ଭୁବନେଶ୍ୱର,୨୫/୦୭: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଅଧିକ ରହିବ । ଆସନ୍ତା ୨୬ରୁ ୨୮ ଯାଏଁ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ରାଜ୍ୟର ବିଭିନ୍ନ ସ୍ଥାନରେ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ ଜାରି କରିଛି । ବଡ଼କଥା ହେଲା, ଶନିବାର ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଥିବାବେଳେ ପ୍ରବଳ ବର୍ଷା ହୋଇପାରେ । ରବିବାର ମଧ୍ୟ ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ଅନ୍ୟପଟେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱ ର୍ବର୍ତ୍ତୀ ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉପକୂଳ ଓଡ଼ିଶା ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ୨୫ରୁ ୨୮ ଯାଏଁ ଜାରି ବର୍ଷା ପ୍ରକୋପ ଅଧିକ ରହିବ । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ସମ୍ଭାବନା ଥିବାବେଳେ କେତେକ ଜାଗାରେ ପ୍ରବଳରୁ ଅତି ପ୍ରବଳ ଆଶଙ୍କା ରହିଛି । ଏହା ପ୍ରଭାବରେ ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ମହାନଦୀ ଅବବାହିକା ଅଞ୍ଚଳରେ ଅଧିକ ବର୍ଷା ରହିପାରେ ।
ପାଣିପାଗ ବିଭାଗ କହିବାନୁସାରେ ଶନିବାର (୨୫ ତାରିଖ) ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । କଟକ, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ କମଳା ରଙ୍ଗର ସତର୍କ ସୂଚନା ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ହଳଦିଆ ରଙ୍ଗ ସତର୍କ ସୂଚନା ଜାରି କରାଯାଇଛି । ଏସବୁ ଜିଲ୍ଲା ସମେତ ଆଉ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ରହିଛି । ୩୦ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ଆସନ୍ତା ୩/୪ ଦିନ ଅଧିକ ବର୍ଷା ହୋଇପାରେ ।