ଫିରିଙ୍ଗିଆ ୧/୬ ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ପାଇଁ ସହରାଞ୍ଚଳ, ଗ୍ରାମାଞ୍ଚଳ ଠାରୁ ଉପାନ୍ତ ଅଞ୍ଚଳ ବାସୀଙ୍କ ପାଇଁ ନଳକୂପ, ସୋଲାର ପ୍ରକଳ୍ପ ହେଉ କି ବସୁଧା ଯୋଜନା ମାଧ୍ୟମରେ ପିଇବା ପାଣିର ସୁବିଧା କରୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ବି ଅନେକ ଉପାନ୍ତ ଅଞ୍ଚଳ ଗାଁ ମାନଙ୍କରେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଉଥିବା ସୁବିଧା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରି ନାହିଁ l ଏବେ ବି ଅଧିକାଂଶ ଗାଁରେ ଜଳ ଅମଳ ପ୍ରକଳ୍ପ ଗୁଡିକ ନିର୍ମାଣ କରାଯାଇଥିଲେ ମଧ୍ୟ ଖରାପ ଅବସ୍ଥାରେ ପଡ଼ି ରହି ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ଖତ ଖାଉଥିବା ବେଳେ ସାଧାରଣ ଲୋକେ ଉପଯୁକ୍ତ ସେବାରୁ ବଞ୍ଚିତ ହୋଇ ପାଣି ଟୋପାଏ ପାଇ ପାରୁ ନାହାନ୍ତି l ଏମିତି ଏକ ସୋଲାର ଜଳ ଅମଳ ପ୍ରକଳ୍ପ ଦୀର୍ଘ ୩ ବର୍ଷ ହେବ ଖରାପ ହୋଇ ପଡିରହିଥିବା ବେଳେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାହା ମରାମତି ହୋଇ ପାରିନାହିଁ l
ଫିରିଙ୍ଗିଆ ବ୍ଲକ ବାଳନ୍ଦା ପଡ଼ା ପଞ୍ଚାୟତର ବଉପଙ୍ଗା ଗାଁର ୭ ଏବଂ ୮ ନମ୍ବର ୱାର୍ଡ ମଧ୍ୟରେ ଏକ ସୋଲାର ଜଳ ଅମଳ ପ୍ରକଳ୍ପ ଦୀର୍ଘ ଦିନ ପୂର୍ବରୁ ନିର୍ମାଣ କରାଯାଇଥିଲା । ଏଥିରୁ ବଉପାଙ୍ଗା ଗ୍ରାମର ୨ ଟି ଗ୍ରାମର ଲୋକେ ପାଣି ସୁବିଧାରେ ପାଇ ପାରୁଥିଲେ କିନ୍ତୁ ଗତ ୩ ବର୍ଷ ହେବ ଏହି ପ୍ରକଳ୍ପ ଅଚଳ ହୋଇ ପଡିଛି l ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି। ଏମିତିକି ସରପଞ୍ଚଙ୍କ ଠାରୁ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଯାହା ଦ୍ୱାରା ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l
ସ୍ଥାନୀୟ ସରପଞ୍ଚଙ୍କୁ ୨ ୱାର୍ଡ ମେମ୍ବର ଶମ୍ଭୁନାଥ କହଁର ଏବଂ ବୃଷଭ କହଁର ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସଫଳ ହୋଇ ପାରିନାହିଁ । ତେଣୁ ବାଧ୍ୟ ହୋଇ ଆଗାମୀ ଦିନରେ ଏହି ପ୍ରକଳ୍ପର ମରାମତି ନକଲେ କିମ୍ବା ପିଇବା ପାଣିର ସୁବିଧା ନକଲେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଗ୍ରାମର ରୋଦନ ଦିଗାଲ, ରାଜୁ ପ୍ରଧାନ, ଗଣେଶ କହଁର, ରଞ୍ଜିତା କହଁର, ନିଧି କହଁର, ବୁଡୁ ଦିଗାଲଙ୍କ ସହ ଗ୍ରାମବାସୀ କହିଛନ୍ତି l ଏହି ଘଟଣାକୁ ନେଇ ଦାୟିତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀ ସମ୍ବାରିଆ ବେହେରାଙ୍କୁ ପଚାରିବାରୁ ଆଜି ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ । ତେବେ ତୁରନ୍ତ ତାକୁ ସଜାଇ ଲୋକଙ୍କୁ ପିଇବା ପାଣି ଯୋଗାଇବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l