ଭୁବନେଶ୍ୱର,୦୩/୦୬: ଗତ ଦୁଇ ସପ୍ତାହ ହେବ ତାତି ଉଭାନ୍ ଥିଲା । ମୌସୁମୀ ଆଗମନରେ ପୂରା ରାଜ୍ୟରେ ମେଘ ବର୍ଷିଥିଲା । ମୌସୁମୀର ଶୀତଳ ସ୍ପର୍ଶରେ ପୂରା ଓଡ଼ିଶା ଥଣ୍ଡା ପଡ଼ିଥିଲା । କିନ୍ତୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଉ ଆଗଉନି । ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନକୁ ଛୁଇଁଛି । ଭବାନୀପାଟଣା ଓ ପୁରୀ ଲାଇନ୍ରୁ ଆଉ ଆଗଉନି । ଆସନ୍ତା ସପ୍ତାହ ଯାଏ ମୌସୁମୀ ଆଗେଇବାର ସମ୍ଭାବନା ନାହିଁ । ସୋମବାର ଭୀଷଣ ଗରମ ଓ ଗୁଳୁଗୁଳି ହୋଇଛି । ଆଗକୁ ବି ଏହା କଲବଲ କରିବ । ପାଣିପାଗ ବିଭାଗର ପୂର୍ବାନୁମାନ ଏଭଳି ଆଶଙ୍କାକୁ ତେଜିଲାଣି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ୭ଦିନ ଯାଏ ମୌସୁମୀ ନିଷ୍କ୍ରିୟ ରହିବ । ଜଳବାୟୁ ସ୍ଥିତି ଅନୁକୂଳ ନ ଥିବାରୁ ଏହା ଆଗକୁ ଅଗ୍ରସର ହେବନି । ତେବେ ମୌସୁମୀ ଏବେ ଅଗ୍ରସର ନ ହେଲେ ବି ଏହାକୁ ଆଗୁଆ ବୋଲି ଧରାଯିବ । ସ୍ୱାଭାବିକ ଭାବେ ଜୁଲାଇ ୫ ତାରିଖ ସୁଦ୍ଧା ମୌସୁମୀ ପୂରା ଦେଶକୁ ଅଗ୍ରସର ହୁଏ । ଏହି ଅବଧି ପୂର୍ବରୁ ଏହା ସବୁଠି ପହଞ୍ଚିଯିବ ବୋଲି ସେ ଆକଳନ କରିଛନ୍ତି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି । କିନ୍ତୁ ଏହା ଆଗକୁ ବଢୁନି । ଆଗାମୀ ୫ରୁ ୭ ଦିନ ଯାଏ ମୌସୁମୀ ଆଗକୁ ଅଗ୍ରସର ହେବନି । ମୌସୁମୀ ସକ୍ରିୟ ନ ଥିବାରୁ ବର୍ଷାର ସମ୍ଭାବନା ନାହିଁ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । କିନ୍ତୁ ଅଧିକାଂଶ ସ୍ଥାନରେ ବର୍ଷା ହେବନି ବୋଲି ସେ ପୂର୍ବାନୁମାନ କରିଛନ୍ତି ।
ମଙ୍ଗଳବାର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ନାକେଦମ କରିବ । ବୁଧବାର(୪ ତାରିଖ) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ସ୍ଥିତି ରହିବ । ଗୁରୁବାର ଓ ଶୁକ୍ରବାର ବି ଏଭଳି ସ୍ଥିତିରୁ ନିସ୍ତାର ମିଳିବନି ।
ସୋମବାର ରାଜ୍ୟର ବହୁ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି । ଲେଉଟା ତାତି ସାଙ୍ଗକୁ ଅଧିକ ଆର୍ଦ୍ରତା ଯୋଗୁ ଅସମ୍ଭାଳ ଗୁଳୁଗୁଳି ହୋଇଥିଲା । ଲୋକେ ଝାଳରେ ବୁଡ଼ିଥିଲେ । ୧୪ ସହରରେ ତାତି ୪୦ ଡିଗ୍ରୀ ପାଖରେ ପହଞ୍ଚି ଯାଇଥିଲା । ବାଲେଶ୍ୱରରେ ତାତି ୩୯.୮ ଡିଗ୍ରୀ ରହିଥିଲା । ଭୁବନେଶ୍ୱରରେ ୩୯.୬ ଡିଗ୍ରୀ, ବାରିପଦା, ତାଳଚେର ଓ ପାରଳାଖେମୁଣ୍ଡି ଓ କଟକରେ ୩୯.୪, ହୀରାକୁଦ ଓ ସମ୍ବଲପୁରରେ ୩୯.୧, ଭଦ୍ରକରେ ୩୯ ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ମଧ୍ୟାହ୍ନ ବେଳକୁ ଭୁବନେଶ୍ୱରରେ ଅନୁଭୂତ ତାପମାତ୍ରା(ରିଅଲ ଫିଲ୍) ୫୦ ଡିଗ୍ରୀ ଛୁଇଁଥିଲା । କଟକରେ ରିଅଲ ଫିଲ୍ ୪୫ ଡିଗ୍ରୀ, ବାଲେଶ୍ୱରରେ ୪୩, ପୁରୀରେ ୪୯, ଫୁଲବାଣୀରେ ୪୨, ମାଲକାନଗିରିରେ ୪୫ ଓ ଢେଙ୍କାନାଳରେ ୪୫ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇଥିଲା ।
ସୋମବାର ଦିନ ସାଢ଼େ ୧୧ଟାରୁ ବାଲେଶ୍ୱରରେ ତାତି ୩୮.୪ ଡିଗ୍ରୀ ଛୁଇଁଥିଲା । ଭୁବନେଶ୍ୱରରେ ୩୭.୪, ହୀରାକୁଦରେ ୩୭, ଚାନ୍ଦବାଲି ଓ ସମ୍ବଲପୁରେ ୩୬.୬, ଝାରସୁଗୁଡ଼ାରେ ୩୬.୪, ପାରାଦୀପରେ ୩୬.୨, ପୁରୀରେ ୩୫.୮, ଗୋପାଳପୁରରେ ୩୫.୪ ଓ ରାଉରକେଲାରେ ତାତି ୩୫ ଡିଗ୍ରୀ ରହିଥିଲା