ମୁମ୍ବାଇ/ନୂଆଦିଲ୍ଲୀ, ୨୮।୪: ଖରାଦିନେ ଶରୀରକୁ ଥଣ୍ଡା ରଖିବା ପାଇଁ ତରଭୁଜ ଏକ ପ୍ରକୃଷ୍ଟ ଫଳ । କିନ୍ତୁ ଏହି ଫଳଟି ଏବେ ମୃତ୍ୟୁର କାରଣ ସାଜିଛି । ନିକଟରେ ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଠାରେ ତରଭୁଜ ଖାଇବା ପରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଡାକ୍ତରଙ୍କ ଅନୁଯାୟୀ, ଫୁଡ୍ ପଏଜନିଂ ହେବା ଯୋଗୁଁ ସେମାନଙ୍କ କିଡନୀ ଫେଲ୍ ହୋଇଯାଇଥିଲା । ତେଣୁ ତରଭୁଜ କିଣିବା ଏବଂ ଖାଇବା ପୂର୍ବରୁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । 

ତରଭୁଜରୁ ଫେଣ ବାହାରିଲେ ଖାଆନ୍ତୁନି:

ବଜାରରେ ଖରା ଓ ତାତିରେ ଖୋଲା ସ୍ଥାନରେ ରଖାଯାଇଥିବା ତରଭୁଜ କିଣିବା ସବୁଠାରୁ ବଡ଼ ବିପଦ । ଯଦି ଆପଣ ଏକ ତରଭୁଜ କାଟୁଛନ୍ତି ଏବଂ ସେଥିରୁ ଧଳା ଫେଣ ବାହାରୁଛି କିମ୍ବା ଖଟା ଗନ୍ଧ ଆସୁଛି, ତେବେ ତାକୁ ତୁରନ୍ତ ଫିଙ୍ଗି ଦିଅନ୍ତୁ । ତରଭୁଜରେ ପ୍ରାକୃତିକ ଶର୍କରା ଓ ପାଣି ଅଧିକ ଥାଏ । ଯେତେବେଳେ ଏହା ୩୫° ରୁ ୪୫° ଡିଗ୍ରୀ ଖରାରେ ରହେ, ଏହାର ଭିତରର ତାପମାତ୍ରା ବଢ଼ିଯାଏ । ଫଳରେ ଏହାର ଚିନିରେ 'ଫର୍ମେଣ୍ଟେସନ୍' ବା କିଣ୍ୱନ ପ୍ରକ୍ରିୟା ଆରମ୍ଭ ହୁଏ । ଏହାଦ୍ୱାରା ଫଳ ଭିତରେ ଗ୍ୟାସ୍ ସୃଷ୍ଟି ହୁଏ ଏବଂ ଏହା ବିଷାକ୍ତ ହୋଇଯାଏ ।

କାହିଁକି ବିପଦଜନକ ହୋଇଥାଏ ଖରାରେ ରଖାଯାଇଥିବା ତରଭୁଜ ?

୧. ସୃଷ୍ଟି ହୁଅନ୍ତି ବ୍ୟାକ୍ଟେରିଆ: ପ୍ରବଳ ଗରମ ଯୋଗୁଁ ତରଭୁଜର ଚୋପା ଦୁର୍ବଳ ହୋଇଯାଏ । ଫଳରେ ସେଥିରେ ସୂକ୍ଷ୍ମ ଫାଟ ସୃଷ୍ଟି ହୁଏ ଏବଂ ବାହାରୁ 'ସାଲମୋନେଲା' କିମ୍ବା 'ଇ-କୋଲାଇ' ଭଳି ଭୟଙ୍କର ବ୍ୟାକ୍ଟେରିଆ ଭିତରକୁ ପଶି ଯାଆନ୍ତି ।

୨. ପୋଷକ ତତ୍ତ୍ୱ ନଷ୍ଟ: ଖରାରେ ଉତପ୍ତ ତରଭୁଜରୁ ଭିଟାମିନ-ସି ଏବଂ ଲାଇକୋପିନ ନଷ୍ଟ ହୋଇଯାଏ । ଏହା ଶରୀରକୁ ଥଣ୍ଡା ଦେବା ପରିବର୍ତ୍ତେ ତାପମାତ୍ରା ବିଗାଡ଼ି ଦିଏ ।

୩. କେମିକାଲର ଭୟ: ଅନେକ ସମୟରେ ତରଭୁଜକୁ ଶୀଘ୍ର ବଡ଼ କରିବା ପାଇଁ ନାଇଟ୍ରୋଜେନ ସାର କିମ୍ବା ଲାଲ୍ ଦେଖାଯିବା ପାଇଁ 'ଏରିଥ୍ରୋସିନ୍ ଡାଇ' କେମିକାଲ ବ୍ୟବହାର କରାଯାଏ, ଯାହା ଶରୀର ପାଇଁ ବିଷ ସଦୃଶ ।

ଭଲ ତରଭୁଜ କିପରି ଚିହ୍ନିବେ ?

ତରଭୁଜକୁ ଛୁଇଁବା ପରେ ଯଦି ଏହା ବାହାର ପରିବେଶଠାରୁ ଗରମ ଲାଗୁଛି, ତେବେ କିଣନ୍ତୁ ନାହିଁ । ତରଭୁଜକୁ ହାତରେ ବାଡ଼େଇଲେ ଯଦି ଶବ୍ଦ ଭାରି ଲାଗେ, ତେବେ ବୁଝିବେ ଏହା ଭିତରୁ ଗଳିବା ଆରମ୍ଭ ହେଲାଣି । ଡେମ୍ଫ ପାଖରୁ ଯଦି କୌଣସି ପ୍ରକାର ଚିପଚିପା ତରଳ ବାହାରୁଛି କିମ୍ବା ଦୁର୍ଗନ୍ଧ ହେଉଛି, ତେବେ ଏହା ନିଶ୍ଚିତ ଭାବେ ଖରାପ ।

ଘରେ ରଖିବା ସମୟରେ ଏହି ଭୁଲ୍ କରନ୍ତୁନି:

ତରଭୁଜ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ, ଏହା ହଜମ ପ୍ରକ୍ରିୟାକୁ ଧୀମା କରିଦିଏ । ଫ୍ରିଜ୍ ରେ ରଖିବା ସମୟରେ ଏହାକୁ କ୍ଷୀର ବା ଦୁଗ୍ଧଜାତ ଦ୍ରବ୍ୟ ପାଖରେ ରଖନ୍ତୁ ନାହିଁ । ତରଭୁଜ ମାଟି ଉପରେ ହେଉଥିବାରୁ ଏହାର ଚୋପାରେ ମାଟିର ବ୍ୟାକ୍ଟେରିଆ ଥାଏ । ତେଣୁ କାଟିବା ପୂର୍ବରୁ ଏହାକୁ ଭଲଭାବେ ଧୋଇବା ନିହାତି ଜରୁରୀ । ବିନା କଟା ତରଭୁଜ ସାଧାରଣ ତାପମାତ୍ରାରେ ୧-୨ ସପ୍ତାହ ଏବଂ କଟା ତରଭୁଜ ଫ୍ରିଜରେ ମାତ୍ର ୨-୩ ଦିନ ସୁରକ୍ଷିତ ରହେ । ସବୁବେଳେ ତାଜା ତରଭୁଜ ଖାଆନ୍ତୁ । ଯଦି କାଟିବା ପରେ ଫଳର ରଙ୍ଗ ଅସ୍ୱାଭାବିକ ଗାଢ଼ ଲାଲ୍ କିମ୍ବା ଛିଦ୍ର ଥିବା ପରି ଜଣାପଡ଼େ, ତେବେ ତାକୁ ନ ଖାଇବା ହିଁ ଭଲ ।

ଆହୁରି ପଢ଼ନ୍ତୁ... ଭାରତ ପାଇଁ ବଡ଼ ବିପଦର ସଙ୍କେତ; ଆଗକୁ ଭୟଙ୍କର ମରୁଡ଼ି ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ