ଭୁବନେଶ୍ୱର,୨୩/୧୧: ଶନିବାର ଦକ୍ଷିଣ-ପୂର୍ବ  ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ପରେ ଏହା  ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ । ୨୫ ତାରିଖ ବେଳକୁ  ଏହା ଅବପାତ ରୂପ ନେବ । ଓଡ଼ିଶା ଉପରେ ଏହାର  କୌଣସି ପ୍ରଭାବ ରହିବନି । ତେବେ ୨୭ ଓ ୨୮ ତାରିଖ  ବେଳକୁ ରାଜ୍ୟରେ କାଁ ଭାଁ ବର୍ଷା  ହୋଇପାରେ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି । 

୨୭ ତାରିଖରେ ଭଦ୍ରକ,  କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ସମ୍ଭାବନା ଅଛି । ୨୮ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କୋରାପୁଟ  ଓ ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ  ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । 

ଶୁକ୍ରବାର ରାଜ୍ୟର ୧୫ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ  ଥିଲା । ଜି ଉଦୟଗିରିର ତାପମାତ୍ରା ସବୁଠୁ କମ୍‌ ବା ୮ ଡିଗ୍ରୀ  ସେଲସିୟସ୍‌ ରେକର୍ଡ ହୋଇଛି । ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିଛି । କୋରାପୁଟ  ଓ ଦାରିଙ୍ଗିବାଡ଼ିରେ ୧୧, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୧୨,  ରାଉରକେଲାରେ ୧୨.୧, ସୁନ୍ଦରଗଡ଼ ଓ ଅନୁଗୁଳରେ ୧୨.୬,  ବଲାଙ୍ଗିରରେ ୧୩.୨, ରାୟଗଡ଼ାରେ ୧୩.୬ ଡିଗ୍ରୀ ରେକର୍ଡ ହୋଇଛି ।

 ଆସନ୍ତା ୪ ଦିନ ଯାଏ ରାଜ୍ୟରେ ରାତିର ତାପମାତ୍ରା ଅପରିବର୍ତ୍ତିତ  ରହିବ । ଦିନ ବା ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ୨୭ ତାରିଖ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ।  ଏହାଫଳରେ ଶୀତ ସାମାନ୍ୟ କମିଯିବ ବୋଲି ପାଣିପାଗ ବିଭାଗ  ପକ୍ଷରୁ ଆକଳନ କରାଯାଇଛି ।