ନୂଆଦିଲ୍ଲୀ ୨୫/୦୭: ପୃଥିବୀକୁ ପରିକ୍ରମା କରୁଥିବା ସାଟେଲାଇଟ୍ ସଂଖ୍ୟା ନିରନ୍ତର ବଢୁଛି । ଏଥିସହିତ ପରସ୍ପର ମଧ୍ୟରେ ଏଗୁଡ଼ିକର ଧକ୍କା ବିପଦ ବଢୁଛି । ଏଭଳି ଦୁର୍ଘଟଣା ମହାକାଶରେ ବ୍ୟାପକ ବର୍ଜ୍ୟ ଉତ୍ପନ୍ନ କରେ, ଯାହା ଦ୍ୱାରା ସମଗ୍ର କକ୍ଷ ଅଚଳ ହୋଇପାରେ । ଅତୀତରେ ମହାକାଶରେ ଏହି ଯାନ ମଧ୍ୟରେ ଧକ୍କା ହୋଇଛି କିମ୍ବା ଦୁର୍ଘଟଣାରୁ ଏଗୁଡ଼ିକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏଭଳି ଘଟଣା ଅତ୍ୟନ୍ତ ବିରଳ ହେଲେ ମଧ୍ୟ ବର୍ତ୍ତମାନ ୧୮ ହଜାରରୁ ଅଧିକ ସକ୍ରିୟ ଓ ନିଷ୍କ୍ରିୟ ସାଟେଲାଇଟ୍ କକ୍ଷରେ ଅଛି । ଗତ ୬ ବର୍ଷରେ ଏହି ସଂଖ୍ୟା ଦୁଇଗୁଣ ବଢ଼ିଛି । ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ସାଟେଲାଇଟ୍ ଗୋଟିଏ କ୍ଷେତ୍ର- ପୃଥିବୀର ନିମ୍ନ କକ୍ଷରେ ଚିହ୍ନଟ ହୋଇଛି । ଏହି କାରଣ ପାଇଁ ଏଗୁଡ଼ିକ ମଧ୍ୟରେ ଦୁର୍ଘଟଣା ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଛି ।
ଏହାକୁ ଦୃଷ୍ଟିରେ ରଖି ଆମେରିକା ସଂଘୀୟ ଯୋଗାଯୋଗ ଆୟୋଗ ନୂଆ ନିୟମ ଲାଗୁ କରିଛି । ମହାକାଶ ଉଦ୍ୟୋଗ ଏହାକୁ ବ୍ୟାପକ ସମର୍ଥନ କରିଛି । ଏହା ସାଟେଲାଇଟ୍ ପାଇଁ ଅନୁମତି ପ୍ରକ୍ରିୟାକୁ ଆଧୁନିକ କରିବ ଏବଂ ନୂଆ ‘ମହାକାଶ ସୁରକ୍ଷା’ ପ୍ରାବଧାନ ସୃଷ୍ଟି କରିବ । ଏହି ନିୟମ ଅନ୍ତର୍ଗତ, ସାଟେଲାଇଟ୍ ଅପରେଟରଙ୍କୁ ଟ୍ରାକିଂର ତଥ୍ୟ ସେହି ସମୟରେ ପ୍ରଦାନ କରିବାକୁ ପଡ଼ିବ । ଏହା ଦ୍ୱାରା ମହାକାଶ ଟ୍ରାଫିକ୍ ପରିଚାଳକମାନେ କକ୍ଷରେ ଯାନଗୁଡ଼ିକର ସ୍ଥିତି ସମ୍ପର୍କରେ ଅଧିକ ବୁଝିପାରିବେ । ମହାକାଶରେ ଯାନମାନଙ୍କ ମଧ୍ୟରେ ଧକ୍କାର ପୂର୍ବାନୁମାନ ଅତ୍ୟନ୍ତ କଷ୍ଟକର ।
ଆହୁରି ପଢ଼ନ୍ତୁ...Elon Musk AI warning : ୫ ବର୍ଷ ମଧ୍ୟରେ ମଣିଷଙ୍କ ଠାରୁ ଟପି ଯିବ AIର ବୁଦ୍ଧି , ୧୦ ବର୍ଷରେ ହାତରୁ ଖସି ଯିବ ସବୁ କଣ୍ଟ୍ରୋଲ୍ !
ସଂଘୀୟ ଯୋଗାଯୋଗ ଆୟୋଗର ନିୟମକୁ ନେଇ ଆପତ୍ତି ନ ଥିଲେ ମଧ୍ୟ ମହାକାଶ ମାମଲାରେ ଦାୟିତ୍ୱ କିଏ ନେବ, ତାକୁ ନେଇ ଟଣାଭିଡ଼ା ଚାଲିଛି । ବ୍ୟବସାୟିକ ମହାକାଶ ଉଦ୍ୟୋଗର ବିସ୍ତାର ହୋଇଥିବାରୁ ନୀତିନିର୍ମାତା ଅର୍ଥ ବିଭାଗକୁ ମହାକାଶ ପରିଚାଳନା ଦାୟିତ୍ୱ ପ୍ରଦାନ କରିବାକୁ ଚାହୁଁଛନ୍ତି । ସେମାନଙ୍କ ଯୁକ୍ତି ଯେ ଅର୍ଥ ବିଭାଗ ମହାକାଶ କ୍ଷେତ୍ରର ପରିଚାଳନା କରିପାରିବ ଏବଂ ଆମେରିକୀୟ ମହାକାଶ ଉଦ୍ୟୋଗକୁ ବିଶ୍ୱସ୍ତରରେ ପ୍ରତିଯୋଗୀମୂଳକ କରିବା ଲାଗି କମ୍ପାନିମାନଙ୍କ ସହିତ ମିଶି ଏହା କାମ କରିବ । ଅର୍ଥ ବିଭାଗ ମହାକାଶ ଟ୍ରାଫିକ୍ ନିୟମ ପରିଚାଳନା ଦାୟିତ୍ୱ ନେଉ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଥିଲେ ମଧ୍ୟ ଏଥିଲାଗି ବିଭାଗକୁ କେତେ ଅର୍ଥ ପ୍ରଦାନ କରାଯିବ ତାକୁ ନେଇ ଅନିଶ୍ଚିତତା ରହିଛି । ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା ।