ନୂଆଦିଲ୍ଲୀ, ୨୮।୪: ଦେଶରେ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବୈଜ୍ଞାନିକମାନେ ଏକ ବଡ଼ ସତର୍କ ସୂଚନା ଜାରି କରିଛନ୍ତି । ୨୦୨୬ ମସିହାରେ ବିଶ୍ୱରେ 'ସୁପର ଅଲ୍-ନିନୋ' ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଯଦି ଏହା ଘଟେ, ତେବେ ଭାରତ ସମେତ ସାରା ବିଶ୍ୱର ପାଣିପାଗରେ ବଡ଼ ଧରଣର ବିପର୍ଯ୍ୟୟ ଦେଖାଦେଇପାରେ । ବିଶେଷ କରି ଭାରତରେ ମୌସୁମୀ ଦୁର୍ବଳ ହେବା ସହ ଭୟଙ୍କର ମରୁଡ଼ି ଓ ଜଳକଷ୍ଟ ପରିସ୍ଥିତି ସୃଷ୍ଟି ହୋଇପାରେ ।

କ’ଣ ଏହି ସୁପର ଏଲ୍-ନିନୋ ?

ଏଲ୍-ନିନୋ ଏକ ପ୍ରାକୃତିକ ପାଣିପାଗ ଘଟଣା, ଯାହା ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥାଏ । ଯେତେବେଳେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣ ଅପେକ୍ଷା ୦.୫ ରୁ ୧.୫ ଡିଗ୍ରୀ ସେଲସିୟସ ବଢ଼ିଯାଏ, ତାକୁ ଏଲ୍-ନିନୋ କୁହାଯାଏ । କିନ୍ତୁ, ଯଦି ଏହି ତାପମାତ୍ରା ୨ ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି ପାଏ, ତେବେ ତାହାକୁ 'ସୁପର ଏଲ୍-ନିନୋ' କୁହାଯାଏ । ଏହା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ବିନାଶକାରୀ ହୋଇଥାଏ ।

ପୂର୍ବରୁ ବିଶ୍ୱ ତିନିଥର ସୁପର ଅଲ୍-ନିନୋର ସାମ୍ନା କରିସାରିଛି, ଯାହାର ପ୍ରଭାବ ଅତ୍ୟନ୍ତ ଖରାପ ରହିଥିଲା ।

୧୯୮୨-୮୩: ଏହି ସମୟରେ ଭାରତରେ ବର୍ଷା ବହୁତ କମ୍ ହୋଇଥିଲା ଏବଂ କୃଷି କ୍ଷେତ୍ର ବହୁଳ ଭାବେ ପ୍ରଭାବିତ ହୋଇଥିଲା ।

୧୯୯୭-୯୮: ଏହାକୁ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ଅଲ୍-ନିନୋ କୁହାଯାଏ, ଯାହା ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇଥିଲା ।

୨୦୧୫-୧୬: ଭାରତରେ ଏହି ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ପାନୀୟ ଜଳର ଘୋର ଅଭାବ ଦେଖାଦେଇଥିଲା ।

ଭାରତ ଉପରେ କି ପ୍ରଭାବ ପଡ଼ିବ ?

ସୁପର ଏଲ୍-ନିନୋ ପ୍ରଭାବରେ ଭାରତରେ ଅନେକ ସମସ୍ୟା ଉପୁଜିପାରେ:

ଦୁର୍ବଳ ମୌସୁମୀ: ଭାରତୀୟ କୃଷି ସଂପୂର୍ଣ୍ଣ ଭାବେ ମୌସୁମୀ ଉପରେ ନିର୍ଭରଶୀଳ । ଏଲ୍-ନିନୋ ଯୋଗୁଁ ବର୍ଷା କମ୍ ହୁଏ, ଯାହାଦ୍ୱାରା ଫସଲ ହାନି ହେବାର ଆଶଙ୍କା ଥାଏ ।

ଅତ୍ୟଧିକ ତାପମାତ୍ରା: ଉତ୍ତର ଭାରତର ଅନେକ ସ୍ଥାନରେ ତାପମାତ୍ରା ୪୭-୪୮ ଡିଗ୍ରୀ ଅତିକ୍ରମ କରିପାରେ ।

ମରୁଡ଼ି ଆଶଙ୍କା: ବର୍ଷା ଅଭାବରୁ ଭୂତଳ ଜଳ ସ୍ତର ହ୍ରାସ ପାଇବ ଏବଂ ନଦୀନାଳ ଶୁଖିଯିବ ।

ଖାଦ୍ୟ ସୁରକ୍ଷା ଓ ଅର୍ଥନୀତି: ଫସଲ ଉତ୍ପାଦନ କମିଲେ ଖାଦ୍ୟ ସାମଗ୍ରୀର ଦର ବଢ଼ିବ, ଯାହା ସାଧାରଣ ଜନତାଙ୍କ ଉପରେ ଚାପ ପକାଇବ ।

ଏଲ୍-ନିନୋ ଓ ଲା-ନିନା ମଧ୍ୟରେ ପାର୍ଥକ୍ୟ:

ଏଲ୍-ନିନୋ ଯେତିକି କ୍ଷତିକାରକ, ଲା-ନିନା ଭାରତ ପାଇଁ ସେତିକି ହିଁ ଶୁଭଙ୍କର ।

ଏଲ୍-ନିନୋ: ଏଥିରେ ସମୁଦ୍ର ଜଳ ଗରମ ହୁଏ, ଫଳରେ ବର୍ଷା କମେ ଓ ଗରମ ବଢ଼େ ।

ଲା-ନିନା: ଏଥିରେ ସମୁଦ୍ର ଜଳ ଥଣ୍ଡା ହୁଏ । ଏହା ଭାରତରେ ଭଲ ବର୍ଷା କରାଇଥାଏ, ଯାହା ଚାଷ ପାଇଁ ଲାଭଦାୟକ ।

କିପରି ସଜାଗ ରହିବେ ?

ଏହା ଏକ ପ୍ରାକୃତିକ ଘଟଣା ହୋଇଥିବାରୁ ଏହାକୁ ରୋକିବା ସମ୍ଭବ ନୁହେଁ । କିନ୍ତୁ ଆମେ ପ୍ରସ୍ତୁତ ରହିପାରିବା । ବର୍ତ୍ତମାନଠାରୁ ଜଳର ଅଯଥା ଅପବ୍ୟୟ ରୋକିବା ଜରୁରୀ । କମ୍ ପାଣିରେ ହେଉଥିବା ଫସଲ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଓ ଖରାରେ ବାହାରକୁ ଯିବା କମାନ୍ତୁ । ବିଶ୍ୱର ବୈଜ୍ଞାନିକମାନେ ବର୍ତ୍ତମାନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଯଦିଓ ସବୁକିଛି ଏବେ ଆଶଙ୍କା ଘେରରେ, କିନ୍ତୁ ପୂର୍ବ ପ୍ରସ୍ତୁତି ହିଁ ଆମକୁ ଏହି ଜଳବାୟୁ ସଙ୍କଟରୁ ରକ୍ଷା କରିପାରିବ ।

ଆହୁରି ପଢ଼ନ୍ତୁ... ଦେବଦୂତ ସାଜିଲେ SHO ! ଜୀବନକୁ ବାଜି ଲଗାଇ ହୁତୁହୁତୁ ନିଆଁ ଭିତରୁ ବୃଦ୍ଧାଙ୍କୁ ଟେକି ଆଣିଲେ