଯିବ ସଜା ।