ଭୁବନେଶ୍ୱର,୦୯/୧୨: ଆଳୁ ପାଇଁ  ପଶ୍ଚିମବଙ୍ଗରେ ଶୁଭୁଛି ଓଡ଼ିଶା ସପକ୍ଷରେ ନାରା । ଓଡ଼ିଶା ଓ ଅନ୍ୟ ରାଜ୍ୟକୁ ଆଳୁ ଦେବାକୁ ଅଡ଼ି ବସିଛନ୍ତି ବଙ୍ଗ ବ୍ୟବସାୟୀ ।  କିନ୍ତୁ ଏବେବି ଜିଦ୍‌ରେ ଅଟଳ ମମତା ସରକାର ।  ତେଣୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ  ସଜବାଜ ହେଉଛନ୍ତି ଆଳୁ ବ୍ୟବସାୟୀ ଓ ଶୀତଳ ଭଣ୍ଡାର କର୍ମଚାରୀ । 

ଆଜି ଠାରୁ ପୁଣିଥରେ  ଆନ୍ଦୋଳନ ହେବ ବୋଲି ଜଣାପଡ଼ିଛି ।  ସରକାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ  କରି ଗତ ଏକ ସପ୍ତାହ ତଳେ ପଶ୍ଚିମବଙ୍ଗ  ଆଳୁ ବ୍ୟବସାୟୀ ଓ ଶୀତଳ ଭଣ୍ଡାର  କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ  ଆନ୍ଦୋଳନ କରିଥିଲେ । ଶୀତଳଭଣ୍ଡାରରେ ତାଲା ପଡ଼ିଥିଲା । ଫଳରେ ସେଠାରେ ଆଳୁ  ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ମାତ୍ର କେଇ  ଘଣ୍ଟା ମଧ୍ୟରେ ସରକାର ସେମାନଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ  ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାରଣ  ଆଳୁଗୁଡ଼ିକ ପଡ଼ିରହି ପଚିଯାଉଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ରାଜ୍ୟ ପାଇଁ  ଆଳୁ ରଖାଯାଇ ଅବଶିଷ୍ଟ ଆଳୁକୁ ଅନ୍ୟ ରାଜ୍ୟକୁ  ରତ୍ପାନୀ କରିବା ଉପରେ ମମତା ସରକାର ବିଚାର କରୁଛନ୍ତି ବୋଲି  କୁହାଯାଇଥିଲା । ହେଲେ ଆଜି  ପର୍ଯ୍ୟନ୍ତ ବ୍ୟବସାୟୀଙ୍କ ସପକ୍ଷରେ  କୌଣସି ନିଷ୍କର୍ସ ବାହାରିପାରିନି । ତେଣୁ  ପୁଣି ଶୀତଳଭଣ୍ଡାରରେ ତାଲା ଝୁଲାଇ ଆନ୍ଦୋଳନ  କରିବାକୁ ସଜବାଜ ହେଉଛନ୍ତି ଆଳୁ ବ୍ୟବସାୟୀ । 

ଅପରପକ୍ଷେ, ଓଡ଼ିଶାରେ ଆଳୁ ସ୍ଥିତି  ସୁଧୁରିବାର ନାଁ ଧରୁନି । ଦୈନିକ ଶତାଧିକ  ଟ୍ରକ ଆଳୁ ଓଡ଼ିଶାକୁ ଆସୁଥିବା ସତ୍ତେ୍ୱ  ଦର କମୁନି । ଦର ସେହି ୪୦ରେ ଅଟକି  ରହିଛି । ଆଳୁ ଦର ହ୍ରାସ ପଦକ୍ଷେପ କେବଳ  ବୟାନବାଜିରେ ସୀମିତ ରହିଛି । ବାରମ୍ବାର  ଯୋଗାଣ ବିଭାଗର ଚଢ଼ଉ ସତ୍ତେ୍ୱ ଦର  ଖସୁନଥିବାରୁ ଖାଉଟି ଅସନ୍ତୋଷ  ପ୍ରକାଶ କରିଛନ୍ତି । 

ରବିବାର  ୧୫୦ ଟ୍ରକ ଆଳୁ ରାଜ୍ୟକୁ  ଆସିଛି । ରାଜ୍ୟ ବ୍ୟବସାୟୀ  ମହାସଂଘର ସାଧାରଣ  ସମ୍ପାଦକ ସୁଧାକର ପଣ୍ଡା  କହିଛନ୍ତି, ରାଜ୍ୟରେ ଆଳୁ ସମସ୍ୟା  ଆଉ ନାହିଁ । ସବୁ ମଣ୍ଡିରେ ଆଳୁ ମହଜୁଦ  ରହୁଛି । ପାଇକାରୀ ଦର କମୁଛି । ହେଲେ  ବଜାର ଦର ଆମେ କିଛି କରିପାରିବୁନି । ସେହି  ଦର ନିୟନ୍ତ୍ରଣକୁ ଆଣିବା ସରକାରଙ୍କ କାମ ।