ଦଶମନ୍ତପୁର ୪/୧ : ବହୁ ବର୍ଷର ଦାବି ପରେ ଗାଁକୁ ପକା ରାସ୍ତାଟିଏ ନିର୍ମାଣ ହେଉଛି। ହେଲେ ବିଭାଗୀୟ ଅଧିକାରୀମାନଙ୍କ ତଦାରଖ ଅଭାବ ଯୋଗୁଁ, ଠିକାଦାର ନିମ୍ନ ମାନର କାର୍ଯ୍ୟ କରୁଥିବା ନେଇ ଗ୍ରାମବାସୀ ବିରୋଧ କରିଛନ୍ତି। ଏହି ରାସ୍ତା କାମ କୌଣସି ଦୁର୍ଗମ ଅଞ୍ଚଳର ନୁହେଁ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ବଦଳି କୁଡୁମା ଗାଁର ରାସ୍ତା କାମ। ଏହି ରାସ୍ତା ତ୍ରିବେଣୀ ନଦୀ ନିକଟ ପିଡବ୍ଲୁଡି ରାସ୍ତା ଠାରୁ ମାତ୍ର ୧ କିମି ଦୂର ରେ ରହିଛି ।
ଏହି ଗ୍ରାମ ସହ ପଡୋଶୀ ଗାଁ ମାଣ୍ଡିଆ ଗୁଡା ଏବଂ ବାଣୁଆ ଗୁଡାକୁ ପକା ରାସ୍ତା ନିର୍ମାଣ ଲାଗି ୨ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି କାର୍ଯ୍ୟ ଗ୍ରାମ ଉନ୍ନୟନ ବିଭାଗକୁ ତଦାରଖ ଦାୟିତ୍ଵ ଦେଇ ଥିବା ବେଳେ କାଶିପୁର ଅଞ୍ଚଳର ଜଣେ ଠିକାଦାରଙ୍କୁ ନିର୍ମାଣ ଦାୟିତ୍ବ ଦିଆଯାଇଛି। ହେଲେ ନିୟମିତ ଭାବେ ଅଧିକାରୀ ମାନେ ତଦାରଖ ପାଇଁ କାର୍ଯ୍ୟ ସ୍ଥଳକୁ ଆସୁ ନ ଥିବାରୁ ଏହାର ସୁଯୋଗ ନେଇ, ଠିକାଦାର ନିମ୍ନ ମାନର କାର୍ଯ୍ୟ କରୁଥିବା ଗାଁର ପଦ୍ମନ ଗୈାଡ, ମିନକେତନ ଖୋସଲା, ଅର୍ଜୁନ କମାର, ମେଟା ଜାନୀ, କୃତି ବାସ ଖୋସଲା, ପରମା କମାର, ବିଦ୍ୟା ଗୌଡ ପ୍ରମୁଖ ଅଭିଯୋଗ କରିଛନ୍ତି।