କେନ୍ଦ୍ରାପଡ଼ା, ୧୬।୬ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁରେ ଝାଡାବାନ୍ତି ବ୍ୟାପିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସତର୍କତା ଗ୍ରହଣ କରାଯାଇଛି l ରବିବାର ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଗାଁରେ ପହଞ୍ଚି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ l ଗତ ୧୮ ଘଣ୍ଟା ମଧ୍ୟରେ ଶ୍ୟାମସୁନ୍ଦରପୁର ଗାଁରେ ସ୍ଥିତି ସ୍ଥିର ଥିବା ଜଣାପଡ଼ିଛି l ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀଙ୍କ ଦ୍ୱାରା ଗାଁରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଲୋକମାନଙ୍କୁ ଖାଦ୍ୟ ପ୍ରସ୍ତୂତ ଓ ଖାଦ୍ୟ ଗ୍ରହଣ ସମୟରେ ଆବଶ୍ୟକୀୟ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ ପାଇଁ ଆଶାକର୍ମୀ ମାନେ ପରାମର୍ଶ ଦେଉଛନ୍ତି l ଏମିତିକି ସାବୁନ୍ ରେ ହାତ ଧୋଇବାର କୌଶଳ ମଧ୍ଯ ଗାଁର ମହିଳା ଓ ଶିଶୁ ମାନଙ୍କୁ ଶିକ୍ଷା ଦିଆଯାଉଛି l ଶ୍ୟାମସୁନ୍ଦରପୁର ଗାଁରେ ଏକ ଅସ୍ଥାୟୀ କ୍ୟାମ୍ପ କରି ସେଠାରେ ଆକ୍ରାନ୍ତ ମାନଙ୍କୁ ଔଷଧ ଓ ORS ବଣ୍ଟନ କରୁଛି ସ୍ୱାସ୍ଥ୍ୟ ବିଭାଗ l
ଗତ ଦୁଇଦିନ ଧରି ମେଡିକାଲରୁ ଡିସଚାର୍ଜ ହୋଇଥିବା ରୋଗୀ ମାନଙ୍କ ଉପରେ ନଜର ରଖା ଯାଇଛି l ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପାଣିଟାଙ୍କିର ବ୍ୟବସ୍ଥା କରାଯାଇଛି l ଶ୍ୟାମସୁନ୍ଦର ପୁର ଗାଁ ଯାଜପୁର ଜିଲ୍ଲା ସୀମାକୁ ଲାଗିଥିବା କାରଣରୁ ଏଠାରେ ଅଧିକ ସଚେତନତା ଅବଲମ୍ୱନ କରାଯାଉଛି l ଶ୍ୟାମସୁନ୍ଦରପୁର ବ୍ୟତୀତ, ଏଣ୍ଡର, ବାଲିଆ, ନୀଳକଣ୍ଠପୁର, ବେଣିପୁର, ଛୋଟି, ମଙ୍ଗଳପୁର, ଇନ୍ଦୁପୁର, ଅଳପୁଆ ପ୍ରଭୃତି ଅଞ୍ଚଳ ଯାଜପୁର ଜିଲ୍ଲା ସୀମାକୁ ଲାଗିଛି l ଶ୍ୟାମସୁନ୍ଦର ପୁର ଗାଁ ର ୬୦ ବର୍ଷୀୟା ବୃଦ୍ଧା ସଜନୀ ମଲିକଙ୍କର ଗତ ଶନିବାର ଝାଡାବାନ୍ତିରେ କଟକ ମେଡିକାଲରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ l ତେବେ ଏହି ସମୟରେ ଭୟଭୀତ ନହୋଇ ପରିଷ୍କାର ପରିଚ୍ଛନ୍ନତା ଉପରେ ଲୋକମାନେ ବିଶେଷ ଧ୍ୟାନ ଦେବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି l ଗ୍ରାମବାସୀ ଝାଡ଼ାବାନ୍ତିର ପ୍ରକୋପରୁ ରକ୍ଷା ପାଇବା ପାଇଁ ଗାଁ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରିଛନ୍ତି।
ଜିଲ୍ଲାରେ ୩ ଦିନରେ ମୋଟ ୨୯ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି। ସୋମବାର ୩ ହୋଟେଲରୁ ଖାଦ୍ୟ ଓ ୯ଟି ଜଳଉତ୍ସରୁ ନମୁନା ସଂଗ୍ରହ କରାଯାଇଛି। ଏଥିସହ ଏକ ପାଣି ଫ୍ୟାକ୍ଟ୍ରିର ପାଣି ନମୁନା ସଂଗ୍ରହ କରାଯାଇଛି। ବିନା ଲାଇସେନ୍ସରେ ଚାଲୁଥିବା ପାଣି ଫ୍ୟାକ୍ଟ୍ରି ସିଲ୍ କରାଯିବା ସହ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।