ହରଭଙ୍ଗା,୪/୯ : ଗମନାଗମନ ପାଇଁ ସରକାର ପ୍ରାଧାନ୍ୟ ଦେଇ ଆସୁଥିବାବେଳେ ତାହା ଠିକ୍ ଭାବରେ ତୃଣମୂଳସ୍ତରରେ ପହଁଚି ପାରୁନାହିଁ । ଏଥିପାଇଁ ନା ସ୍ଥାନୀୟ ଜନ ପ୍ରତିନିଧିଙ୍କ ଆନ୍ତରିକତା ନା ପ୍ରଶାସନିକ କ୍ଷେତ୍ରରେ ହେଉଛି କାର୍ଯ୍ୟକାରିତା। କେବଳ ଅଭିଯୋଗ କରି କରି ଆମେ ନୟାନ୍ତ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ବୀରନରସିଂହପୁର ପଞ୍ଚାୟତ ବାଲିପୁର ଗାଁରେ । ଆଜି ପର୍ଯ୍ୟନ୍ତ ପକା ରାସ୍ତା ଓ ପୋଲର ସୁବିଧା ନାହିଁ । ସ୍ୱାଧୀନତା ପାଇ ୭୫ବର୍ଷ ହୋଇଥିବା ସତ୍ତ୍ୱେ ମଧ୍ୟ, ଏହି ଗାଁର ଲୋକମାନେ ଅବହେଳାର ଶିକାର ହେଉଛନ୍ତି । ବର୍ଷାରେ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି ।

ଗାଁ ପାଖରୁ ବହୁଥିବା ଛୋଟ ନାଳଟି ବର୍ଷାରେ ଫୁଲି ଯାଇଥାଏ। ପୋଲ ନ ଥିବାରୁ ଗାଁବାସୀମାନେ ସେହି ନଦୀ ପାର ହୋଇ ହାଟ ବଜାର ସ୍କୁଲ କଲେଜ ଯିବାରେ ବିପଦର ସମ୍ମୁଖୀନ ହୋଇଥାନ୍ତି । ଅନେକ ସମୟରେ ବିଦ୍ୟାଳୟର ପିଲାମାନେ ଓ ରୋଗୀମାନେ ଏହି ଅବସ୍ଥାରେ ଦୁର୍ଘଟଣାରେ ପଡ଼ୁଥିବା କଥା ଗାଁବାସୀ କହିଛନ୍ତି। ସଡ଼କ ଓ ପୋଲ ନିର୍ମାଣ କରାଯାଇଥିଲେ ଆମ ଗାଁର ଚିତ୍ର ପରିବର୍ତ୍ତନ ହୋଇଯିବ । ପିଲାମାନେ ଶିକ୍ଷା ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି ।

ଏହି ସମସ୍ୟାକୁ ନେଇ ଗାଁବାସୀମାନେ ଅନେକ ଥର ନେତା ମନ୍ତ୍ରୀଙ୍କ ଠୁ ଆରମ୍ଭ କରି ପ୍ରଶାସନିକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି। କିନ୍ତୁ ଫଳ ଶୂନ। ଗାଁବାସୀମାନଙ୍କ ଦୀର୍ଘଦିନର ସ୍ୱପ୍ନ ପକା ସଡ଼କ ଓ ପୋଲ ନିର୍ମାଣ ପାଇଁ ଗ୍ରାମର ଲୋକେ ଦାବି କରିଛନ୍ତି । ଏ ବାବଦରେ ହରଭଙ୍ଗା ବ୍ଲକ ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ମନୋରଞ୍ଜନ ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି କେବଳ କିଛି ପ୍ରସ୍ତାବ ବ୍ଲକକୁ ଆସି ନାହିଁ, ଯଦି ଆସେ ଏ ବିବାଦରେ ଆମେ ପଦକ୍ଷେପ ନେବୁ ।