ଦାରିଙ୍ଗବାଡି,୨୯/୦୫: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଲାଞ୍ଚ କାରବାର ହୋଇଥିବା ନେଇ ଏକ ଭିଡିଓ ଭାଇରାଲ ଘଟଣାରେ ବାଲିଗୁଡା ଉପଜିଲ୍ଲାପାଳ ଡ. ରୀନା ପ୍ରଧାନ କଡ଼ା ପଦକ୍ଷେପ ନେଇଛନ୍ତି । ଦାରିଙ୍ଗବାଡି ତହସିଲଦାରଙ୍କୁ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଲାଞ୍ଚ ନେଇଥିବା କିରାଣିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ କହିଛନ୍ତି ।
କହିରଖୁ କି, ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟର ଜଣେ କିରାଣି ଜନ୍ମ ପ୍ରମାଣପତ୍ର ପାଇଁ ୫୦୦ ଟଙ୍କା ମାଗିଥିଲେ । ଅଫିସ୍ର ପିଅନ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ନେଇ କିରାଣିଙ୍କ ଡ୍ର'ରେ ରଖିଥିଲେ । ଏହି ସମୟର ଭିଡିଓ ଭାଇରାଲ୍ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ହାତୀମୁଣ୍ଡା ଅଞ୍ଚଳର ଯୁଗେଶ୍ୱର ବଳିଆରସିଂ ନିଜ ପିଲାର ବିଦ୍ୟାଳୟରେ ନାମଲେଖା ପାଇଁ ଜନ୍ମ ପ୍ରମାଣପତ୍ର ଆବଶ୍ୟକ ଥିବାରୁ ୬ ମାସ ହେଲା ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଯାଇଥିଲେ । ଶେଷରେ କିରାଣି ଜଣଙ୍କ ୫୦୦ଟଙ୍କା ଦେଲେ କାମ ହେଇଯିବ ବୋଲି ଯୁଗେଶ୍ବରଙ୍କୁ କହିଥିଲେ । ଟଙ୍କା ଦେବା ପରେ ତୁରନ୍ତ ଜନ୍ମ ପ୍ରମାଣପତ୍ର ମିଳିଯାଇଥିଲା ବୋଲି ଅଭିଯୋଗ କରିଥିଲେ ଯୁଗେଶ୍ବର ବଳିଆରସିଂ ।