ଭୁବନେଶ୍ୱର,୦୩/୦୬: ଗତ ଦୁଇ ସପ୍ତାହ ହେବ ତାତି ଉଭାନ୍‌ ଥିଲା ।  ମୌସୁମୀ ଆଗମନରେ ପୂରା ରାଜ୍ୟରେ ମେଘ ବର୍ଷିଥିଲା । ମୌସୁମୀର ଶୀତଳ ସ୍ପର୍ଶରେ ପୂରା ଓଡ଼ିଶା ଥଣ୍ଡା ପଡ଼ିଥିଲା । କିନ୍ତୁ ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁ ଆଉ ଆଗଉନି । ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନକୁ  ଛୁଇଁଛି । ଭବାନୀପାଟଣା ଓ ପୁରୀ  ଲାଇନ୍‌ରୁ ଆଉ ଆଗଉନି ।  ଆସନ୍ତା ସପ୍ତାହ ଯାଏ ମୌସୁମୀ  ଆଗେଇବାର ସମ୍ଭାବନା ନାହିଁ । ସୋମବାର ଭୀଷଣ ଗରମ ଓ ଗୁଳୁଗୁଳି ହୋଇଛି । ଆଗକୁ ବି ଏହା କଲବଲ  କରିବ । ପାଣିପାଗ ବିଭାଗର ପୂର୍ବାନୁମାନ ଏଭଳି ଆଶଙ୍କାକୁ ତେଜିଲାଣି । 

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ  ମହାପାତ୍ର କହିଛନ୍ତି, ଆସନ୍ତା ୭ଦିନ ଯାଏ ମୌସୁମୀ ନିଷ୍କ୍ରିୟ ରହିବ ।  ଜଳବାୟୁ ସ୍ଥିତି ଅନୁକୂଳ ନ ଥିବାରୁ ଏହା ଆଗକୁ ଅଗ୍ରସର ହେବନି ।  ତେବେ ମୌସୁମୀ ଏବେ ଅଗ୍ରସର ନ ହେଲେ ବି ଏହାକୁ ଆଗୁଆ  ବୋଲି ଧରାଯିବ । ସ୍ୱାଭାବିକ ଭାବେ ଜୁଲାଇ ୫ ତାରିଖ ସୁଦ୍ଧା ମୌସୁମୀ ପୂରା ଦେଶକୁ ଅଗ୍ରସର ହୁଏ । ଏହି ଅବଧି ପୂର୍ବରୁ ଏହା ସବୁଠି  ପହଞ୍ଚିଯିବ ବୋଲି ସେ ଆକଳନ କରିଛନ୍ତି । 

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା  ମନୋରମା ମହାନ୍ତି କହିଛନ୍ତି, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନକୁ ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁ ଅଗ୍ରସର ହୋଇଛି । କିନ୍ତୁ ଏହା ଆଗକୁ ବଢୁନି । ଆଗାମୀ ୫ରୁ  ୭ ଦିନ ଯାଏ ମୌସୁମୀ ଆଗକୁ ଅଗ୍ରସର ହେବନି । ମୌସୁମୀ ସକ୍ରିୟ ନ ଥିବାରୁ ବର୍ଷାର ସମ୍ଭାବନା ନାହିଁ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ।  କିନ୍ତୁ ଅଧିକାଂଶ ସ୍ଥାନରେ ବର୍ଷା ହେବନି ବୋଲି ସେ ପୂର୍ବାନୁମାନ କରିଛନ୍ତି । 

ମଙ୍ଗଳବାର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ନାକେଦମ  କରିବ । ବୁଧବାର(୪ ତାରିଖ) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ସ୍ଥିତି ରହିବ । ଗୁରୁବାର ଓ ଶୁକ୍ରବାର ବି ଏଭଳି ସ୍ଥିତିରୁ ନିସ୍ତାର ମିଳିବନି । 

ସୋମବାର ରାଜ୍ୟର ବହୁ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ  ହୋଇଛି । ଲେଉଟା ତାତି ସାଙ୍ଗକୁ ଅଧିକ ଆର୍ଦ୍ରତା ଯୋଗୁ ଅସମ୍ଭାଳ ଗୁଳୁଗୁଳି ହୋଇଥିଲା । ଲୋକେ ଝାଳରେ ବୁଡ଼ିଥିଲେ । ୧୪ ସହରରେ ତାତି ୪୦ ଡିଗ୍ରୀ  ପାଖରେ ପହଞ୍ଚି ଯାଇଥିଲା । ବାଲେଶ୍ୱରରେ ତାତି ୩୯.୮ ଡିଗ୍ରୀ ରହିଥିଲା ।  ଭୁବନେଶ୍ୱରରେ ୩୯.୬ ଡିଗ୍ରୀ, ବାରିପଦା, ତାଳଚେର ଓ ପାରଳାଖେମୁଣ୍ଡି  ଓ କଟକରେ ୩୯.୪, ହୀରାକୁଦ ଓ ସମ୍ବଲପୁରରେ ୩୯.୧, ଭଦ୍ରକରେ ୩୯  ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ମଧ୍ୟାହ୍ନ ବେଳକୁ ଭୁବନେଶ୍ୱରରେ ଅନୁଭୂତ  ତାପମାତ୍ରା(ରିଅଲ ଫିଲ୍‌) ୫୦ ଡିଗ୍ରୀ ଛୁଇଁଥିଲା । କଟକରେ ରିଅଲ ଫିଲ୍‌ ୪୫  ଡିଗ୍ରୀ, ବାଲେଶ୍ୱରରେ ୪୩, ପୁରୀରେ ୪୯, ଫୁଲବାଣୀରେ ୪୨, ମାଲକାନଗିରିରେ  ୪୫ ଓ ଢେଙ୍କାନାଳରେ ୪୫ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇଥିଲା । 

ସୋମବାର ଦିନ ସାଢ଼େ ୧୧ଟାରୁ ବାଲେଶ୍ୱରରେ ତାତି ୩୮.୪ ଡିଗ୍ରୀ ଛୁଇଁଥିଲା ।  ଭୁବନେଶ୍ୱରରେ ୩୭.୪, ହୀରାକୁଦରେ ୩୭, ଚାନ୍ଦବାଲି ଓ ସମ୍ବଲପୁରେ  ୩୬.୬, ଝାରସୁଗୁଡ଼ାରେ ୩୬.୪, ପାରାଦୀପରେ ୩୬.୨, ପୁରୀରେ ୩୫.୮,  ଗୋପାଳପୁରରେ ୩୫.୪ ଓ ରାଉରକେଲାରେ ତାତି ୩୫ ଡିଗ୍ରୀ ରହିଥିଲା