ଭୁବନେଶ୍ୱର,୨ା୪(ବ୍ୟୁରୋ): ଜଳ କଷ୍ଟରୁ ନିସ୍ତାର ମିଳୁନାହିଁ । ଜନସ୍ୱାସ୍ଥ୍ୟ ବିଭାଗ ଯଥେଷ୍ଟ ପାଣି ମହଜୁଦ ଅଛି ବୋଲି କହୁଥିବା ବେଳେ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ । ଟ୍ୟାଙ୍କରରୁ ୨ ବାଲ୍ତି ପାଣି ଆଣି ଘରେ ଥୋଇ ଆଉ ଥରେ ପହଞ୍ଚିବା ବେଳକୁ ପାଣି ଶେଷ । ପାଣି ଅଭାବ ଜନିତ କଷ୍ଟ ସମ୍ଭାଳି ନପାରି ଘର ମାଲିକ ବାଧ୍ୟ ହୋଇ ଭଡ଼ାଟିଆଙ୍କୁ ଘର ଛାଡ଼ିବାକୁ ଅନୁରୋଧ କଲେଣି । ବିଷମ ପରିସ୍ଥିତିକୁ ଲକ୍ଷ୍ୟ କରି ବହୁ ଭଡ଼ାଟିଆ ମଧ୍ୟ ସ୍ୱଇଚ୍ଛାରେ ଅନ୍ୟତ୍ର ପଳାଉଥିବା ଦେଖାଗଲାଣି । ଆଗକୁ ଘୋର ଗ୍ରୀଷ୍ମ କେମିତି କଟିବ ସେଇ ଚିନ୍ତାରେ ଅଧ୍ୟୁଷିତ ଅଧିବାସୀଙ୍କ ନିଦ ହଜିଗଲାଣି । ପୁରୁଣା ଭୁବନେଶ୍ୱରର ବହୁ ଅଞ୍ଚଳ ଏବେ ଜଳକଷ୍ଟରେ ଘୋର ପ୍ରଭାବିତ । ୨ ସପ୍ତାହ ହେବ ପାଣି ମୁନ୍ଦାଏ ପାଇବା ଲାଗି ଲୋକେ ବିକଳ ହୋଇଗଲେଣି । କିନ୍ତୁ ସରକାରୀ ସ୍ତରରେ ନରିାକରଣ ନାହିଁ । କେବଳ ୪୦୭ ଗାଡେ଼ିର ଗୋଟାଏ ଦୁଇଟା ଟ୍ୟାଙ୍କର ପାଣି ପଠାଇ କର୍ତ୍ତବ୍ୟ ସାରୁଛନ୍ତି ।
ଲୋକେ ସ୍ୱଳ୍ପ ପାଣିରେ ନାଚାର ହୋଇଗଲେଣି । ସ୍ଥାନୀୟ ଚେମେଣେଇ ସାହିରେ ଟ୍ୟାଙ୍କରରେ ପାଣି ଯୋଗାଣ ଚାଲିଥିବା ବେଳେ ସେତକ ପାଣି ଲୋକଙ୍କୁ ଅଣ୍ଟୁନି । ପୁଣି ଜଳକଷ୍ଟ ନିକଟସ୍ଥ ଜନବସତିକୁ ବ୍ୟାପୀ ଗଲାଣି । ନିକଟରେ ଥିବା ପଣସତୋଟା ଅଧିବାସୀଙ୍କୁ ପାଇପ୍ରେ ଜଳଯୋଗାଣ ଅଣ୍ଟୁନାହିଁ । ଲୋକେ ଗାଧୁଆପାଧୁଆ ପାଇଁ ଗାଡ଼ିମୋଟରରେ ଏଣେତେଣେ ଦୌଡ଼ୁଛନ୍ତି ।
କେଦାରଗୌରୀର ୪ କୁଣ୍ଡ ପ୍ରଦୂଷିତ ହୋଇଥିଲେ ମଧ୍ୟ ସେଥିରେ ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଲୋକେ ବାଧ୍ୟ ହୋଇ ଦୁଗକ୍ଧୁଣ୍ଡର ପ୍ରଦୂଷିତ ଜଳକୁ ପାନୀୟ ଭାବେ ବ୍ୟବହାର କରିବା ଲାଗି ବିଭିନ୍ନ ପାତ୍ରରେ ବୋହି ନେଉଛନ୍ତି । ଭୀମଟାଙ୍ଗିରେ ପରିସ୍ଥିତି ଆହୁରି ସାଂଘାତିକ । ଏଠି ମରୁଭୂମି ଭଳି ପରିବେଶ ଦେଖାଦେଇଛି । କାହାଘରେ ପାଣି ନଥିବାରୁ ଏଠାରେ ଦୈନିକ ଏକାଧିକ ଗଭୀର ନଳକୂପ ଖୋଳା ଚାଲିଛି । ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନଳକୂଅ ଖୋଳିଲେ ମଧ୍ୟ ସବୁ ଖନନ ସଫଳ ହେଉ ନଥିବା ଜଣାଯାଇଛି । ଫଳରେ ବହୁ ଲୋକେ ଭାଗ୍ୟକୁ ଆଦରି ଟ୍ୟାଙ୍କରରୁ ମିଳୁଥିବା ବାଲତିଏ ଦୁଇ ବାଲତି ପାଣିରେ କଷ୍ଟେମଷ୍ଟେ ଚଳୁଛନ୍ତି ।
ପାଣିର ଘୋର ଅଭାବ ସ୍ଥାନୀୟ ଅଞ୍ଚଳର ଭଡ଼ାଟିଆଙ୍କୁ ଆହୁରି କଷ୍ଟକର ପରିସ୍ଥିତିକୁ ଠେଲି ଦେଇଛି । ବହୁ ଭଡ଼ାଟିଆ ସ୍ୱଇଚ୍ଛାରେ ଘର ଛାଡ଼ି ପାଣି ମିଳୁଥିବା ଅଞ୍ଚଳ ଆଡ଼େ ପଳାଉଛନ୍ତି । ଯୋଗେଶ୍ୱର ପାଟଣା, ସୁନ୍ଦରପଦା, କପିଳେଶ୍ୱରରେ ଆଗରୁ ଲୋକେ କୂଅ ପାଣିରେ ଚଳି ଯାଉଥିଲେ । କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ କୂଅ, ପୋଖରୀ ସବୁ ଶୁଖି ଠୋ, ଠା’ । ପାଣି ପାଇପ ପଡ଼ିଛି ସତ, କିନ୍ତୁ ସେଥିରେ ଯେଉଁ ପରିମାଣରେ ପାଣି ଆସୁଛି ତାହା ଘର ଚଳିବାକୁ ନିଅଣ୍ଟ । ଏପଟେ ଲୋକେ ଗୃହପାଳିତ ପଶୁପକ୍ଷୀ ରଖିଥିବାରୁ ସେମାନଙ୍କୁ ପାଣି ଯୋଗାଇବା ସମ୍ଭବ ହେଉନାହିଁ । ଗୋରୁଗାଈ ଦୟାୱେଷ୍ଟ କେନାଲରୁ ନର୍ଦ୍ଦମା ପାଣି ପିଉଛନ୍ତି । ଅନେକ ଜୀବଜନ୍ତୁ ଜଳ ଅଭାବରେ ଅକାଳରେ ମରିବା ଆରମ୍ଭ ହେଲାଣି । ମୋଟାମୋଟି ଭାବେ ଜଳକଷ୍ଟର ଭୟାବହତା ବାରି ହୋଇଗଲାଣି । ପାଣିର ଏଭଳି ଦୁର୍ଲଭ ଅବସ୍ଥା କେବେ ଦେଖା ଦେଇନଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।