ନୂଆଦିଲ୍ଲୀ - ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସିବେ। ୪-୫ ଡିସେମ୍ୱରରେ ତାଙ୍କର ଭାରତ ଗସ୍ତ ହେବ। ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଠାରେ ରୁଷିଆ ସୁରକ୍ଷା ଏଜେନ୍ସିର ଟିମ୍ ପୂର୍ବରୁ ହିଁ ପହଞ୍ଚି ସାରିଛନ୍ତି। ଆସନ୍ତୁ ଜାଣିବା ଅନ୍ୟ ଦେଶରେ କେମିତି ହୋଇଥାଏ ରୁଷିଆ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ?
ଭାରତ ଗସ୍ତରେ ଆସୁଛନ୍ତି ରୁଷ୍ର ରାଷ୍ଟ୍ରପତି। ଏହା ସ୍ପଷ୍ଟ ଯେ, ପୁଟିନଙ୍କ ଭଳି ଶକ୍ତିଶାଳୀ ନେତାଙ୍କ ଗସ୍ତକୁ ନେଇ ସୁରକ୍ଷାର ବନ୍ଦୋବସ୍ତ ମଧ୍ୟ ଖୁବ୍ କଡ଼ାକଡ଼ି ହେବ। ଏମିତି ତ କୌଣସି ବି ଦେଶର ରାଷ୍ଟ୍ରପତିଙ୍କ ଆଗମନରେ ସ୍ୱତନ୍ତ୍ର ସିକ୍ୟୁରିଟି ପ୍ରୋଟୋକଲର ପାଳନ କରାଯାଏ, କିନ୍ତୁ ରୁଷୀୟ ରାଷ୍ଟ୍ରପତିଙ୍କ ସୁରକ୍ଷା କିଛି ଅଲଗା।
ଦ ମସ୍କୋ ଟାଇମ୍ସର ଏକ ରିପୋର୍ଟ ମୁତାବିକ , ପୁଟିନ ଯେଉଁଠିକୁ ବି ଯାଆନ୍ତି , ସେଠାରେ ଯିବା ପୂର୍ବରୁ ତାଙ୍କର ଏକ ଅଦୃଶ୍ୟ ସେନା ପ୍ରଥମେ ମୁତୟନ ହୋଇ ଯାଆନ୍ତି, ଯିଏ ସେଠାର ସାଧାରଣ ଲୋକ ଓ ସ୍ଥାନୀୟ ପରିବେଶ ସହ ମିଶି ଯାନ୍ତି। କ୍ରେମଲିନର ସୁରକ୍ଷା ଅଧିକାରୀଙ୍କ ଅନୁସାରେ ,୨୦୨୨ରେ ଜାପାନୀ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ହତ୍ୟା ଓ ସ୍ଲେଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ହତ୍ୟା ପ୍ରୟାସ ପରେ ବିଶେଷ ରୂପେ ପୁଟିନଙ୍କ ସିକ୍ୟୁରିଟିକୁ କଡ଼ାକଡ଼ି କରିଦିଆ ଯାଇଛି।
ପୁଟିନଙ୍କ ସୁରକ୍ଷାରେ ଥିବା ବିଶେଷ ସେବା ତାଙ୍କର ଜୀବନର ପ୍ରାୟ ସବୁ ଦିଗକୁ ନିୟନ୍ତ୍ରିତ କରିଥାଏ। ଏମିତି କି ଏକ ପୋର୍ଟେବଲ ଲ୍ୟାବରେଟୋରୀର ବ୍ୟବହାର କରି ତାଙ୍କର ସବୁ ଭୋଜନରେ ବିଷକ୍ରିୟାର ଯାଞ୍ଚ ମଧ୍ୟ କରାଯାଏ। ପୁଟିନ ଦେଶ ଭିତରେ କିମ୍ୱା ବାହାରେ କୁଆଡ଼େ ବି ଯାଆନ୍ତି ତ ତାଙ୍କର ଖାଦ୍ୟପେୟର ବିଶେଷ ଧ୍ୟାନ ରଖାଯାଏ। ଏହି କାରଣ ଯେ , ତାଙ୍କର କାରକେଡ୍ ସହ ଏକ ପୋର୍ଟେବଲ ଲ୍ୟାବ୍ ମଧ୍ୟ ଚାଲିଥାଏ ,ଯାହା ତାଙ୍କର ଭୋଜନରେ ବିଷକୁ ଯାଞ୍ଚ କରିଥାଏ। ଏହି ଲ୍ୟାବ୍ରେ ଯାଞ୍ଚ ପରେ ହିଁ ପୁଟିନ ଭୋଜନ କରିଥାନ୍ତି।
ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ରୋଷେୟା ସର୍ବଦା ତାଙ୍କ ସହ ଯାତ୍ରା କରିଥାନ୍ତି । ସେ କୌଣସି ବି ଦେଶରେ ନିଜର ରୋଷେୟାଙ୍କ ହାତ ତିଆରି ଖାଦ୍ୟ ଖାଇଥାନ୍ତି। ସେହି ଖାଦ୍ୟକୁ ବି ପ୍ରଥମେ ଲ୍ୟାବ୍ରେ ଟେଷ୍ଟ କରାଯାଏ।
ରୁଷୀୟ ରାଷ୍ଟ୍ରପତିଙ୍କ ସହ ଗ୍ରୋସରୀ ସାମଗ୍ରୀ ମଧ୍ୟ ରୁଷ୍ରୁ ହିଁ ଅଣାଯାଇ ଥାଏ। ରୁଷ୍ରେ ମଧ୍ୟ ଏକ ବିଶେଷ ଟିମ୍ ରହିଥାଏ, ଯାହା ତାଙ୍କର ଖାଦ୍ୟପେୟର ବନ୍ଦୋବସ୍ତ କରିଥାଏ। ସେପଟେ ଟିମ୍ ଖାଦ୍ୟ ଓ ପାଣି ସାଥିରେ ନେଇ ଯାଇଥାଏ। ଏହି ସବୁ ଜିନିଷକୁ ମଧ୍ୟ ଭଲଭାବେ ଯାଞ୍ଚ କରାଯାଏ।
ରୁଷୀୟ ରାଷ୍ଟ୍ରପତି ଖାଦ୍ୟପେୟ ଜିନିଷ ସହ ନିଜର ଏକ ପୋର୍ଟେବଲ ଟୟଲେଟ୍ ମଧ୍ୟ ସାଥିରେ ନେଇ ଯାଇଥାଏ। ଯାହାକି ଅନ୍ୟ ଦେଶରେ ତାଙ୍କ ଶରୀରର ମଇଳା ପଦାର୍ଥ ମଧ୍ୟ ନପଡ଼େ। ଏହାର ଅନେକ କାରଣ କୁହାଯାଏ। ଯଦି ରାଷ୍ଟ୍ରପତିଙ୍କ ସହ ଜଡ଼ିତ କୌଣସି ଜିନିଷ ବିଦେଶୀ ମାଟିରେ ରହିଯାଏ ତ ତାର ଯାଞ୍ଚରେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ବିଷୟରେ ଜଣାପଡ଼ିଯାଏ,ଯାହା ରାଷ୍ଟ୍ରୀୟ ସୁରକ୍ଷାର ମାମଲା ହୋଇପାରେ।
ଏହି କ୍ରମରେ ପୁଟିନ ଭାରତ ଆସିବାରେ ଏହି ସବୁ ଜିନିଷ ସାଥିରେ ନେଇ ଆସିବେ। ଏହି ସବୁ ଜିନିଷ ତାଙ୍କର ସୁରକ୍ଷା ସହ ଜଡ଼ିତ। ଏହାକୁ ନେଇ ରୁଷୀୟ ସୁରକ୍ଷା ଏଜେନ୍ସି କିଛି ବି ଅବହେଳା କରିପାରିବ ନାହିଁ।