ନୂଆଦିଲ୍ଲୀ,୧୨/୫ : ତାମିଲନାଡ଼ୁରେ ଫ୍ଲୋର୍ ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟଙ୍କ ପାର୍ଟି ଟିଭିକେକୁ ବଡ଼ ଝଟକା ଲାଗିଛି । ମାଡ୍ରାସ୍ ହାଇକୋର୍ଟ ତିରୁପତ୍ତୁର ସିଟରୁ ଗୋଟିଏ ଭୋଟରେ ଜିତିଥିବା TVKବିଧାୟକ ଆର ଶ୍ରୀନିବାସ ସେତୁପତିଙ୍କୁ ବିଧାନସଭା କାର୍ଯ୍ୟରେ ଅଂଶଗ୍ରହଣ ହେବା ଉପରେ ରୋକ୍ ଲଗାଇ ଦେଇଛନ୍ତି । ଏହାର ଅର୍ଥ ଏହା କି ସେ ଏବେ ଫ୍ଲୋର ଟେଷ୍ଟରେ ଭାଗ ନେଇପାରିବେ ନାହିଁ । ଏହାକୁ ନେଇ ଟିଭିକେର ବିଧାୟକ ଆର. ଶ୍ରୀନିବାସ ସେତୁପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଟିଭିକେ ବିଧାୟକ ବିଧାନସଭାରେ ମତଦାନରେ ଭାଗ ନ ନେବାକୁ ନେଇ ମାଡ୍ରାସ ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି । ଏହି ମାମଲା ଉପରେ ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି । ରାଜ୍ୟର ବିଜୟ ସରକାରଙ୍କୁ ମଧ୍ୟ ସେହି ଦିନ ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ପଡ଼ିବ। ସେତୁପତିଙ୍କ ନିର୍ବାଚନ ବିପକ୍ଷରେ ଡିଏମକେ ପ୍ରାର୍ଥୀ ନିର୍ବାଚନ ଆବେଦନ ଯୋଗୁଁ ହାଇକୋର୍ଟ ତାଙ୍କୁ ବିଧାନସଭାରେ ମତଦାନରେ ଅଂଶଗ୍ରହଣ କରିବାରୁ ବାରଣ କରିଛନ୍ତି । ସେତୁପତିଙ୍କୁ ତିରୁପୁତ୍ତୁର ସିଟରୁ ଡିଏମକେ ପ୍ରାର୍ଥୀ ପେରିୟାକରୁପ୍ପନଙ୍କ ବିପକ୍ଷରେ କେବଳ ୧ଭୋଟରେ ବିଜୟୀ ମିଳିଥିଲା । ପରାଜିତ ପ୍ରାର୍ଥୀ ହାଇକୋର୍ଟରେ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିଛନ୍ତି।
ଜଷ୍ଟିସ୍ ଏଲ୍. ଭିକ୍ଟୋରିଆ ଗୌରୀ ଏବଂ ଜଷ୍ଟିସ୍ ଏନ. ସେନ୍ଥିଲକୁମାରଙ୍କ ଅବକାଶକାଳୀନ ଖଣ୍ଡପୀଠ ଡିଏମକେ ପ୍ରାର୍ଥୀ କେ. ଆର. ପେରିୟାକରୁପ୍ପନଙ୍କ ଆବେଦନ ଉପରେ ଏହି ଅନ୍ତରୀଣ ଆଦେଶ ଦେଇଛନ୍ତି । ପେରିୟାକରୁପ୍ପନ ୨୩ ଏପ୍ରିଲରେ ହୋଇଥିବା ନିର୍ବାଚନରେ ତିଋପତ୍ତୁର ସେତୁପତିଙ୍କଠାରୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ ହୋଇଥିଲେ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀନିବାସ ସେତୁପତି କୌଣସି ଅନାସ୍ଥା ପ୍ରସ୍ତାବ ଉପରେ ବି ମତଦାନ କରିପାରିବେ ନାହିଁ । ନିର୍ବାଚନରେ ଶ୍ରୀନିବାସ ସେତୁପତିଙ୍କୁ ୮୩,୩୬୫ ଭୋଟ ମିଳିଥିଲା । ଯାହାକି ପୂର୍ବତନ ମନ୍ତ୍ରୀ ପେରିୟାକରୁପ୍ପନ ୮୩,୩୬୪ ଭୋଟ ପାଇଥିଲେ। ପରବର୍ତ୍ତୀ ସମୟରେ ସେତୁପତିଙ୍କୁ ଗୋଟିଏ ଭୋଟ ବ୍ୟବଧାନରେ ବିଜୟୀ ଘୋଷଣା କରାଯାଇଥିଲା।
ରାଜ୍ୟର ବିଜୟ ସରକାରଙ୍କୁ ବୁଧବାର ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ପଡ଼ିବ । ବର୍ତ୍ତମାନ ଟିଭିକେ ମେଣ୍ଟର ୧୨୦ବିଧାୟକ ଅଛନ୍ତି । ଯଦି ସେତୁପତି ଭୋଟ ଦେଇପାରିବେ ନାହିଁ, ତେବେ ଏହି ସଂଖ୍ୟା ୧୧୯କୁ ହ୍ରାସ ପାଇବ । ୨୩୪ସଦସ୍ୟ ବିଶିଷ୍ଟ ବିଧାନସଭାରେ ବହୁମତ ପାଇଁ ୧୧୮ଜଣ ଆବଶ୍ୟକ ।