ଭୁବନେଶ୍ୱର, ୨୫/୦୯: ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ଧରାପଡ଼ିଲେ ଭୁବନେଶ୍ୱର TPCODL ଅଫିସ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ । ଟ୍ରାନ୍ସଫର୍ମର୍‌କୁ ବିଦ୍ୟୁତ ଯୋଗାଣ ପାଇଁ ଚୂଡ଼ାନ୍ତ ଯାଞ୍ଚ ରିପୋର୍ଟ ଦେବାକୁ ଠିକାଦାରଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଏହି ଚଢାଉ ପରେ ତାଙ୍କ ୩ଟି ଠିକଣାରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍ ।

ସୂଚନା ମୁତାବକ, ଏକ ଆପାର୍ଟମେଣ୍ଟ୍‌ର ଟ୍ରାନ୍ସଫର୍ମର୍‌କୁ ବିଦ୍ୟୁତ ଯୋଗାଣ ପାଇଁ ଚୂଡ଼ାନ୍ତ ଯାଞ୍ଚ ରିପୋର୍ଟ ଦେବାକୁ ଠିକାଦାର ଜଣକ TPCODL ଅଫିସ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ରିପୋର୍ଟ ପ୍ରଦାନ କରିବା ପାଇଁ ତୁଷାରକାନ୍ତ ରାୟ ସମ୍ପୃକ୍ତ ଠିକାଦାରଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଅନ୍ୟ କୌଣସି ଉପାୟ ନପାଇ ଠିକାଦାର ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏନେଇ ଅଭିଯୋଗ କରିବା ପରେ ବୁଧବାର ବିଳମ୍ବିତ ରାତିରେ ଲାଞ୍ଚ ନେଉଥିବା ବେଳେ ଅତର୍କିତ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

ଏହି ଚଢାଉ ପରେ ତାଙ୍କ ୩ଟି ଠିକଣାରେ ଭିଜିଲାନ୍ସ ଟିମ୍  ଏକକାଳୀନ ଚଢାଉ କରୁଛି । ଛାନ୍‌ଭିନ୍ ବେଳେ ତାଙ୍କ ବାସଭବନରୁ ୯,୫୩,୨୦୦ ଟଙ୍କା ମିଳିଛି । ଏହା ସହ ଅନେକ ସୁନା ଅଳଙ୍କାର ମଧ୍ୟ ଠାବ ହୋଇଛି ।