ନୂଆଦିଲ୍ଲୀ: ଆସନ୍ତା ୪ ତାରିଖରେ ପ୍ରକାଶ ପାଇବ ପଶ୍ଚିମବଙ୍ଗ ରେଜଲ୍ଟ । ବୁଥ ବାହୁଡ଼ା ମତ ବିଜେପି ସପକ୍ଷରେ ଯାଇଛି । ଦିଦିଙ୍କ ସରକାର ହଟି ବଙ୍ଗରେ ବିଜେପି ସରକାର ଗଠନ କରିବ ବୋଲି ବହୁ ଏଗଜିଟ୍ ପୋଲ୍ ସର୍ଭେରେ ପ୍ରକାଶ କରାଯାଇଛି । ଏହି ଆଧାରରେ ବିଜେପି ନିଜର ମାଷ୍ଟପ୍ଲାନ୍ ପ୍ରସ୍ତୁତ କରିଛି । ଆସନ୍ତା ୨ ତାରିଖରେ କୋଲକାତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି ବିଜେପି । ଏହି ବୈଠକରେ ନିର୍ବାଚନରେ ନିଯୁକ୍ତ ବିଧାନସଭା ଓ ଜୋନ୍ ପ୍ରଭାରୀମାନେ ଯୋଗଦେବେ । ଏନେଇ ସେମାନଙ୍କୁ ନିଯୁକ୍ତ କରାଯାଇଛି ।
ଭୋଟ୍ ଗଣତି ଦିନ ଏହିସବୁ ନେତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯିବ । କେନ୍ଦ୍ରୀୟ ନେତୃତ୍ବ ପକ୍ଷରୁ ପଶ୍ଚିମବଙ୍ଗ ପ୍ରଭାରୀ ସୁନୀଲ ବଂଶଲ ଏବଂ ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ । ଏଗଜିଟ୍ ପୋଲ ବିଜେପି ସପକ୍ଷରେ ଯାଉଥିବାବେଳେ ଦଳ ଭୋଟ ଗଣତି ଉପରେ ଅଧିକ ଧ୍ୟାନ ଦେବାକୁ ଯୋଜନା କରିଛି । ଏନେଇ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯିବ ।
ଦଳ ନିଜର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିବାବେଳେ ମତଦାନ ଶେଷ ହେବା ପରେ ଗ୍ରାଉଣ୍ଡ ରିପୋଣ୍ଟ ଉପରେ ରିପୋର୍ଟ ସଂଗ୍ରହ କରିବାକୁ କୋଲକାତାରେ ଦଳର ପ୍ରମୁଖ ନେତାମାନଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ ସୁନୀଲ ବଂଶଲ ଏବଂ ଭୂପେନ୍ଦ୍ର ଯାଦବ । ଏହାପରେ ଶୁକ୍ରବାର ଉଭୟ ନେତା ସିଲିଗୁଡ଼ିରେ ସ୍ଥାନୀୟ ଦଳୀୟ ନେତା ଏବଂ କାଉଣ୍ଟିଂ ଏଜେଣ୍ଟମାନଙ୍କୁ ଭେଟି ଗଣନାକେନ୍ଦ୍ରରେ ଭୋଟ ଗଣନାର ବିବରଣୀ ବିଷୟରେ ଅବଗତ କରାଇଥିଲେ । ଏହାସହ ଶନିବାର ଦଳ ଏକ ବିଶାଳ ବୈଠକର ଯୋଜନା ମଧ୍ୟ କରିଛି ।
ତେବେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଗଣନା ଦିନ ଯେଭଳି କୌଣସି ତ୍ରୁଟି ନ ଘଟେ ତାହା ନିଶ୍ଚିତ କରାଯିବ । ବୁଥ୍ ସ୍ତରରୁ ଗଣନା କେନ୍ଦ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସ୍ଥାର ସମୀକ୍ଷା କରାଯିବ । ଏହି ବୈଠକରେ ପ୍ରତ୍ୟେକ କେନ୍ଦ୍ରରେ କିଏ ନିୟୋଜିତ ହେବେ, ଏଜେଣ୍ଟଙ୍କ ଭୂମିକା ଏବଂ ପ୍ରତ୍ୟେକ ବ୍ୟବସ୍ଥାର ସମୀକ୍ଷା କରାଯିବ । ଏହାସହ ଏହି ବୈଠକରେ କିଏ କେଉଁ କେନ୍ଦ୍ରରେ ନିୟୋଜିତ ହେବେ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । ଏହାସହ ଏଜେଣ୍ଟଙ୍କ ଭୂମିକା ଏବଂ ପ୍ରତ୍ୟେକ ପର୍ଯ୍ୟାୟର ତଦାରଖ କିପରି ସୁନିଶ୍ଚିତ କରାଯିବ ତାହାର ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ ହେବ ।
କୁହାଯାଉଛି କି, ବଙ୍ଗରେ ଅନେକ ଆସନରେ ଫାଇଟ୍ କଡ଼ାକଡ଼ି ହୋଇପାରେ । ଗୋଟିଏ ପଟେ ଟିଏମସି ଜନକଲ୍ୟାଣକାରୀ ଯୋଜନା ପାଇଁ ଭୋଟର ପୁରିଥରେ ମମତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ଦଳ ପକ୍ଷରୁ ଦୃଢ଼ ଯୁକ୍ତି କରାଯାଉଛି । ଅନ୍ୟପଟେ ବିଜେପି ଗ୍ରାଉଣ୍ଡ ରିପୋର୍ଟ ଏବଂ ଏଗଜିଟ୍ ପୋଲ ଆଧାରରେ ଜନତା ପରିବର୍ତ୍ତନ ଚାହିଁଥିବା କହୁଛି । ବିଜୟ ହେବା ସହ ସରକାର ଗଠନ କରିବେ ବୋଲି ଉଭୟ ଦଳ ଅଡ଼ି ବସିଥିବାବେଳେ ଆସନ୍ତା ୪ ତାରିଖର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଗଣତି ସମୟରେ ଯେଭଳି କିଛି ତ୍ରୁଟି ନହୁଏ ଏହାଉପରେ ନଜର ରଖିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଏହାସହ ପଢ଼ନ୍ତୁ : ପଞ୍ଜାବ ବିଧାନସଭାରେ ଖୁବ୍ ହଙ୍ଗାମା , ସିଏମ୍ ଭଗୱନ୍ତ ମାନ ମଦ ପିଇ ଆସି ଥିବାର ଅଭିଯୋଗ