ନୂଆଦିଲ୍ଲୀ,୦୪/୦୫; ୫ ରାଜ୍ୟରେ ଭୋଟ୍ ଗଣତି ଜାରି ରହିଛି । ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳମ, ପୁଡୁଚେରୀ ବିଧାନସଭା ନିର୍ବାଚନର କାଉଣ୍ଟିଂ ଜାରି । ଫୋକସ ପଶ୍ଚିମବଙ୍ଗ ଉପରେ ରହିଛି । ରାଜ୍ୟରେ ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର ଚାଲିଛି । ଦିଦି ରହିବେ ନା ଯିବେ ତାହା ଆଜି ସ୍ପଷ୍ଟ ହେବ । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ପଛୁଆ ହେଉଛନ୍ତି ଟିଏମସି ଏବଂ ବିଜେପି । ଏଥର ସତରେ ହଟିବେ କି ଦିଦି ? ବଙ୍ଗ ପ୍ରାରମ୍ଭିକ ଟ୍ରେଣ୍ଡରେ ମମତା ନୁହେଁ ଆଗରେ ମୋଦି । ଟ୍ରେଣ୍ଡରେ ବିଜେପି ଏବଂ ଟିଏମସିର ଲିଡ୍ ୧୦୦ ପାର୍ କରିଛି । ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶାସକ ଟିଏମସି ବିଜୟର ହ୍ୟାଟ୍ରିକ୍ ସ୍କୋର କରିବାକୁ ଆଶା ରଖିଛି । ବିଜେପି ଏକ ଦୃଢ଼ ବିଜୟ ପାଇଁ ଆଶାବାଦୀ । ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟର ମତଦାନ ରେକର୍ଡ କରାଯାଇଛି । ରାଜ୍ୟରେ ୯୨ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଭବାନୀପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଲଢେଇ ଚାଲିଛି । ପଶ୍ଚିମବଙ୍ଗରେ ବିଜେପି ୧୪୩ ଆସନରେ ଆଗୁଆ ଥିବାବେଳେ ଟିଏମସି ୧୩୩ରେ ଲିଡ୍ କରୁଛି । କଂଗ୍ରେସ ଖାତା ଖୋଲି ପାରିନାହିଁ
ପଶ୍ଚିମବଙ୍ଗରେ ୨୯୪ ଆସନରୁ ୨୯୩ଟି ଆସନରେ ଭୋଟ ଗଣତି ଚାଲିଛି । ରାଜ୍ୟର ଫାଲତା ଆସନରେ ଇଭିଏମରେ ହେରଫେର ଓ ବ୍ୟାପକ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ସେଠାରେ ମତଦାନକୁ ରଦ୍ଦ କରି ଦେଇଛନ୍ତି । ଏହି ଆସନରେ ଆସନ୍ତା ୨୧ରେ ସାନି ଭୋଟ ଗ୍ରହଣ କରାଯିବ ଏବଂ ୨୪ରେ ଭୋଟ ଗଣତି ହେବ । ରାଜ୍ୟରେ ଦୀର୍ଘ ୩୪ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଦଳକୁ ପରାସ୍ତ କରି ଟିଏମସି ୨୦୧୧ ମସିହାରେ କ୍ଷମତାସୀନ ହୋଇଥିଲା । ଟିଏମସି ଚତୁର୍ଥଥର ପାଇଁ କ୍ଷମତା ଦଖଲ କରିବାକୁ ଆଶା ରଖିଛି । ଅନ୍ୟପକ୍ଷରେ ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ବଢ଼ାଇଛି ।
ବିଜେପି ଏଥର ରାଜ୍ୟରେ କ୍ଷମତାସୀନ ହେବ ବୋଲି ଦୃଢ଼ ଆଶାବାଦୀ ରହିଛି । ମତଦାନ ପରେ ହୋଇଥିବା ଏକଜିଟ ପୋଲରେ ଅଧିକାଂଶ ସର୍ଭେରେ ବିଜେପି ସରକାର ଗଢ଼ିବ ବୋଲି ଆକଳନ କରାଯାଇଛି । ୨୦୨୧ ନିର୍ବାଚନରେ ଟିଏମସି ୨୧୫ ଆସନ ପାଇଥିଲା ବେଳେ ବିଜେପି ୭୭ ଆସନରେ ଜିତିଥିଲା । ଟିଏମସିର ସହଯୋଗୀ ଜିଜେଏମ୍ ଏବଂ ସଂଯୁକ୍ତ ମୋର୍ଚ୍ଚାର ଆଇଏସଏଫ ଗୋଟିଏ ଲେଖାଏ ଆସନ ପାଇଥିଲେ । କଂଗ୍ରେସ କିମ୍ବା ବାମଦଳ ଖାତା ଖୋଲିପାରି ନଥିଲେ ।
ଏହା ବି ପଢନ୍ତୁ...Tamilnadu Result 2026; ତାମିଲନାଡୁରେ ବଡ଼ ବିପର୍ଯ୍ୟୟ, ବିଜୟଙ୍କ ଦଳ TVKଠୁ ହାରିଯିବ କି DMK ?