ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ସଂଘଟିତ ହେବାର ନିଷ୍ପତ୍ତି ସମ୍ପର୍କରେ ରାଜନୈତିକ ନେତୃବର୍ଗଙ୍କର ମାନସିକତା ହେଉଛି ରଣନୈତିକ ହିସାବ, ମନସ୍ତାତ୍ତ୍ୱିକ ବିଚାର, ରାଜନୈତିକ ଆବଶ୍ୟକତା ଏବଂ ଆଦର୍ଶଗତ କିମ୍ବା ଆର୍ଥିକ ଲକ୍ଷ୍ୟ ହାସଲର ଏକ ଜଟିଳ ଅନ୍ତଃପ୍ରକ୍ରିୟା । ଯୁଦ୍ଧ ରାଷ୍ଟ୍ରର ଭିତ୍ତିଭୂମିରେ ବ୍ୟାପକ ଧ୍ୱଂସସାଧନ, ଶ୍ରମ ଉତ୍ପାଦକତାରେ ହ୍ରାସ ଏବଂ ଯୋଗାଣ ଶୃଙ୍ଖଳରେ ପ୍ରତିବନ୍ଧ ସୃଷ୍ଟିକରେ, ଯାହା ଉଚ୍ଚ ମୁଦ୍ରାସ୍ଫୀତି ଘଟାଇ ଅର୍ଥନୀତିକୁ ଗୁରୁତର ଭାବରେ ପ୍ରଭାବିତ କରେ । ଏଥିସହିତ ବିଶ୍ୱ ସୁରକ୍ଷା ଗଭୀର ଅସ୍ଥିରତାର ସମ୍ମୁଖୀନ ହୁଏ ଏବଂ ତୀବ୍ରତାପୂର୍ଣ୍ଣ ସଂଘର୍ଷ ଦ୍ୱାରା ଯୁଦ୍ଧ ପ୍ରଭାବିତ ରାଷ୍ଟ୍ରର ଅଧିବାସୀ, ଉଭୟ ସୈନିକ ଏବଂ ସାଧାରଣ ନାଗରିକ, ବହୁସଂଖ୍ୟାରେ ମୃତାହତ ହେବା ସହ ଗୁରୁତର ଜଟିଳ ମାନସିକ ଆଘାତ, ଅବସାଦ ଏବଂ ଦୁଃଖ ମଧ୍ୟରେ ଗତି କରନ୍ତି । ସାମ୍ପ୍ରତିକ ଦୃଶ୍ୟପଟ୍ଟ ରେ, ବିଗତ ଚାରିବର୍ଷ ଧରି ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିଲାବେଳେ ପରବର୍ତ୍ତୀ ସମୟରେ ଇସ୍ରାଏଲହାମାସ୍ ଯୁଦ୍ଧ ଏବଂ ସମ୍ପ୍ରତି ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଜାରି ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି, ଯାହା ପଶ୍ଚିମ-ଏସିଆର ଆଞ୍ଚଳିକ ସ୍ଥିରତାରେ ଗଭୀର ବ୍ୟାଘାତ ସୃଷ୍ଟି କରୁଛି । ପୁନଶ୍ଚ, ଆଫଗାନିସ୍ତାନର ତାଲିବାନ ଏବଂ ପାକିସ୍ତାନ ମଧ୍ୟରେ ସୀମାପାର ଯୁଦ୍ଧ ତୀବ୍ରତର ହେଉଛି । ନିକଟରେ ଏହି ନାଟକୀୟ ସଂଘର୍ଷରେ ପାକିସ୍ତାନର ବିମାନ ଆକ୍ରମଣରେ କାବୁଲ ସ୍ଥିତ ଏକ ଡାକ୍ତରଖାନାରେ ୪୦୦ରୁ ଅଧିକ ଲୋକ ମୃତ୍ୟୁର ଶିକାର ହୋଇଛନ୍ତି । ଠିକ୍ ସେହିପରି, ମିସାଇଲ୍ ଆକ୍ରମଣରେ ଇରାନର ଏକ ସ୍କୁଲଘର ଧ୍ୱଂସପ୍ରାପ୍ତ ହୋଇ ପ୍ରାୟ ୨୦୦ ଜଣ ଛାତ୍ରୀଙ୍କର ମୃତ୍ୟୁ ହେବାର ଦୁଃଖଦ ଖବର ହସ୍ତଗତ ହୋଇଛି ।
ଏହା ଉଲ୍ଲେଖନୀୟ ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ସଂଘର୍ଷରେ ଜଡ଼ିତ ଦେଶମାନଙ୍କ ସଂଖ୍ୟା ସମ୍ପ୍ରତି ସର୍ବାଧିକ ସ୍ତରରେ ପହଞ୍ଚିଛି ଏବଂ ୯୨ଟି ଦେଶ ଏବେ ବିଭିନ୍ନ ଭାବରେ ଅନ୍ତର୍ଜାତୀୟ ସଂଘର୍ଷରେ ଲିପ୍ତ ରହିଛନ୍ତି । ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଗୁରୁତର ଖାଦ୍ୟାଭାବ, ବ୍ୟାପକ ବିସ୍ଥାପନ ଏବଂ ନାଗରିକମାନେ ଆକ୍ରମଣର ଶିକାର ହେଉଛନ୍ତି, ଯାହା ବହୁଳ ଭାବରେ ଦୀର୍ଘକାଳୀନ ଗମ୍ଭୀର ସାମାଜିକ, ଅର୍ଥନୈତିକ ଏବଂ ପରିବେଶଜନିତ ସମସ୍ୟା ସୃଷ୍ଟିର କାରଣ ହେଉଛି । ପରିଣାମରେ, ଯୁଦ୍ଧଲିପ୍ତ ରାଷ୍ଟ୍ରମାନଙ୍କର ବିକାଶ ପଶ୍ଚାତ୍ ଦିଗରେ ଗତି କରୁଛି ।
ତେବେ, ଏହି ପ୍ରବନ୍ଧର ଆଭିମୁଖ୍ୟ ହେଉଛି ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତିରେ ବିଶ୍ୱ ପରିବେଶ କିପରି ବହୁମୁଖୀ ଗମ୍ଭୀର, ନକାରାତ୍ମକ ପ୍ରଭାବର ସମ୍ମୁଖୀନ ହେଉଛି, ଯାହା ଦୀର୍ଘକାଳୀନ ଭିତ୍ତିରେ ଜୀବଜଗତର ବିନାଶ ସାଧନ କରିବ, ତାହାର ଏକ ଠିକ୍ ବିଶ୍ଳେଷଣ କରିବା । ଚଳିତ ଯୁଦ୍ଧ ସ୍ଥଳ-ଭିତ୍ତିକ ସଶସ୍ତ୍ର ସଂଘର୍ଷ ନହୋଇ ମୁଖ୍ୟତଃ ବାୟୁ-ଭିତ୍ତିକ ଆକ୍ରମଣ ଉପରେ ପର୍ଯ୍ୟବସିତ ଅଟେ, ଯେଉଁଥିରେ ବୋମାବର୍ଷୀ ସଶସ୍ତ୍ର ଯାନ, ଯୁଦ୍ଧବିମାନ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ପ୍ରଣାଳୀ ଇତ୍ୟାଦିର ବ୍ୟାପକ ବ୍ୟବହାର ଅନ୍ତର୍ଭୁକ୍ତ । ରଣନୈତିକ ବୋମା ମାଡ଼ ଏବଂ କୌଶଳଗତ ସାମରିକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଶତ୍ରୁ ରାଷ୍ଟ୍ରରେ ନିର୍ଦ୍ଦିଷ୍ଟ ଅଞ୍ଚଳ, ଅନୁଷ୍ଠାନ, ଶିଳ୍ପ କାରଖାନା, ଯୋଗାଣ ବ୍ୟବସ୍ଥା, ଗମନାଗମନ ଏବଂ ବିବିଧ ଭିତ୍ତିଭୂମି ଉପରେ ଆକ୍ରମଣ କରି ଧ୍ୱଂସସାଧନ କରିବା ଏବଂ ବାୟୁସେନାର ଶ୍ରେଷ୍ଠତା ହାସଲ ହେଉଛି ପ୍ରମୁଖ ଲକ୍ଷ୍ୟ । ଏହି ସଂଘର୍ଷ ପ୍ରକ୍ରିୟାର ପରିଣାମରେ ତତ୍କ୍ଷଣାତ୍ କେତେକ ପରିବେଶୀୟ ବିପର୍ଯ୍ୟୟ ସଂଘଟିତ ହେବା ସହ ଦୀର୍ଘକାଳୀନ କ୍ଷତି ଘଟିବାର ପୃଷ୍ଠଭୂମି ସୃଷ୍ଟିହୁଏ । ଯୁଦ୍ଧର ପରିବେଶଗତ ପ୍ରଭାବ, ବିବିଧ ପ୍ରକାର ପ୍ରଦୂଷଣ, ଜୈବବିବିଧତାର ହ୍ରାସ ଏବଂ ଜଳବାୟୁ ପରିବର୍ତ୍ତନ ତ୍ୱରାନ୍ୱିତ ହେବା ପରି ପ୍ରମୁଖ ଦିଗରୁ ବିଚାର୍ଯ୍ୟ ଅଟେ ।
ଯୁଦ୍ଧର ସର୍ବାଧିକ କ୍ଷତିକାରକ ପ୍ରଭାବ ହେଉଛି ବାୟୁମଣ୍ଡଳକୁ ପ୍ରଦୂଷକ ପଦାର୍ଥର ବିପୁଳ ନିର୍ଗମନ । ତୈଳଭଣ୍ଡାର, ଗ୍ୟାସ୍ ସଞ୍ଚିତ କ୍ଷେତ୍ର, ବିଶୋଧନାଗାର, ଏପରିକି ତୈଳବାହୀ ଜାହାଜ ଉପରେ ବିମାନ ଆକ୍ରମଣ ଫଳରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟୁଛି, ଯାହା ସଲଫର୍ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍, କଣିକା ପଦାର୍ଥ ଏବଂ ଭାରୀ ଧାତୁ ଭଳି ବିଷାକ୍ତ ପଦାର୍ଥ ନିର୍ଗତ କରୁଛି । ଏସବୁ ପ୍ରଦୂଷକ ବାୟୁ ଗୁଣବତ୍ତା ହ୍ରାସ କରିବା ସହ ଶ୍ୱାସକ୍ରିୟାଜନିତ ରୋଗ, ଚର୍ମ ଜ୍ୱଳନ ଏବଂ କର୍କଟ ଭଳି ଦୀର୍ଘକାଳୀନ ରୋଗ ସମେତ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିକରେ । ଦୃଷ୍ଟାନ୍ତସ୍ୱରୂପ, ଇରାନୀ ଇନ୍ଧନ ଭଣ୍ଡାର ଉପରେ ଆକ୍ରମଣ ଯୋଗୁଁ ଘନ କଳାଧୂଆଁର ଆସ୍ତରଣ, ତେଲକଣିକା ଏବଂ ବିପଜ୍ଜନକ ରାସାୟନିକ ପଦାର୍ଥ ନିର୍ଗତ ହେଉଛି, ପରିଣାମରେ ପ୍ରଦୂଷିତ କଣିକା ବର୍ଷାଜଳ ସହ ମିଶି ‘କଳାବର୍ଷା' ସୃଷ୍ଟିର କାରଣ ହେଉଛି । ଏତଦ୍ ବ୍ୟତୀତ, ଭାରୀ ଅସ୍ତ୍ରଶସ୍ତ୍ରର ବ୍ୟାପକ ବ୍ୟବହାର ଧୂହୁଡ଼ି (ସ୍ମଗ୍) ଏବଂ ଅମ୍ଳବର୍ଷା ସୃଷ୍ଟିରେ ସହାୟକ ହୁଏ, ଯାହା ଫସଲ, ଜଙ୍ଗଲ, ଜୀବଜନ୍ତୁ ଏବଂ ଜଳ ଉତ୍ସରେ କ୍ଷତି ପହଞ୍ଚାଏ । ଏହି ପ୍ରଦୂଷଣ ସ୍ଥାନୀୟ ଅଞ୍ଚଳରେ ସୀମିତ ନରହି ପବନ ପ୍ରବାହରେ ରାଷ୍ଟ୍ରୀୟ ସୀମା ଅତିକ୍ରମ କରେ, ଯାହା ମଧ୍ୟପ୍ରାଚ୍ୟର ପଡ଼ୋଶୀ ଦେଶମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିଣାମ ହେଉଛି ଜଳଉତ୍ସ ଏବଂ ମୃତ୍ତିକା ପ୍ରଦୂଷଣ । ତୈଳ ଭିତ୍ତିଭୂମି ଉପରେ ବୋମା ମାଡ଼ ଦ୍ୱାରା ପ୍ରାୟତଃ ତେଲ ବିସ୍ତାରିତ ହୋଇ ନଦୀ, ହ୍ରଦ, ଭୂତଳ ଜଳ ଏବଂ କୃଷିଜମିରେ ପ୍ରବେଶ କରେ । ଏହି ହାଇଡ୍ରୋକାର୍ବନ ଜଳୀୟ ପରିସଂସ୍ଥାକୁ ବିଷାକ୍ତ ଏବଂ ମାନବ ବ୍ୟବହାର ନିମନ୍ତେ ଜଳକୁ ଅସୁରକ୍ଷିତ କରିଥାଏ ।
ସାମୁଦ୍ରିକ ପରିସଂସ୍ଥା ଏବଂ ଏସବୁର ଜୀବଜନ୍ତୁ ମଧ୍ୟ ଏଥିରେ ଯଥେଷ୍ଟ କ୍ଷତିଗ୍ରସ୍ତ ହେଉଛନ୍ତି । ଶିଳ୍ପ ଏବଂ ପରମାଣୁ ସମ୍ବନ୍ଧୀୟ ଉତ୍ସ ଉପରେ ଆକ୍ରମଣ ଦ୍ୱାରା ପରିବେଶକୁ ରେଡିଓଆକ୍ଟିଭ୍ ଏବଂ ବିଷାକ୍ତ ରାସାୟନିକ ପଦାର୍ଥ ମୁକ୍ତ ହେବାର ଆଶଙ୍କା ରହିଛି । ପ୍ରଦୂଷଣକାରୀ ପଦାର୍ଥ ମୃତ୍ତିକାରେ ଦୀର୍ଘ ବର୍ଷ ଧରି ଜମିରହି ଚାଷଜମିକୁ ଅନୁପଯୁକ୍ତ ଏବଂ ଖାଦ୍ୟ ସୁରକ୍ଷାକୁ ବିପନ୍ନ କରିପାରେ । ସଦ୍ୟ ରିପୋର୍ଟ ସୂଚିତ କରେ ଯେ, ଇରାନରେ ବିସ୍ଫୋରଣ ଏବଂ ତୈଳଇନ୍ଧନର କ୍ଷରଣ ସହରାଞ୍ଚଳର ଚତୁର୍ଦିଗରେ ମୃତ୍ତିକା ଏବଂ ଜଳ ଯୋଗାଣକୁ ପ୍ରଦୂଷିତ କରିବା ଆରମ୍ଭ କରିସାରିଛି । ଭିତ୍ତିଭୂମି ନଷ୍ଟହେବା ଦ୍ୱାରା ବିପୁଳ ପରିମାଣରେ ବିପଦପୂର୍ଣ୍ଣ ଭଗ୍ନାବଶେଷ ସୃଷ୍ଟି ହେଉଛି, ଯେଉଁଥିରେ ଆଜବେଷ୍ଟସ୍, ଭାରୀ ଧାତୁ ଏବଂ ରାସାୟନିକ ଅବଶିଷ୍ଟାଂଶ ଭଳି ବିଷାକ୍ତ ପଦାର୍ଥ ରହିଥାଏ । ଠିକ୍ରୂପେ ପରିଚାଳିତ ନହେଲେ ଏହା ଦୀର୍ଘକାଳୀନ ପରିବେଶୀୟ ଅବକ୍ଷୟକୁ ଆହୁରି ତ୍ୱରାନ୍ୱିତ କରେ ।
ସଂଘର୍ଷର ପରିଣାମରେ ପ୍ରାକୃତିକ ବାସସ୍ଥଳୀରେ ବ୍ୟାପକ ଧ୍ୱଂସ ସାଧିତ ହେଉଛି । ବୋମା ମାଡ଼, ଅଗ୍ନିକାଣ୍ଡ ଏବଂ ସାମରିକ ଅଭିଯାନ ଜଙ୍ଗଲ, ଆର୍ଦ୍ରଭୂମି ଏବଂ କୃଷିଜମିକୁ କ୍ଷତିଗ୍ରସ୍ତ କରୁଛି । ବନ୍ୟଜନ୍ତୁମାନେ ତୁରନ୍ତ ମୃତ୍ୟୁର ଶିକାର ହେଉଛନ୍ତି ଅଥବା ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି, ଯାହାଦ୍ୱାରା ପ୍ରାକୃତିକ ପରିବେଶ ଏବଂ ଖାଦ୍ୟଶୃଙ୍ଖଳ ବାଧାପ୍ରାପ୍ତ ହେଉଛି । ଇରାନ ଓ ଇସ୍ରାଏଲ ଉଭୟରେ, କ୍ଷେପଣାସ୍ତ୍ର ମାଡ଼ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ଯୋଗୁଁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଅଗ୍ନିଜନିତ ଘଟଣା ବୃଦ୍ଧିପାଉଛି ଏବଂ ଜଙ୍ଗଲରେ ନିଆଁ ବ୍ୟାପୁଛି, ଯାହା ଉଦ୍ଭିଦ ତଥା ବନ୍ୟପ୍ରାଣୀଙ୍କ ବାସସ୍ଥଳୀକୁ ନଷ୍ଟଭ୍ରଷ୍ଟ କରୁଛି । ସାମରିକ ଧ୍ୱଂସଲୀଳା ଏବଂ ନିଆଁର ପ୍ରକୋପରେ ପରିସଂସ୍ଥାର ବିଖଣ୍ଡନ ଜୀବଜାତିମାନଙ୍କର ପୁନରୁଦ୍ଧାର କ୍ଷମତାକୁ ଆହୁରି ସଂକୁଚିତ କରେ । ଜୈବବିବିଧତାର ହ୍ରାସନ ଦୀର୍ଘକାଳୀନ ସମସ୍ୟା ସୃଷ୍ଟିକରେ, କାରଣ ପରିବେଶଗତ ପରିବର୍ତ୍ତନ ଦ୍ୱାରା ପରିସଂସ୍ଥାମାନଙ୍କର ସ୍ଥିରତା ହ୍ରାସପାଏ । ପ୍ରମୁଖ ଜୀବଜାତିଙ୍କର ବିଲୋପ ପରିବେଶୀୟ ସନ୍ତୁଳନକୁ ବିପର୍ଯ୍ୟସ୍ତ କରେ, ଯାହାର ପ୍ରଭାବ କୃଷି, ଜଳ ପ୍ରଣାଳୀ ଏବଂ ମାନବ ଜୀବିକା ଉପରେ ଅନୁଭୂତ ହୁଏ । ଯୁଦ୍ଧ ପରିସ୍ଥିତି ବିଶ୍ୱ ଜଳବାୟୁ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ।
ସାମରିକ କାର୍ଯ୍ୟକଳାପରେ ବିମାନ, ଟ୍ୟାଙ୍କ, ନୌସେନା ଜାହାଜ ଏବଂ ଲଜିଷ୍ଟିକ୍ସ ଦ୍ୱାରା ପ୍ରଚୁର ପରିମାଣର ଜୀବାଶ୍ମ ଇନ୍ଧନ ବ୍ୟବହାର ହୁଏ, ଯାହାର ଦହନରେ ଯଥେଷ୍ଟ ମାତ୍ରାର ସବୁଜଗୃହ (ଗ୍ରୀନହାଉସ୍) ଗ୍ୟାସ୍ ବାୟୁମଣ୍ଡଳକୁ ନିର୍ଗତ ହୁଏ । ଏହା ସହିତ ତୈଳକୂପ ଓ ଭଣ୍ଡାର ଏବଂ ଶିଳ୍ପସଂସ୍ଥାମାନ ନିଆଁରେ ଜଳିବା ଦ୍ୱାରା ବହୁ ପରିମାଣରେ ଅଙ୍ଗାରକାମ୍ଳ ଏବଂ କଳା ଅଙ୍ଗାରକ (କାର୍ବନ୍) ନିର୍ଗତ ହୁଏ, ଯାହା ବିଶ୍ୱ ତାପମାତ୍ରା ବୃଦ୍ଧିରେ ସହାୟକ ହୁଏ । ଏପରି ସଂଘର୍ଷ ଉପରେ ହୋଇଥିବା ପୂର୍ବର ଅଧ୍ୟୟନ ସୂଚାଏ ଯେ, ସମଗ୍ର ଦେଶମାନଙ୍କରୁ ନିର୍ଗତ ହେଉଥିବା ବିଷାକ୍ତ ବାଷ୍ପ ସହ ଯୁଦ୍ଧକାଳୀନ ନିର୍ଗମନ ସମାନ ହୋଇପାରେ । ବର୍ତ୍ତମାନର ସଂଘର୍ଷରେ ଶକ୍ତି ଭିତ୍ତିଭୂମି ଅଧିକ ଧ୍ୱଂସପ୍ରାପ୍ତ ହେଉଥିବାରୁ ଏହା ବିଶେଷ କ୍ଷତିକାରକ ସାଧିତ ହେଉଛି, କାରଣ ଏଥିରେ ବିଶାଳ ପରିମାଣରେ ଜୀବାଶ୍ମ ଇନ୍ଧନର ଦହନ ଘଟି ପ୍ରଦୂଷଣକୁ ମାତ୍ରାଧିକ କରୁଛି । ଅଧିକନ୍ତୁ, ଯୁଦ୍ଧ ପରବର୍ତ୍ତୀ ସମୟରେ ସହରାଞ୍ଚଳ, ଶିଳ୍ପ ଏବଂ ଭିତ୍ତିଭୂମିର ପୁନଃନିର୍ମାଣ ନିମନ୍ତେ ଯଥେଷ୍ଟ ଶକ୍ତି ଏବଂ ସମ୍ବଳର ବିନିଯୋଗ ଆବଶ୍ୟକ ହେବ, ଯାହା ଦୀର୍ଘକାଳୀନ ଭାବରେ ଆହୁରି ନିର୍ଗମନ ବୃଦ୍ଧି କରିବ ।
ଯୁଦ୍ଧର ପରିବେଶୀୟ ପ୍ରଭାବ କେବଳ ସଂଘର୍ଷ କ୍ଷେତ୍ର ବା ରାଷ୍ଟ୍ର ମଧ୍ୟରେ ସୀମିତ ରହେନାହିଁ । ତୈଳ ଓ ଗ୍ୟାସ୍ ଉତ୍ପନ୍ନ କ୍ଷେତ୍ର ତଥା ଏସବୁର ପରିବହନ ମାର୍ଗ ଭଳି ପ୍ରମୁଖ ଶକ୍ତି ଭିତ୍ତିଭୂମି ଧ୍ୱଂସ ହେବା ବିଶ୍ୱ ଶକ୍ତି ବଜାରକୁ ବାଧାପ୍ରାପ୍ତ କରୁଛି ଏବଂ ବିକଳ୍ପ ଜୀବାଶ୍ମ ଇନ୍ଧନ ଉତ୍ସ ଉପରେ ନିର୍ଭରଶୀଳତା ବୃଦ୍ଧିପାଉଛି । ଏହି ଘଟଣା ନବୀକରଣୀୟ ଶକ୍ତିକ୍ଷେତ୍ରରେ ବୈଶ୍ୱିକ ପରିବର୍ତ୍ତନକୁ ବିଳମ୍ବିତ ଏବଂ ସାମଗ୍ରିକ ଅଙ୍ଗାରକ ନିର୍ଗମନକୁ ବୃଦ୍ଧି କରିପାରେ । ପାରସ୍ୟ ଉପସାଗର ଭଳି ରଣନୈତିକ ଜଳପଥରେ ତୈଳ ବିସ୍ତାରିତ ହେବା ମଧ୍ୟ ସାମୁଦ୍ରିକ ପରିସଂସ୍ଥାକୁ ବିପଦରେ ପକାଉଛି, ଯାହା ଜଳୀୟ ଜୀବ, ମତ୍ସ୍ୟଜୀବୀ ଏବଂ ଉପକୂଳବର୍ତ୍ତୀ ସମ୍ପ୍ରଦାୟଙ୍କୁ ପ୍ରଭାବିତ କରୁଛି । ଏଥିସହିତ ବାୟୁ ଓ ଜଳ ପ୍ରଦୂଷଣ ରାଷ୍ଟ୍ରୀୟ ସୀମା ଲଙ୍ଘନ କରି ଏହି ଆଞ୍ଚଳିକ ସଂଘର୍ଷକୁ ଏକ ବ୍ୟାପକ ପରିବେଶୀୟ ସଙ୍କଟରେ ପରିଣତ କରୁଛି ।
ମାନବ ଜାତିକୁ ଗମ୍ଭୀରତାର ସହ ହୃଦୟଙ୍ଗମ କରିବାକୁ ପଡ଼ିବ ଯେ, ସାମ୍ପ୍ରତିକ ଯୁଦ୍ଧର ଗୁରୁତର ପରିବେଶୀୟ ପ୍ରଭାବ ଯୁଦ୍ଧକ୍ଷେତ୍ର ବାହାରେ ଗ୍ରହର ଦୂରଦୂରାନ୍ତକୁ ପ୍ରସାରିତ ହେଉଛି । ବିଷାକ୍ତ ବାୟୁ ଓ ଦୂଷିତ ଜଳଠାରୁ ଆରମ୍ଭ କରି ଜୈବବିବିଧତାର ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ପର୍ଯ୍ୟନ୍ତ, ପରିବେଶଗତ ପରିଣାମ ତୁରନ୍ତ ତଥା ଦୀର୍ଘସ୍ଥାୟୀ ପ୍ରଭାବ ବିସ୍ତାର କରୁଛି । ଶକ୍ତି ଭିତ୍ତିଭୂମିର ବିନାଶ ଏହି ପ୍ରଭାବଗୁଡ଼ିକୁ ବ୍ୟାପକ କରୁଛି, ଯାହା ଯୁଦ୍ଧ ପରିସ୍ଥିତିରେ ଏକ ନିରବ କିନ୍ତୁ ବିପଜ୍ଜନକ କ୍ଷତିସାଧନରେ ବ୍ରତୀ ରହିଛି । ଏହି ପ୍ରଭାବଗୁଡ଼ିକର ସମାଧାନ ନିମନ୍ତେ କେବଳ ସଂଘର୍ଷ ପରବର୍ତ୍ତୀ ସଫେଇ ଏବଂ ପୁନରୁଦ୍ଧାର ଯଥେଷ୍ଟ ନୁହେଁ । ବରଂ, ବିପର୍ଯ୍ୟୟ ସୃଷ୍ଟିକାରୀ ଏହି ସଶସ୍ତ୍ର ସଂଘର୍ଷର ତ୍ୱରିତ୍ ଅନ୍ତ ଘଟାଇ ଶାନ୍ତି ପ୍ରତିଷ୍ଠା ନିମନ୍ତେ ବିଶ୍ୱ ନେତୃବର୍ଗ ବିଜ୍ଞତା ପ୍ରଦର୍ଶନପୂର୍ବକ ଆଲୋଚନା ମାଧ୍ୟମରେ ସ୍ଥାୟୀ ସମାଧାନ ଦିଗରେ ଦୃଢ଼ ଅନ୍ତର୍ଜାତୀୟ ପ୍ରୟାସ ଜାରି ରଖିବା ଏକାନ୍ତ ପ୍ରୟୋଜନୀୟ ।