ନୂଆଦିଲ୍ଲୀ - ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ମନେକରାଯାଏ। ଆମ ସମସ୍ତଙ୍କ ଘର ଅଗଣାରେ ତୁଳସୀର ଗଛ ଲଗାଯାଇ ଥାଏ ଏବଂ ବିଧି ବିଧାନରେ ଏହି ଗଛକୁ ମାତା ଭାବେ ବିଶ୍ୱାସ କରି ପୂଜାର୍ଚ୍ଚନା କରାଯାଏ। ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ, ଏହି ଗଛରେ ମାତା ଲକ୍ଷ୍ମୀ ବାସ କରନ୍ତି। ଏହି ଗଛର ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସି ଥାଏ। ଘର ଧନଧାନ୍ୟରେ ପୂରା ଯାଏ। ତୁଳସୀ ଭଗବାନ ବିଷ୍ଣୁଙ୍କ ବହୁତ ପ୍ରିୟ। ଯେଉଁ ଘରେ ତୁଳସୀର ବିଧି ବିଧାନରେ ପୂଜା କରାଯାଏ , ସେଠାରେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ସର୍ବଦା ରହିଥାଏ।
ବାସ୍ତୁ ଶାସ୍ତ୍ରରେ ମଧ୍ୟ ତୁଳସୀ ଗଛକୁ ଖୁବ୍ ସ୍ୱତନ୍ତ୍ର ମନେକରାଯାଏ। ଏଥିରେ ଏହାର ସଠିକ୍ ଦିଗ ଏବଂ ରଖିବାର ସ୍ଥାନ ବିଷୟରେ କୁହାଯାଇଛି। ତୁଳସୀ ଗଛ ପ୍ରାଚୀନ କାଳରୁ ହିନ୍ଦୁ ପରମ୍ପରାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇ ରହିଛି। ଏହି ଗଛ ସବୁବେଳେ ସକାରାତ୍ମକ ଶକ୍ତିକୁ ଆକର୍ଷିତ କରେ ଏବଂ ପରିବେଶକୁ ପବିତ୍ର କରି ଥାଏ। କିନ୍ତୁ ଅନେକ ସମୟରେ ଏହି ଗଛକୁ ନେଇ ମନରେ ପ୍ରଶ୍ନ ଆସେ ଯେ, ଘରେ ଗୋଟିଏରୁ ଅଧିକ ତୁଳସୀ ଗଛ ଲଗାଯାଇ ପାରିବ କି ? ଆସନ୍ତୁ ଜାଣିବା ଏହାକୁ ନେଇ ବାସ୍ତୁ ଶାସ୍ତ୍ରରେ କ'ଣ କୁହାଯାଇଛି।
ଘରେ ଲଗାଇ ପାରିବେ ଗୋଟିଏରୁ ଅଧିକ ତୁଳସୀ ଗଛ -
ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଗୋଟିଏରୁ ଅଧିକ ତୁଳସୀ ଗଛ ଲଗାଇବାକୁ ଅନୁମତି ରହିଛି। ଅର୍ଥାତ୍ ଘରେ ଗୋଟିଏରୁ ଅଧିକ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ। କିନ୍ତୁ ଚେଷ୍ଟା କରନ୍ତୁ ଯେପରି ଏଗୁଡ଼ିକୁ ଅଯୁଗ୍ମ ସଂଖ୍ୟାରେ ଲଗାଇବେ, ଯେପରିକି ୩, ୫ କିମ୍ବା ୭ଟି ଗଛ ଏକାଠି ଲଗାଇ ପାରିବେ। ବହୁତ ଅଧିକ ତୁଳସୀ ଗଛ ମଧ୍ୟ ଲଗାନ୍ତୁ ନାହିଁ, କାରଣ ଏପରି କରିବା ଦ୍ୱାରା ସମସ୍ତ ଗଛର ସଠିକ ଯତ୍ନ ନିଆ ଯାଇପାରେ ନାହିଁ, ଯାହାଫଳରେ ପୂଜାର ସମ୍ପୂର୍ଣ୍ଣ ଫଳ ମିଳି ନଥାଏ।
ତୁଳସୀ ଗଛ ଲଗାଇବାର ସଠିକ ଦିଗ -
ତୁଳସୀ ଗଛ ସବୁବେଳେ ଘରର ପୂର୍ବ ଦିଗରେ ଲଗାଇବା ଶୁଭ ହୋଇଥାଏ। ଏହା ଛଡ଼ା ଏହି ଗଛକୁ ଉତ୍ତର-ପୂର୍ବ ଦିଗ ଅର୍ଥାତ୍ ଐଶାନ୍ୟ କୋଣରେ ମଧ୍ୟ ଲଗାଯାଇ ପାରିବ। ସଠିକ୍ ଦିଗରେ ଲଗା ଯାଇଥିବା ତୁଳସୀ ଗଛ ଯୋଗୁଁ ଘରକୁ ସଦାସର୍ବଦା ଭଲ ଶକ୍ତି ଆସି ଥାଏ। ଏହି ଗଛକୁ ଭୁଲ୍ରେ ବି ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ, କାରଣ ଏହା ପିତୃପୁରୁଷ ଏବଂ ଯମଙ୍କ ଦିଗ ବୋଲି ଧରାଯାଏ।
ତୁଳସୀ ଲଗାଇବାର କିଛି ନିୟମ -
ତୁଳସୀ ଗଛକୁ ସବୁବେଳେ ଘରର ଅଗଣାରେ କିମ୍ବା ବାଲକୋନିରେ ଲଗାନ୍ତୁ। ଏହାକୁ ସବୁବେଳେ ସଫାସୁତୁରା ସ୍ଥାନରେ ରଖନ୍ତୁ। ଭୁଲ୍ରେ ସୁଦ୍ଧା ତୁଳସୀ ଗଛକୁ ଘରର ଭୁଲ୍ ଦିଗରେ ଲଗାନ୍ତୁ ନାହିଁ, ଏହାଦ୍ୱାରା ଲାଭ ବଦଳରେ କ୍ଷତି ହୋଇ ପାରେ। ଧ୍ୟାନ ରଖିବେ ଯେ, ଯେପରି ଘରେ ଥିବା ତୁଳସୀ ଗଛ କେବେ ସୁଖି ନଯାଏ। ରବିବାର ଓ ଏକାଦଶୀ ତିଥିକୁ ଛାଡ଼ି ପ୍ରତିଦିନ ନିୟମିତ ଭାବେ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ।
ଆହୁରି ମଧ୍ୟ ପଢନ୍ତୁ -EPFO : ଚାକିରି ବଦଳାଇବା ମାତ୍ରେ ପୁରୁଣା PF ଟଙ୍କା ନୂଆ ଆକାଉଣ୍ଟକୁ କରନ୍ତୁ ଟ୍ରାନ୍ସଫର୍ ; ଏହା ହେଉଛି ସବୁଠୁ ସହଜ ଉପାୟ