ମୁମ୍ବାଇ,୨୪୦୧: ମୁମ୍ବାଇରେ ବାୟୁ ପ୍ରଦୂଷଣ ବୃଦ୍ଧିକୁ ନେଇ ବମ୍ବେ ହାଇକୋର୍ଟ ଶୁକ୍ରବାର ମୁମ୍ବାଇ ଏବଂ ନଭି ମୁମ୍ବାଇ ନଗର ନିଗମ ଅଧିକାରୀଙ୍କୁ କଠୋର ଚେତାବନୀ ଦେଇଛନ୍ତି । ଯଦି ଅଧିକାରୀମାନେ ପ୍ରଦୂଷଣ କମ୍ କରିବା ଲାଗି ଉଦ୍ଦିଷ୍ଟ ଆଦେଶ ପାଳନ ନ କରିବେ ତେବେ ସେମାନଙ୍କ ଦରମା ବନ୍ଦ କରିଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ସେହି ଅଧିକାରୀମାନେ ମଧ୍ୟ ଏହି ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ନେଉଛନ୍ତି । ସେମାନେ ଏଲିଅନ୍ଙ୍କ ଦୁନିଆରେ ରହୁନାହାନ୍ତି ବୋଲି ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର ଏବଂ ଜଷ୍ଟିସ୍ ସୁମନ ଶ୍ୟାମ୍ଙ୍କ ଖଣ୍ଡପୀଠ କହିବା ସହ ବ୍ରିହନ ମୁମ୍ବାଇ ନଗର ନିଗମ(ବିଏମ୍ସି) କମିଶନରଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ।
ଅଦାଲତଙ୍କ କଡ଼ା ଆଭିମୁଖ୍ୟ ପରେ ବିଏମ୍ସି ଓକିଲ ନିଜ ଦଲିଲ ରଖିଥିଲେ । ସେ କୋର୍ଟଙ୍କୁ କହିଥିଲେ, ଅନେକ ନିର୍ମାଣସ୍ଥଳୀରେ କାମ ରୋକାଯିବା ପାଇଁ ନୋଟିସ୍ ଜାରି କରାଯାଇଛି । ପ୍ରାୟ ୬୦୦ ସାଇଟରୁ ୪୦୦ଟିରେ ଏୟାର କ୍ୱାଲିଟି ମନିଟରିଂ ଡିଭାଇସ୍ ଲଗାଯାଇଛି । ତେବେ ଅଦାଲତ ଏହି ଜବାବରେ ସନ୍ତୁଷ୍ଟ ହୋଇ ନ ଥିଲେ । କହିଥିଲେ, ଏହି ସମସ୍ତ ପଦକ୍ଷେପ କେବଳ କୋର୍ଟଙ୍କ ଆଦେଶ ପରେ ନିଆଯାଇଛି । କିନ୍ତୁ ବର୍ଷ ବର୍ଷ ଧରି ନିଜ ମନକୁ କେହି ଏ ଦିଗରେ ପ୍ରୟାସ କରିନାହାନ୍ତି । ଏତେ ବର୍ଷ ଧରି ସେମାନେ କ’ଣ କରୁଥିଲେ । ନଗର ନିଗମଗୁଡ଼ିକ କିପରି କାମ କରିବେ ତାହା ସେମାନଙ୍କୁ ଜଣାଇବା କୋର୍ଟଙ୍କ କାମ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ । ଏଥିସହ ହାଇକୋର୍ଟ ଏୟାର କ୍ୱାଲିଟି ମନିଟିରିଂ ଡାଟାର ବିସ୍ତୃତ ରିପୋର୍ଟ ମାଗିଛନ୍ତି ଏବଂ ବିଏମ୍ସି ୨୦୨୫ ନଭେମ୍ବର ପୂର୍ବରୁ ୩ ମାସର ଦୈନିକ ସେନ୍ସର ଡାଟା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ବିଏମ୍ସି ଏବଂ ନଭି ମୁମ୍ବାଇ ନଗର ନିଗମ (ଏନ୍ଏମ୍ଏମ୍ସି) ପ୍ରତି ୱାର୍ଡରୁ ଦେଇଥିବା ତଥ୍ୟରେ ମଧ୍ୟ ସଚ୍ଚୋଟତା ନ ଥିବା ଖଣ୍ଡପୀଠ କହିଥିଲେ ।
ଆହୁରି ପଢ଼ନ୍ତୁ:-୬୧ ହଜାରରୁ ଅଧିକ ଚାକିରି ବାଣ୍ଟିରେ ପ୍ରଧାନମନ୍ତ୍ରୀ , କହିଲେ ଏ ନିଯୁକ୍ତିପତ୍ର ରାଷ୍ଟ୍ର ନିର୍ମାଣ ପାଇଁ ନିମନ୍ତ୍ରଣ ପତ୍ର